ଭାରତର ସହାୟତାକୁ ପ୍ରତ୍ୟାଖ୍ୟାନ, ଚୀନ ସହଯୋଗ ନେଲା ମାଳଦ୍ୱୀପ

0

ନୂଆଦିଲ୍ଲୀ : ମାଳଦ୍ୱୀପରେ ପଡୋଶୀ ଦେଶ ଚୀନର କୂଟନୀତି ଆଗରେ ଭାରତ ଫିକା ପଡ଼ିଯାଇଛି। ଦେଶରେ ଦେଖାଯାଇଥିବା ରାଜନୈତିକ ସଙ୍କଟକୁ ଦୂର କରିବା ପାଇଁ ମାଳଦ୍ୱୀପ ଚୀନର ସହଯୋଗ ନେଇଥିବାବେଳେ ଭୋରତର ସହାୟତାକୁ ପ୍ରତ୍ୟାଖ୍ୟାନ କରିଛି। ଉଲ୍ଲେଖ ଯେ ଦୁଇ ଦେଶ ମଧ୍ୟରେ ରାଜିନାମା ଅନୁସାରେ ମାଳଦ୍ୱୀପର ସହାୟତା ପାଇଁ ଭାରତ ଏକ ହେଲିକପ୍ଟର ଓ ୫୦ ଜଣ ସୈନ୍ୟଙ୍କୁ ସେଠାକୁ ପଠାଇଥିଲା। ଗତ ଜୁନ୍‍ରେ ଏହି ରାଜିନାମା ଶେଷ ହୋଇଛି। ଏହି କ୍ରମରେ ହେଲିକପ୍ଟର ଏବଂ ସୈନ୍ୟଙ୍କୁ ତାଙ୍କ ଦେଶରୁ ଫେରାଇ ନେବା ପାଇଁ ମାଳଦ୍ୱୀପ ରାଷ୍ଟ୍ରଦୂତ ଭାରତୀୟ ବିଦେଶ ମନ୍ତ୍ରାଳୟକୁ କହିଛନ୍ତି। ମାଳଦ୍ୱୀପର ବିଭିନ୍ନ ଉଦ୍ୟୋଗରେ ନିବେଶ କରି ଚୀନ ନିଜ ପାଦୁର୍ଭାବ ବଢାଇଛି। ଏପଟେ ଭାରତର ଦବଦବା ସେଠାରେ ହ୍ରାସ ପାଇବାରେ ଲାଗିଛି। ଏବେ ମାଳଦ୍ୱୀପରେ ଭାରତର ଏକ ହେଲିକପ୍ଟର ଏବଂ ୫୦ ସୈନ୍ୟ ଅଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ ଚଳିତ ବର୍ଷ ଫେବୃଆରୀରେ ମାଳଦ୍ୱୀପ ସୁପ୍ରିମକୋର୍ଟ ବନ୍ଦୀ ଥିବା କେତେକ ପ୍ରମୁଖ ରାଜନେତାଙ୍କୁ ମୁକ୍ତ କରିବା ଲାଗି ନିର୍ଦେଶ ଦେଇଥିଲେ। ମାତ୍ର ରାଷ୍ଟ୍ରପତି ୟାମିନ ଏହାକୁ ଅଗ୍ରାହ୍ୟ କରିବା ପୂର୍ବକ ଦେଶରେ ଜରୁରୀ ପରିସ୍ଥିତି ଜାରି କରିଥିଲେ। ଜରୁରୀ ପରିସ୍ଥିତି ଜାରି ପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ଜଣେ ବରିଷ୍ଠ ବିଚାରପତିଙ୍କୁ ଗିରଫ କରାଯାଇଥିଲା।
ଏହାପରେ ମାଳଦ୍ୱୀପରେ ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ ଭାରତର ସହଯୋଗ ଲୋଡିଥିଲା ବେଳେ ବର୍ତ୍ତମାନର ରାଷ୍ଟ୍ରପତି ୟାମିନ ଚୀନର ସହଯୋଗ ଲୋଡିଥିଲେ। ରାଷ୍ଟ୍ରପତି ଅବଦୁଲ ୟାମିନଙ୍କ ନେତୃତ୍ୱ ମାଳଦ୍ୱୀପ ସରକାର ସହିତ ଚୀନର ସମ୍ପର୍କ ନିବିଡ ରହିଛି। ଏପରି କି ୟାମିନ ଚୀନ ସହିତ ବିବାଦୀୟ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ସ୍ୱାକ୍ଷର କରିଛନ୍ତି। ଫଳରେ ସେଠାରେ ଭାରତର ସହଯୋଗକୁ ପ୍ରତ୍ୟାଖାନ କରି ୟାମିନ ଚୀନର ସହଯୋଗ ନେଇଛନ୍ତି। ଜରୁରୀ ପରିସ୍ଥିତି ସମୟରେ ଭାରତ ମଳାଦ୍ୱୀପର ରାଜନୈତିକ ସଂକଟ ନେଇ ଚିନ୍ତା ବ୍ୟକ୍ତ କରିଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ଉଲ୍ଲେଖ ଯେ ମାଳଦ୍ୱୀପ ଭାରତର ଦକ୍ଷିଣ ପଶ୍ଚିମ ଭାରତୀୟ ମହାସାଗରରେ ଅବସ୍ଥିତ। ମାଳଦ୍ୱୀପରେ ଚୀନର ଅବସ୍ଥିତି ଭାରତ-ପ୍ରଶାନ୍ତମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବିଗାଡ଼ିବ ବୋଲି ଆମେରିକା ପୂର୍ବରୁ ଚେତାବନୀ ଦେଇଛି। ଭାରତୀୟ ମହାସାଗରର କୌଣସି ଦେଶ ଭାରତ ବିରୋଧରେ ସ୍ୱର ଉଠାଇନାହାନ୍ତି। ଏଭଳି ପରିସ୍ଥିିତିରେ ଭାରତର ସହାୟତାକୁ ମାଳଦ୍ୱୀପର ପ୍ରତ୍ୟାଖ୍ୟାନ ଓ ସେଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଚୀନର ଅବସ୍ଥିତି ଓ କାୟା ବିସ୍ତାର ଭାରତ ପାଇଁ ଚିନ୍ତାର କାରଣ ହୋଇଛି।

Leave A Reply