ଆୱାର୍ଡ ଶୋ’ରେ ସୁଶାନ୍ତଙ୍କ ମଜାକ୍‌ ଉଡ଼ାଇଥିଲେ ୨ ବଡ଼ ଅଭିନେତା, ଭିଡିଓ ଶେୟାର କରି ଅସନ୍ତୋଷ ବ୍ୟକ୍ତ କଲେ ଗାୟିକା ମାଲିନୀ ଅସ୍ବସ୍ଥୀ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀର କଳାକାରଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ସଫଳତାକୁ ଅନେକ ପ୍ରଡକ୍ସନ ହାଉସ ଏବଂ ନାମୀଦାମୀ କଳାକାର ସହ୍ୟ କରିପାରୁ ନ ଥିଲେ, ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ସମୟରେ ଅଣଦେଖା କରାଯାଉଥିଲା। ଏପରି କି ବିଭିନ୍ନ ପାର୍ଟି ଏବଂ କାର୍ଯ୍ୟକ୍ରମକୁ ତାଙ୍କୁ ଆମନ୍ତ୍ରଣ କରାଯାଉ ନ ଥିଲା, ଯେଉଁଥିପାଇଁ ସେ ମାନସିକ ସ୍ତରରେ ଆଘାତ ପାଇଥିଲେ। ଅଭିନେତ୍ରୀ କଙ୍ଗନା ରଣାଓତ ସୁଶାନ୍ତଙ୍କ ମୃତ୍ୟୁକୁ ଯୋଜନାବଦ୍ଧ ହତ୍ୟା ବୋଲି କହିଥିବାବେଳେ ଏବେ ଗାୟିକା ମାଲିନୀ ଅୱସ୍ଥୀ ଏକ ଭିଡିଓ ଶେୟାର କରି ବଲିଉଡରେ ଚାଲିଥିବା ନେପୋଟିଜମ(ଆତ୍ମୀୟ ତୋଷଣ)କୁ ବିରୋଧ କରିଛନ୍ତି। ଭିଡିଓରେ ଏକ ଆୱାର୍ଡ ଶୋ’ରେ ସୁଶାନ୍ତଙ୍କ ମଜାକ୍‌ ଉଡ଼ାଯାଇଥିବା ଦେଖିବାକୁ ମିଳିଛି, ଯେଉଁଥିରେ ସୁଶାନ୍ତ ବି ନିଜକୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଅନୁଭବ କରିଛନ୍ତି। ଏଭଳି କରିଛନ୍ତି ବଲିଉଡ୍‌ର ୨ ବଡ଼ ଅଭିନେତା ଶାହରୁଖ ଖାନ ଏବଂ ଶାହିଦ କପୁର।

ଭିଡିଓଟି ଆଇଫା ଆୱାର୍ଡ ସମାରୋହର। ଭିଡିରେ ଦେଖାଯାଉଛି ଯେ ଶାହରୁ ଏବଂ ଶାହିଦ ସୁଶାନ୍ତ ସିଂହ ରାଜପୁତଙ୍କୁ ମଞ୍ଚକୁ ଡକାଇଛନ୍ତି ଏବଂ ତାଙ୍କର ମଜାକ ଉଡ଼ାଇଛନ୍ତି। ସୁଶାନ୍ତ ସେମାନଙ୍କ କଥା ଶୁଣି ବିଚଳିତ ହେବା ସହିତ ପରିସ୍ଥିତିକୁ ଆଡ୍‌ଜଷ୍ଟ କରିବା ଲାଗି ମୁରୁକି ହସୁଛନ୍ତି। ଭିଡିଓଟି ପୁରୁଣା ହେଲେ ବି ସୁଶାନ୍ତଙ୍କ ମୃତ୍ୟୁ ପରେ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମାଲିନୀ ଅୱସ୍ଥୀ ଭିଡିଓକୁ ନିଜ ଟ୍ବିଟର ଆକାଉଣ୍ଟରେ ଶେୟାର କରି ବଲିଉଡ୍‌ ଇଣ୍ଡଷ୍ଟ୍ରୀକୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, ଯେବେଠାରୁ ଏହି ଭିଡିଓ ଦେଖିଛି, ସେବେଠାରୁ ହତଚକିତ ହୋଇପଡ଼ିଛି। ମନୋରଞ୍ଜନ ନାମରେ ଏହା ବୀଭତ୍ସ ରଙ୍ଗ ! ଆଙ୍କରିଂ ନାମରେ ବଡ଼ କଳାକାରମାନଙ୍କ ଦ୍ବାରା ଆୱାର୍ଡ ସେରିମନିରେ ଏପରି ନବାଗତ ଅଭିନେତା ସୁଶାନ୍ତଙ୍କୁ ଅପମାନିତ କରାଯିବା କେତେ ସ୍ବୀକାର୍ଯ୍ୟ ?

ମାଲିନୀଙ୍କ ଦ୍ବାରା କରାଯାଇଥିବା ପୋଷ୍ଟକୁ ଅନେକ ଲୋକ କମେଣ୍ଟ କରି ସମର୍ଥନ କରିଛନ୍ତି। ଆଉ କିଛି ଲୋକ ଏହା ପୂରା ଭିଡିଓ ନୁହେଁ, ଏହା ଏକ ଏଡିଟେଡ୍‌ ଭିଡିଓ। ଏହାର ସମ୍ପୂର୍ଣ୍ଣ ଭିଡିଓ ଦେଖିଲେ ହସ ଲାଗିବ। ଆୱାର୍ଡ ସେରିମନି ପାଇଁ ଏହା କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ କରାଯାଇଛି।

Comments are closed.