ଚିତ୍ରକୋଣ୍ଡା ଥାନା ହାଜତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା ; ନିଜ ଆଡୁ ମାମଲା ରୁଜୁ କଲା ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ହାଜତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ହସ୍ତକ୍ଷେପ କରିବା ସହ ମାମଲା ରୁଜୁ କରିଛନ୍ତି ବୋଲି ବୁଧବାର ଜଣାପଡ଼ିଛି। ମାର୍ଚ୍ଚ ୩୦ ସୁଦ୍ଧା ଘଟଣାର ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ ମାଲକାନଗିରି ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହି ମାମଲାକୁ ମାଲକାନଗିରି ଜିଲା ପ୍ରଶାସନ ଗୁରୁତ୍ୱର ସହ ନେଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ଯାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏକ ଚୋରି ଅଭିଯୋଗରେ ଉକ୍ତ ୪ ଜଣ ନାବାଳକଙ୍କୁ ପୁଲିସ ଥାନାକୁ ଆଣି ୩ ଦିନ ରଖି ମାଡ ମାରିବା ସହ ଇଲେକ୍ଟ୍ରିକ୍ସ ସକ୍ ଦିଆଯାଇଛି ବୋଲି ଅଭିଯୋଗ ହୋଇଥିଲା।