ଖଡ଼ଗେ ରାଜ୍ୟସଭାରେ ବିରୋଧୀଦଳ ନେତା

ନୂଆଦିଲ୍ଲୀ : ଗୁଲାମ ନବି ଆଜାଦଙ୍କ ସ୍ଥାନରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ହେବାକୁ ଯାଉଛନ୍ତି। ଖଡ଼୍‌ଗେଙ୍କୁ ଏହି ପଦରେ ଆସୀନ କରିବା ପାଇଁ କଂଗ୍ରେସ ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁଙ୍କ ନିକଟକୁ ଶୁକ୍ରବାର ପତ୍ର ଲେଖାଯାଇଥିବା କହିଛନ୍ତି ଦଳର ମହାସଚିବ କେ.କେ ବେଣୁଗୋପାଳ। କର୍ଣ୍ଣାଟକର ଏହି ନେତାଙ୍କୁ ଏବେ ୭୮ବର୍ଷ। ସାଂସଦ ଭାବେ ତାଙ୍କର ଅଭିଜ୍ଞତା ଓ ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ଯୋଗୁଁ ଦଳ ତାଙ୍କୁ ଏଥିପାଇଁ ମନୋନୀତ କରିଥିବା ପ୍ରକାଶ। ଖଡ଼ଗେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଲୋକସଭାରେ କଂଗ୍ରେସ ନେତା ଥିଲେ। ଫେବୃଆରୀ ୧୫ରେ ଆଜାଦଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ସହ ବିରୋଧୀଦଳ ନେତା ପଦ ଖାଲି ହୋଇଛି। ଏଥିନିମନ୍ତେ ଖଡ଼୍‌ଗେଙ୍କ ସହ ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମା ଓ ଦିଗ୍‌ବିଜୟ ସିଂହଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ୨୦୨୦ ଜୁନରେ ରାଜ୍ୟସଭାକୁ ନିର୍ବାଚିତ ଖଡ଼୍‌ଗେ ୨୦୧୯ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ଗୁଲ୍‌ବର୍ଗା ଆସନରୁ ବିଜେପିର ଉମେଶ ଯାଦବଙ୍କଠାରୁ ପରାଜିତ ହୋଇଥିଲେ। ପୂର୍ବରୁ ସେ କର୍ଣ୍ଣାଟକ ବିଧାନସଭାକୁ ୯ଥର ନିର୍ବାଚିତ ହୋଇଥିଲେ। ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ସମୟରେ ଖଡ଼୍‌ଗେ ବିରୋଧୀ ଦଳ ନେତା ପଦରେ ବସିବେ।

Comments are closed.