ମାଲେଗାଓଁ ବିସ୍ଫୋରଣ ମାମଲା : ହାଜତରେ ନିର୍ଯାତନା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଲେ.କର୍ଣ୍ଣେଲ ପୁରୋହିତ

0

ନୂଆଦିଲ୍ଲୀ : ମାଲେଗାଓଁ ବିସ୍ଫୋରଣ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତ ହାଜତରେ ତାଙ୍କ ଉପରେ ନିର୍ଯାତନାର ସ୍ୱତନ୍ତ୍ର ତଦନ୍ତ ଦାବି କରି ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉଲ୍ଲେଖ ଯେ ୨୦୦୮ ସେପ୍ଟେମ୍ବର ୨୯ରେ ମହାରାଷ୍ଟ୍ରର ମାଲେଗାଓଁରେ ଦୁଇଟି ସ୍ଥାନରେ ବୋମା ବିସ୍ଫୋରଣ ଘଟି ୮ ଜଣ ପ୍ରାଣ ହରାଇଥିବାବେଳେ ୮୦ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପୁରୋହିତଙ୍କ ସମେତ ସାଧ୍ୱୀ ପ୍ରଜ୍ଞାସିଂହ ଠାକୁର ଓ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜେଲରେ ୯ ବର୍ଷ ବିତାଇବା ପରେ ଗତବର୍ଷ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ପୁରୋହିତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଏହାପରେ ପୁରୋହିତ ଅଭିଯୋଗ କରିଥିଲେ ଯେ ୨୦୦୮ରେ ମୁମ୍ବଇ ଆତଙ୍କବାଦ ନିରୋଧ ଦଳ (ଏଟିଏସ୍‍) ତାଙ୍କୁ ଟେକି ନେଇ ହାଜତରେ ରଖି ନିର୍ଯାତନା ଦେଇଥିଲା। ଏକ ସ୍ୱତନ୍ତ୍ର ତଦନ୍ତ କାରୀ ଦଳ (ଏସ୍‍ଆଇଟି) ଦ୍ୱାର ଏହାର ତଦନ୍ତ କରାଯାଇ ସତ୍ୟ ଲୋକଲୋଚନକୁ ଅଣାଯାଉ ବୋଲି ସେ ଦାବି କରିଛନ୍ତି। ଫଳରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ଦେଇଛନ୍ତି। ଏକ ୨୪ ପୃଷ୍ଠା ସମ୍ବଳିତ ପତ୍ରରେ ସେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ନିଜ ନିର୍ଯାତନାର ଅଭିଯୋଗ କରିଛନ୍ତି।

Leave A Reply