ସଲାମ୍‍ କରୋନା ଯୋଦ୍ଧା: ମାନିବକତା ଦେଖାଇଲେ ମହିଳା ପୁଲିସ ଅଧିକାରୀ

ନିଜ ଖାଦ୍ୟରୁ ମାନସିିକ ରୋଗୀଙ୍କୁ ଖୁଆଇଦେଲେ

ମାଲକାନଗିରି: ମାଓ ପ୍ରବଣ ମାଲକାନଗିରି ଜିଲାରେ ପୁଲିସ ବିଭାଗ ବିଭିନ୍ନ ସମୟରେ ଲୋକଙ୍କ ରୋଷର ଶିକାର ହେଉଥିବାବେଳେ କରୋନା ଭଳି ମହାମାରୀ ମୁକାବିଲାରେ କିନ୍ତୁ ଯେଭଳି ସାହାସିକତା ଦେଖାଇ ଚାଲିଛି ତାହା ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛି। କରୋନା ମୁକାବିଲାରେ ମହାଯୋଦ୍ଧା ସାଜିଥିବା ଏହି ପୁଲିସ ଅଧିକାରୀ ଓ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଜନତାଙ୍କୁ ସୁରକ୍ଷା ଯୋଗାଇ ଦେଇ ଆସୁଥିବାବେଳେ ଆଜି ଜଣେ ମହିଳା ପୁଲିସ ଅଧିକାରୀ ନିଜ ଖାଦ୍ୟରୁ ଅଧା ଖାଦ୍ୟ ଜଣେ ମାନସିିକ ବିକାରଗ୍ରସ୍ତ ମହିଳାଙ୍କୁ ହାତରେ ଖୁଆଇଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ପୁଲିସ ଅଧିକାରୀ ନିଜ ଗର୍ଭବତୀ ପତ୍ନୀଙ୍କୁ ଘରେ ଛାଡ଼ି ଦିନକୁ ୧୮ଘଣ୍ଟା ଡ୍ୟୁଟି କରି ଚର୍ଚ୍ଚାରରେ ରହିବା ଘଟଣା ମନରୁ ଲିଭି ନ ଥିବାବେଳେ ଏଭଳି ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ନେଇ ଏବେ ସମଗ୍ର ଜିଲା ପୁଲିସ ଗର୍ବ ଅନୁଭବ କରୁଛି। ଅନ୍ୟପକ୍ଷରେ ମହିଳା ପୁଲିସ ଅଧିକାରୀଙ୍କ ଏଭଳି ମାନବିକତାକୁ ନେଇ ଏବେ ଜିଲାବ୍ୟାପୀ ପ୍ରଶଂସାର ସୁଅ ଛୁଟିଛି।

ସୂଚନାଯୋଗ୍ୟ, କରୋନା ମୁକାବିଲାରେ ମହାଯୋଦ୍ଧା ସାଜିଥିବା ପୁଲିସ ବିଭାଗରେ ଯୋଗ ଦେଇଛନ୍ତି ବହୁ ତାଲିମପ୍ରାପ୍ତ ପୁଲିସ ଅଧିକାରୀ। ସେମାନଙ୍କ ମଧ୍ୟରୁ ଶୁଭଶ୍ରୀ ନାୟକ ନାମ୍ନୀ ଏହି ମହିଳା ପୁଲିସ ଅଧିକାରୀ ମାଲକାନଗିରିରେ ପୁଲିସ ଏସଆଇ(ଟ୍ରେନି) ଭାବେ କାର୍ଯ୍ୟରତ ଅଛନ୍ତି। କରୋନା ମୁକାବିଲା ପାଇଁ ନିୟୋଜିତ ଥିବା ଏହି ମହିଳା ପୁଲିସ ଅଧିକାରୀଙ୍କୁ ପଦ୍ମଗିରି ଛକରେ ଡ୍ୟୁଟି ଦିଆଯାଇଛି। ଆଜି ସେ କର୍ତ୍ତବ୍ୟରତ ଥିବାବେଳେ ସେହି ରାସ୍ତା ଦେଇ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଚାଲି ଚାଲି ଯାଉଥିଲେ। ତାଙ୍କର ଅବସ୍ଥା ଓ ଅସହାୟତା ଦେଖି ଶୁଭଶ୍ରୀ ତାଙ୍କୁ ଅଟକାଇବା ସହ ସବୁକିଛି ପଚାରି ବୁଝିଥିଲେ। ତେବେ ମହିଳାଜଣକ କ୍ଷୀଣ ସ୍ୱରରେ ଖାଇ ନ ଥିବା କହିବା ପରେ ଶୁଭଶ୍ରୀଙ୍କ ମନ ତରଳିଯାଇଥିଲା। ସେ ତୁରନ୍ତ ନିଜ ପାଇଁ ରଖିଥିବା ଖାଦ୍ୟ ପୁଡ଼ିଆ ଖୋଲି ଏକ ଥାଳିରେ ଉକ୍ତ ଅସହାୟ ମହିଳାଙ୍କୁ ନିଜ ହାତରେ ଖୁଆଇ ଦେବା ସହ ପାଣି ପିଆଇ ମୁହଁ ଧୋଇ ଦେଇଥିଲେ। ମହିଳାଜଣକ ପେଟପୂରା ଖାଇବା ପରେ ଶାନ୍ତିରେ କିଛି ସମୟ ବିଶ୍ରାମ ନେଇଥିଲେ। ଶୁଭଶ୍ରୀଙ୍କ ଏଭଳି ମାନବିକତା ଜଣାପଡ଼ିବା ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଓ ଦିନରାତି ଏକ କରି ସାଧାରଣ ଜନତାଙ୍କ ଜୀବନ ରକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ପୁଲିସ ବିଭାଗରେ ଏଭଳି କିଛି ପୁଲିସ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଓ କର୍ମ କୁଶଳତା ଯୋଗୁଁ ଆଜି ଜନତାଙ୍କ ପ୍ରିୟଭାଜନ ଓ ଆସ୍ଥାଭାଜନ ହୋଇପାରିଛି ପୁଲିସ ବିଭାଗ।

Comments are closed.