ମାଲକାନଗିରି ପୁଲିସର ଅପରେସନ ‘ସ୍ୱାଭିମାନ’ : ରଣନୀତି ବଦଳାଉଛନ୍ତି ମାଓବାଦୀ

ମାଲକାନଗିରି : ରାଜ୍ୟ ସରକାରଙ୍କ ପକ୍ଷରୁ ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳର ବିକାଶ କାର୍ଯ୍ୟକୁ ତରାନ୍ୱିତ କରାଯାଉଛି। ମାଲକାନଗିରି ପୁଲିସ ପକ୍ଷରୁ ଅପରେସନ ସ୍ୱାଭିମାନ  ଆରମ୍ଭ ହୋଇଛି। ଏ ନେଇ ମାଓବାଦୀ ମଧ୍ୟ ସେମାନଙ୍କ ରଣନୀତି ବଦଳାଉଥିବା ଜଣାପଡିଛି। ଗୁଇନ୍ଦା ବିଭାଗ ପକ୍ଷରୁ ମାଓବାଦୀ ନେତା ତଥା ସଙ୍ଗଠନର ମୁଖ୍ୟ ଆରକେ ଓରଫ ରାମକ୍ରିଷ୍ଣା, ଉଦୟ, ଚଲପତି ଭଳି ବହୁ ଟପ୍‍ କ୍ୟାଡରଙ୍କୁ ନିଶାଣ କରିଛି ମାଲକାନଗିରି ପୁଲିସ। ଏଥିପାଇଁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଓ ପୂର୍ବ ଗୋଦାବରୀ ପୁଲିସ ସହ ଆରମ୍ଭ ହୋଇଛି ଏହି ସ୍ୱତନ୍ତ୍ର ଅପରେସନ୍‍। ମାଲକାନଗିରି ଓ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଆଞ୍ଚଳରେ କେତେକ ମାଓନେତା ଆଶ୍ରୟ ନେଇଥିବା ଖବର ମିଳିବା ପରେ ମାଓ ଦମନକୁ ଜୋରଦାର କରିଛି ପୁଲିସ। ଏସଓଜି ଓ ଡିବିଏଫ ବାହିନୀ ସହ ମିଶି ମିଳିତ ଭାବେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଗତ ୧୫ ତାରିଖରେ ପୁଲିସ ଏନକାଉଣ୍ଟରରେ ବହୁ ମାଓନେତା ଅଳ୍ପକେ ଖସି ଯାଇଥିଲେ। ଏହି ଶିବିର ମଧ୍ୟରେ ମାଓନେତା ଆର୍‍କେ ମଧ୍ୟ ରହିଥିବା ପୁଲିସକୁ ସୁରାଖ ମିଳିଛି। ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ପେନ ଡ୍ରାଇଭ୍‍, ପୁଲିସ ହସ୍ତଗତ କରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଗଣମାଧ୍ୟମକୁ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆ ଯାଇ ନାହିଁ। ମୁଖ୍ୟତଃ ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟି ମାଲକାନଗିରି ଜିଲାରେ ସକ୍ରୀୟ ରହିଥିବା ବେଳେ ସ୍ୱାଭିମାନ ଅଞ୍ଚଳରେ ସଙ୍ଗଠନ ଡେରା ପକାଇଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ମଧ୍ୟ ମାଓ ଦମନ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ଅଧିକ ଫୋର୍ସ ମୁତୟନ କରିବା ସହ ବିଏସ୍‍ଏଫ୍‍ ଓ ସିଆରପିଏଫର କୋବ୍ରା ବାହିନୀକୁ ନିୟୋଜିତ କରାଯାଇଛି। ମୁଖ୍ୟତଃ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ଲୋଭନୀୟ ପ୍ୟାକେଜ ଘୋଷଣା କରାଯାଇଛି। ଆତ୍ମ ନିର୍ଭର ହେବା ସହ ସେମାନଙ୍କୁ ନିଯୁକ୍ତି ଦେଇ କିଭଳି ଅଧିକରୁ ଅଧିକ ଆଦିବାସୀ ସଙ୍ଗଠନ ଛାଡିବେ ସେଥିନେଇ କେନ୍ଦ୍ର ସରକାର ସମସ୍ତ ସୁବିଧା ସୁଯୋଗ ଦେଇଛନ୍ତି।

