ଗୁରୁ ନୁହେଁ ସୈତାନ, ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଧାନ ଶିକ୍ଷକ ଗିରଫ

0

ମାଲକାନଗିରି: ଗୁରୁ ପାଲଟଥିଲା ସୈତାନ। ଏଥିଯୋଗୁଁ ଜଣେ କୋମଳମତି ଛାତ୍ରୀଙ୍କର ଜୀବନ ବି ଯାଇଛି। ଦୁର୍ବ୍ୟବହାର ଏବଂ ଶାରିରୀକ ନିର୍ଯାତନା ଦେବା ପରେ ଗୁରୁଙ୍କର ନିର୍ଯାତନା ସହି ନ ପାରି ଶେଷରେ ଆତ୍ମହତ୍ୟା କରି ଜୀବନ ହାରିଥିଲା ଛାତ୍ରୀ। ଶୁକ୍ରବାରରେ ଏକ ଆବାସିକ ବିଦ୍ୟାଳୟର ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ଘଟଣାର ଶନିବାରରେ ପର୍ଦାଫାଶ୍‍ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବିଶ୍ୱଜିତ ସରକାର ବିଭିନ୍ନ ସମୟରେ ଆବାସିକ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଦୁବ୍ୟବହାର କରୁଥିବା ସହ କିଛି ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲୋ ଯେଉଁ ଛାତ୍ରୀମାନେ ଏଥିରେ ଅମଙ୍ଗ ହୁଅନ୍ତି ସେମାନଙ୍କୁ ଟିସି ଦେବା ଧମକ ସହ ହଇରାଣ ହରକତ କରୁଥିଲେ ବୋଲି ମାଲକାନଗିରି ଏସ୍‍.ପି, ଜଗମୋହନ ମୀନା ସୂଚନା ଦେଇଛନ୍ତି।
ଏ ନେଇ ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରୀ ଅଭିଯୋଗ କରିଥିଲେ। ଉକ୍ତ ଛାତ୍ରୀଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଗତକାଲି ରାତି ତମାମ ତଦନ୍ତ ଜାରି ରଖିଥିଲେ। ତଦନ୍ତ ବେଳେ ଗତକାଲି ଆତ୍ମହତ୍ୟା କରିଥିବା ଛାତ୍ରୀର ଏକ ଖାତାରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଧାନ ଶିକ୍ଷକ ଶ୍ରୀ ସରକାର ଅତ୍ୟନ୍ତ ଖରାପ ଲୋକ। ଛାତ୍ରୀମାନଙ୍କୁ ଅସଭ୍ୟ ବ୍ୟବହାର କରିବା ସହ ବହୁ ନିର୍ଯାତନା ଦେଉଥିବାରୁ ସେ ମାନସିକ ଭାବେ ଅତ୍ୟନ୍ତ ଦୁଃଖୀ ହେବା ସହ ଏ ସମ୍ପର୍କରେ କାହାକୁ କହିବେ ସେଥିନେଇ ଚିନ୍ତା କରି ପାରୁନାହାନ୍ତି। ବାପା ବୟସର ଏହି ଶିକ୍ଷକଙ୍କ ଏଭଳି ନିର୍ଯ୍ୟାତନା ତାଙ୍କୁ ମର୍ମାହତ କରିଥିବା ଉଲ୍ଲେଖ କରିଛନ୍ତି। ଏଥିରେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ନ ଥିବା ବେଳେ ପୁଲିସ ଏହି ନୋଟ ବୁକକୁ ଆଧାର କରି ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିଥିଲା।
ତେବେ ଦୀର୍ଘ ଦିନ ଧରି ଏଭଳି କାର୍ଯ୍ୟ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଜାଣିଥିଲେ ସୁଦ୍ଧା ସେମାନେ ନୀରବ ରହିଥିଲେ। ଛାତ୍ରୀନିବାସ ପରିଚାଳିକା ମଧ୍ୟ ଏ ସମ୍ପର୍କରେ ଜାଣିଥିବା ନେଇ ଅଭିଯୋଗ ହୋଇଛି। କିନ୍ତୁ କେହି ମଧ୍ୟ ବାହାରେ ଏକଥା ପ୍ରକଟ କରି ନ ଥିଲେ।
