ଗଛରେ ପିଟି ହେଲା ଚାଉଳ ବୋଝେଇ ପିକଅପ ; ଚାଳକ ମୃତ

ମାଲକାନଗିରି : ଗଛରେ ପିଟିହେଲା ଚାଉଳ ବୋଝେଇ ପିକଅପ । ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ପାଙ୍ଗମ ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି । ସୂଚନାନୁଯାୟୀ, ସୋମବାର ସକାଳେ ମାଲକାନଗିରି ଜିଲ୍ଲାରୁ ଚାଉଳ ବୋଝେଇ ଏକ ପିକଅପ ଭ୍ୟାନ ଜୟପୁର ଅଭିମୁଖେ ଯାଉଥିଲା। ପାଙ୍ଗମ ମାଳିଗୁଡା ଛକ ଠାରେ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଚାଳକର ମୃତ୍ୟୁ ଘଟିଛି। ମୃତକ ଚାଳକଙ୍କ ଘର ମାଲକାନଗିରି ଜିଲ୍ଲା ଏମଭି ୫୬ ଗ୍ରାମରେ। ତାଙ୍କ ନାମ ଅସିତ କୁମାର ଗୋଲଦାର ବୋଲି ଜଣା ପଡ଼ିଛି।
ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ମାଲକାନଗିରି ଅଗ୍ନିଶମ ଅଧିକାରୀ କେ କେ ଗୌଡ଼ଙ୍କ ନେତୃତ୍ୱରେ ମନ ମୁଦୁଲି, ତନ୍ମୟ ସାହୁ, ଧନ ସିଂ ଭତ୍ରା, ଗୌରାଙ୍ଗ ସମରଥ, ଜଗବନ୍ଧୁ ପଡାଲ ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ଗାଡି ଭିତରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ଗ୍ୟାସ କଟର ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। ଘଟଣା ସ୍ଥଳରେ ମାଥିଲି ଥାନା ପୁଲିସ ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ଗାଡି ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।

Comments are closed.