ପୁଣି ୧୦ କି.ମି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

0

ମାଲକାନଗିରି : ରାଜ୍ୟ ସରକାର ଓ କେନ୍ଦ୍ର ସରରକାର ଆଦିବାସୀଙ୍କ ବିକାଶ ନେଇ ଡିଣ୍ଡିମ ପିଟୁଥିବା ବେଳେ ଅବହେଳିତ ସ୍ୱାସ୍ଥ୍ୟ ସେବାର ଆଉ ଏକ ନଗ୍ନ ନମୂନା ଦେଖିବାକୁ ମିଳିଛି, ମାଲକାନଗିରି ଜିଲ୍ଲାରେ। ସମ୍ପୂର୍ଣ୍ଣ ଦୂର୍ଗମ ଅଂଚଳ କୁହାଯାଉଥିବା ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କତ୍ରାଗୁଡ଼ା ଗ୍ରାମରେ ‘ରାଧା ଖିଲ’ ନାମକ ଜଣେ ଆଦିବାସୀ ମହିଳାଙ୍କର  ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ବର୍ଗ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ।

ବଡ଼ଡୁରାଲ ପଂଚାୟତରେ ଥିବା ଏହି ଗ୍ରାମର ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ବେଳେ ଆମ୍ବୁଲାନ୍ସ ଆସିବାକୁ ମନା କରିଥିଲା। ତେବେ ମାଡକାପଦର ପଂଚାୟତ ନିକଟରେ ଆମ୍ବୁଲାନ୍ସଟି ଆସି ଅଟକିଯାଇଥିଲା।  ରାଧାର ଗର୍ଭ ଯନ୍ତ୍ରଣା ଅତ୍ୟଧିକ ହୋଇ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ବାଧ୍ୟ ହୋଇ ପ୍ରାୟ ୮ କିଲୋମିଟର ଦୂର ମାଡକାପଦର ଗ୍ରାମ ପର୍ଯ୍ୟନ୍ତ ଖଟିଆରେ ବୋହି ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା।

ଗତ ୧୦ ଦିନ ପୂର୍ବେ ମଧ୍ୟ ଖଇରପୁଟ ବ୍ଲକରେ ରାସ୍ତା ଖରାପ ଯୋଗୁଁ ଯନ୍ଦ୍ରାଗୁଡ଼ା ଗ୍ରାମର ଜଣେ ମହିଳାଙ୍କୁ ଭାରରେ ବୋହି ଆଣିବା ଘଟଣା ଜିଲ୍ଲାରେ ଚର୍ଚ୍ଚା ହୋଇଥଲା । ତେବେ ଜିଲାରେ ଯୋଗାଯୋଗ ବ୍ୟବସ୍ଥା ତଥା ରାସ୍ତାଘାଟର ଶୋଚନୀୟ ଅବସ୍ଥା ଯୋଗୁ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

Leave A Reply