ପିକ୍ଅପ ଭ୍ୟାନ ଧକ୍କାରେ ସ୍କୁଲ ଛାତ୍ରର ମୃତ୍ୟୁ, ଗାଡି ପୋଡିଦେଲେ ଉତ୍ୟକ୍ତ ଲୋକେ

ଘଟଣା ସ୍ଥଳରେ ରାସ୍ତାରୋଜ କରିବା ସହ କ୍ଷତିପୁରଣ ଦାବି

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାଲକାନଗିରି ମୋଟୁ ୩୨୬ନଂ ଜାତୀୟ ରାଜପଥର ବୁଦୁଗୁଡା କଲୋନୀ ନିକଟରେ ଶୁକ୍ରବାର ଅପରାହ୍ନ ୪.୩୦ ସମୟରେ ଏକ ପିକ୍ଅପ ଭ୍ୟାନ ଧକ୍କାରେ ଜଣେ ସ୍କୁଲ ଛାତ୍ରର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଉତ୍ୟକ୍ତ ଲୋକେ ଭ୍ୟାନ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରିଥିଲେ। କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଲୋକମାନଙ୍କ କବଳରୁ ଉଦ୍ଧାର କରିଥିଲେ। ପୁଲିସ ଲୋକମାନଙ୍କୁ ବୁଝା ସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକମାନଙ୍କ ରାଗ ଶାନ୍ତ ପଡିନଥିଲା। ଯାହାଦ୍ବାରା ପୁଲିସ ଉପସ୍ଥିତିରି ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନକୁ ଲୋକମାନେ ନିଆଁ ଲଗାଇଦେଇଥିଲେ। ଯାହା ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ବହୁ ଯାନବାହନ ଅଟକି ରହିଥିବା ବେଳେ ଏକଘଣ୍ଟା ଧରି ଯାନ ବାହନ ଚଳାଚଳ ବନ୍ଦ ରହିଥିଲା। ନିଆଁ ଲାଗିବା ପରେ ଖବର ପାଇ କାଲିମେଳା ଅଗ୍ନିଶମ ଗାଡି ଆସି ନିଆଁ ଲାଗିଥିବା ପିକଅପ ଭ୍ୟାନରୁ ନିଆଁ ଲିଭାଇଥିଲେ। ମୃତ ଛାତ୍ର ଜଣଙ୍କ କାଲିମେଳା ପଞ୍ଚାୟତର ଗୁଗୁଗୁଡା କଲୋନୀର ଜଗନ୍ନାଥ ହରିଜନଙ୍କ ୬ ବର୍ଷର ପୁଅ ଜଳେଶ୍ୱର ହରିଜନ ।ଛାତ୍ର ଜଣଙ୍କ ଏମଭି-୯୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରେ ପାଠ ପଡୁଥିବା ଜଣାପଡିଛି।ଘଟଣାରୁ ପ୍ରକାଶ ଯେ ମୃତ ଛାତ୍ର ଜଳେଶ୍ୱର ପ୍ରତ୍ୟକଦିନ ଭଳି ଶୁକ୍ରବାର ମଧ୍ୟ ବିଦ୍ୟାଳୟକୁ ଯାଇଥିଲେ। ଅପରାହ୍ନ ୪ ଟା ସମୟରେ ସ୍କୁଲ ଛୁଟି ହେବା ପରେ ସେ ନିଜ ଘର ବୁଦୁଗୁଡା କଲୋନୀ କୁ ଫେରୁଥିଲେ। ଏହି ସମୟରେ କାଲିମେଳା ପଟୁ ଓଡି ୩୦ ୮୦୨୦ ନମ୍ବର ଥିବା ଏକ ପିକଅପ ଭ୍ୟାନ ଦୃତ ଗତିରେ ଆସି ଛାତ୍ର ଜଳେଶ୍ୱରକୁ ଧକ୍କା ଦେଇଥିଲା। ମୃତ ଛାତ୍ରଙ୍କ ଘର ଠାରୁ ଅଳ୍ପ ଦୁରରେ ଏହି ଘଟଣା ଘଟିଥିଲା।ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଛାତ୍ରଟି ଗାଡି ଧକ୍କାରେ ବହୁ ଦୁରକୁ ଛିଟିକି ପଡିଥିଲା।ଗୁରୁତର ଅବସ୍ଥାରେ ତାକୁ ସ୍ଥାନୀୟ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକିତ୍ସା ପାଇଁ ଭର୍ତି କରାଯାଇଥିବା ବେଳେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଦୁଖଃର ଛାୟା ଳେଖିଯାଇଛି।ସେପଟେ ଲୋକମାନଙ୍କ ଠାରୁ ମାଡ ଖାଇଥିବା ଡ୍ରାଇଭର ଆହତ ହୋଇଥିବାରୁ ତାକୁ ମଧ୍ୟ ପୋଲିସ ମେଡିକାଲ ନେଇ ଚିକିତ୍ସା କରାଇ ଥାନା ରେ ଅଟକ ରଖିଛି।

Comments are closed.