ଭତ୍ତାରୁ ବଞ୍ଚିତ ୭୨ ବର୍ଷୀୟ ବୃଦ୍ଧ : ଆର୍ଥିକ ଦୁର୍ଦ୍ଦଶା ଭିତରେ କାଟୁଛନ୍ତି ଜୀବନ

ଖପ୍ରାଖୋଲ : ସରକାର ସମସ୍ତଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କରିଥିଲେ ମଧ୍ୟ ଅନେକ ସମୟରେ ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ଯୋଗ୍ୟ ହିତାଧିକାରୀ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ କର୍ଲାମାଲ ଗ୍ରାମର ଗଙ୍ଗାଧର ସରାଫଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳି ନ ଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ,  ଗଙ୍ଗାଧରଙ୍କୁ ୭୨ ବର୍ଷ ହେଲାଣି। ତାଙ୍କ ଆଖିକୁ ଠିକ୍‍ ଭାବେ ଦେଖାଯାଉନଥିବାରୁ ସେ ଘରେ ବସି ରହୁଛନ୍ତି। ଅର୍ଥ ଉପାର୍ଜନର କ୍ଷମତା ନ ଥିବାରୁ ଆର୍ଥିକ ଦୁର୍ଦ୍ଦଶା ଭିତରେ ସେ ଗତି କରୁଛନ୍ତି। ଦୀର୍ଘ ୧୦ ବର୍ଷ ଧରି ସେ ଭତା ପାଇବାକୁ ଚେଷ୍ଟା କରିଆସୁଥିଲେ ମଧ୍ୟ ଭତ୍ତାରୁ ବଞ୍ଚିତ ଅଛନ୍ତି।  ଏନେଇ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏବଂ ବ୍ଲକ ପ୍ରଶାସନ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।  ସେ ତାଙ୍କ ପଞ୍ଚାୟତର ପୂର୍ବତନ ସରପଞ୍ଚ, ପୂର୍ବତନ ଜିଲାପରିଷଦ ସଭ୍ୟ, ବର୍ତ୍ତମାନ ସରପଞ୍ଚଙ୍କ ନିକଟରେ ଏ ନେଇ ଅଭିଯୋଗ କରିବା ସହିତ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଆସି ନୟାନ୍ତ ହୋଇପଡିଥିଲେ ମଧ୍ୟ ଏ ନେଇ କୌଣସି ସୁଫଳ ପାଇପାରି ନାହାନ୍ତି।। ଏ ନେଇ ତେଲେନପାଲି ସରପଞ୍ଚ କୁନ୍ତଳା ମାଝୀଙ୍କୁ ପଚାରିବାରୁ ସେ ଭତା ପାଇବାକୁ ଆବେଦନ କରିଛନ୍ତି ଏବଂ ସେ ତାଙ୍କର ଫର୍ମ ଦାଖଲ କରିସାରିଛନ୍ତି ବୋଲି କହିଛନ୍ତି। ଏ ନେଇ ବିଡିଓ ତରଣି ସୁନାଙ୍କୁ ପଚାରିବାରୁ ତାଙ୍କର ଭତା ପାଇବା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ସହ ତାଙ୍କୁ ଖୁବ୍‍ ଶୀଘ୍ର ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Comments are closed.