ବିଶେଷ କରି ମାଲକାନଗିରି ଜିଲାର ତୁଳସୀ ପାହାଡ ଓ ସ୍ୱାଭିମାନ ଅଞ୍ଚଳରେ ମାଓ ସଙ୍ଗଠନ ସକ୍ରୀୟ ଥିବା ବେଳେ ଏହି ଦୁଇଟି ଅଞ୍ଚଳ ଛତିଶଗଡ ଓ ଆନ୍ଧ୍ର ପ୍ରଦେଶକୁ ଲାଗି ରହିଛି। ଛତିଶଗଡ, ଆନ୍ଧ୍ର ଓ ଓଡ଼ିଶା ପୁଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯିବା ସହ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ଖୋଲା ଯାଇଛି। ସେଠାରେ ଏକ ବରିଷ୍ଠ ଆଇପିଏସ୍‍ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ୱତନ୍ତ୍ର ଭାବେ କିଭଳି ଏହି ତିନି ରାଜ୍ୟର ସୀମାନ୍ତରେ ଦମନ କାର୍ଯ୍ୟକୁ ତରାନ୍ୱିତ କରାଯିବ। ସେଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ। ଏଥିରେ ବିଏସ୍‍ଏଫ ଓ ସିଆରପିଏଫର ମୁଖ୍ୟଙ୍କୁ ମଧ୍ୟ ଦାୟିତ୍ୱ ଦିଆ ଯାଇଛି। ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ କରି ମିଳିତ ଅଭିଯାନ କରିବାକୁ ସଜବାଜ ହେଉଥିବା ବେଳେ ଏଥର କିନ୍ତୁ ମାଓବାଦୀ ତାଙ୍କ ରଣନୀତି ବଦଳାଇଛନ୍ତି। ଏକ ସ୍ୱତନ୍ତ୍ର ଚିଠିରେ ସରକାର ବିକାଶ ନାମରେ ଏହି ଅଞ୍ଚଳର ଆଦିବାସୀଙ୍କୁ ବିସ୍ତାପନ କରିବା ପାଇଁ ଯୋଜନା କରୁଥିବା ମାଓନେତା ସୁଧୀର ସିଧାସଳଖ ଅଭିଯୋଗ କରିଛନ୍ତି। ଖଣି ଖାଦାନ ଲୁଟ ପାଇଁ ରାସ୍ତା ନିର୍ମାଣ ଚାଲିଥିବା ସୁଧୀର ଅଭିଯୋଗ କରୁଥିବା ବେଳେ ନିରୀହଙ୍କ ହତ୍ୟା କରି ମାଓବାଦୀଙ୍କ ଆଖ୍ୟା ଦେଉଛନ୍ତି ପୁଲିସ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। ରାଜୁ ହନ୍ତାଳର ହତ୍ୟାର ନ୍ୟାୟ ମିଳି ନ ଥିବା ବେଳେ ମାଲକାନଗିରି ଏସ୍‍ପି ଟଙ୍କା ଦେଇ ସୂଚନାଦାତା ସୃଷ୍ଟି କରିଛନ୍ତି। ଆମ ଜଙ୍ଗଲ ଆମ ଅଧିକାର ହୋଇଥିବା ବେଳେ ଏହି ଅଞ୍ଚଳର ବକ୍ସାଇଟ୍‍ ଲୁଟ୍‍ କରିବା ପାଇଁ ଆନ୍ଧ୍ର-ଓଡ଼ିଶା ସରକାର ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ନିଜ ସଙ୍ଗଠନକୁ ସୁଦୃଢ କରିବା ପାଇଁ ସ୍ୱତନ୍ତ୍ର ପ୍ରଜାମେଳୀ କରିବା ସହ ଏହି ଅଞ୍ଚଳରୁ ବିଏସଏଫ କ୍ୟାମ୍ପ ଓ ଥାନା ଉଠାଇବା ପାଇଁ ସ୍ଥାନୀୟ ଅଞ୍ଚଳର ଆଦିବାସୀଙ୍କ ଉପରେ ଚାପ ପକାଇ ବିକ୍ଷୋଭ ଆନ୍ଦୋଳନ କରୁଛନ୍ତି। ଥାନା ଘେରାଉ କରି ଯବାନଙ୍କ ନିଆଁ ପାଣି ବନ୍ଦ କରିବା ଭଳି ଘଟଣା ମଧ୍ୟ ଘଟୁଛି। ପୁଲିସ ଓ ମାଓବାଦୀଙ୍କ ଛକାପଞ୍ଝା ଆଗାମୀ ଦିନରେ କେଉଁ ମୋଡ ନେବ ତାହା ଦେଖିବାକୁ ବାକି ରହିଥିବା ସାଧାରଣରେ ଆଲୋଚନା ହେଉଛି।

Comments are closed.