ପ୍ରକାଶ ଥାଉ କି ଗତ ଶୁକ୍ରବାର ବିଳମ୍ବିତ ରାତିରେ ଆଦିବାସୀ ଓ ହରିଜନ ଆବାସୀକ ଛାତ୍ରୀ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ବିଜ୍ଞାନ ଲାବରେଟରୀ କକ୍ଷରେ ନିଜ ବାମ ହାତ କାଟି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲୋ ତେବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହଷ୍ଟେଲ ୱାର୍ଡନ ଓ ଗ୍ରାମବାସୀ ମାଲାକନଗିରି ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଥିଲା। ଏଥିନେଇ ପରିବାର ପକ୍ଷରୁ ଆନ୍ଦୋଳନ ଓ ବିକ୍ଷୋବ କରାଯାଇ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପରେ ପୁଲିସ ଓ ମାଲକାନଗିରି ଉପଜିଲ୍ଲାପାଳ, ଏସ୍‍.ଡି.ପି. ଓ ପ୍ରମୁଖ ଗତକାଲି ରାତି ଠାରୁ ଘଟଣା ସମ୍ପର୍କରେ ତଦନ୍ତ କରିବା ପରେ ଶେଷରେ ଘଟଣାର ପର୍ଦାଫାସ୍‍ କରିଥିଲୋ ଅନ୍ୟ ପକ୍ଷରୁ ଏହି ଘଟଣା ପରେ ଶିଖପାଲ୍ଲୀ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ଅଭିଭାବକ ମାନେ ନିଜ ପିଲାମାନଙ୍କୁ ବିଦ୍ୟାଳୟରୁ ନେଇ ଯିବାକୁ ଜିଦ୍‍ ଧରୁଛନ୍ତି। ଏପରି ଅପ୍ରିତିକର ପରିସ୍ଥିତି ଦେଖା ଦେଇଥିବା ବେଳେ କେବଳ ପ୍ରଧାନ ଶିକ୍ଷକ ନୁହନ୍ତି ବିଦ୍ୟାଳୟର ଅନ୍ୟ ଏକ କର୍ମଚାରୀ ମଧ୍ୟ ଅନୈତିକ କାର୍ଯ୍ୟରେ ଲିପ୍ତ ହୋଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ତେବେ ସବୁଠାରୁ ବଡପ୍ରଶ୍ନ ହେଉଛି ବିଦ୍ୟାଳୟର କିଛି କର୍ମଚାରୀ ଓ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କ କୁକର୍ମ ସମ୍ପର୍କରେ ଜାଣିସୁଦ୍ଧା କାହିଁକି ପୂର୍ବରୁ ମୁହଁ ଖୋଲି ନଥିଲେ। ଯଦି ଆଗରୁ ଏହା ଜଣାପଡିଥାନ୍ତା ତେବେ ଜଣେ ଛାତ୍ରୀ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇପାରିଥାନ୍ତ।। ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ଛାତ୍ରୀ ନିର୍ଯ୍ୟାତନା ନିତିଦିନିଆ ଘଟଣା ହୋଇଥିବା ବେଳେ କେବଳ କୌଣସି ଘଟଣା ଘଟିଲେ ପ୍ରଶାସନ ତତ୍ପର ହୋଇ ଉଠନ୍ତି। ତେବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯାଇ ଆବାସିକ ବିଦ୍ୟାଳୟର ଛାତ୍ରୀ ସୁରକ୍ଷା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ଅନ୍ୟ ପକ୍ଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ପିତାମ୍ବର ନାୟକ ସୂଚନା ଅନୁଯାୟୀ କର୍ତବ୍ୟରେ ଅବହେଳା ପାଇଁ ଆବାସିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱନାଥ ଲେଙ୍କା, ଭାରପ୍ରାପ୍ତ ହଷ୍ଟେଲ ସୁପରିଂଟେଣ୍ଡେଂଟ ରେଣୁବାଲା ମଲିକ ଓ ସହକାରୀ ମାଟ୍ରନ୍‍ ସେଫାଳୀ କିର୍ତନିଆଙ୍କ ବିରୁଦ୍ଧରେ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରାଯାଇଛି।

Leave A Reply