ତଲାସି ଅଭିଯାନ ଜାରି ; ମାଓ ସାମଗ୍ରୀ ଜବତ

ମାଲକାନଗିରି  : ମାଲକାନଗିରି ଜିଲ୍ଲାରେ ଧୀରେ ଧୀରେ ମାଓଗଡ ଭୁଷୁଡିବାରେ ଲାଗିଥିବା ବେଳେ ବିଗତ କିଛିଦିନ ପୂର୍ବେ ଶହ ଶହ  ସଂଖ୍ୟାରେ ମାଓ ସମର୍ଥକ ଓ ମଲିସିଆ ମାଓବାଦୀ ମାନେ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ ।  ଏହାପରେ ମାଓ ଦମନ କାର୍ୟ୍ୟକ୍ରମକୁ ପୁଲିସ ପକ୍ଷରୁ ଜୋରଦାର କରାଯାଇଥିବା ବେଳେ ମାଓ ଗତିବିଧି ସମ୍ପର୍କରେ ବିଶେଷସୂତ୍ରରୁ ଖବର ପାଇ କୋରାପୁଟ ଏସଓଜି ଓ ଡିଭିଏଫର ଏକ ଟିମ ମାଲକାନଗିରି ଜିଲ୍ଲାର ମୁଦୁଲିପଡା ଥାନା ଓ କୋରାପୁଟ ଜିଲ୍ଲାର ମାଛଖକୁଣ୍ଡ ଥାନା ସୀମାବର୍ତ୍ତୀ ଅଞ୍ଚଳର ହନୁମାଲ, ସିନ୍ଧିପୁଟ, ଓଣ୍ଡାଇପାଦର, ଆଣ୍ଡ୍ରାହାଲ, ମୁଦୁଲିପଡା ଆଦି ଗ୍ରାମ ନିକଟରେ ଥିବା ଜଙ୍ଗଲରେ ସର୍ଚ ଅପରେସନ କରିଥିଲେ ।
ଏହି ସମୟରେ ଯବାନ ମାନେ ମାଲକାନଗିରି ଜିଲ୍ଲା ଆଣ୍ଡ୍ରାହାଲ ପଞ୍ଚାୟତର ସିନ୍ଦିପୁଟ ଗାଁ ନିକଟ ଜଙ୍ଗଲ ମାଓବାଦୀଙ୍କ ଦ୍ଵାରା ଲୁଚାଇ ରଖା ଯାଇଥିବା ଏକ ଡମ୍ପକୁ ଉଦ୍ଧାର କରିଥିଲେ । ଏହି ଡମ୍ପରୁ ୭୦ହଜାର ଟଙ୍କା ନଗଦ ଅର୍ଥ ସହ , ୧୭ ମିଟର କଡେକ୍ସ ତାର , ୩୧ଟି ଜିଲେଟିନ ଷ୍ଟିକ, ୧୧ଟି ଇଲେକ୍ଟ୍ରିକ ଡିଟୋନେଟର, ଗୋଟିଏ ଇଲେକ୍ଟ୍ରିକ ତାର ବଣ୍ଡଲ, ୨ଟି ଟିଫିନ ବୋମା, ଗୋଟିଏ ପ୍ରେସରକୁକର ବୋମା, ଗୋଟିଏ ଟେଷ୍ଟିଙ୍ଗ ପିନ ଜବତ ହୋଇଥିବା ଜଣା ପଡିଛି । ତେବେ ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ସର୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।

Comments are closed.