ସିଡିଏସ୍‍ ବିପିନ ରାୱତଙ୍କୁ ଅସମ୍ମାନର ପ୍ରତିବାଦ: ଇସଲାମ ଧର୍ମ ଛାଡିଲେ ମାଲୟାଲି ଚଳଚ୍ଚିତ୍ର ନିର୍ମାତା

ତିରୁଅନନ୍ତପୁରମ: ତାମିଲନାଡୁର କୁନ୍ନୁରଠାରେ ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ କିଛି ବ୍ୟକ୍‍ତି ଯେଉଁଭଳି ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି ତାହାକୁ ଦୃଢ ବିରୋଧ କରିଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଅଲି ଆକବର । ଏହାର ପ୍ରତିବାଦରେ ସେ ଓ ତାଙ୍କ ପତ୍ନୀ ଇସଲାମ ଧର୍ମ ଛାଡିବା ବିଷୟ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ସିଡିଏସ୍‍ ଶ୍ରୀ ରାୱତ ଓ ତାଙ୍କ ପତ୍ନୀଙ୍କ ନିଧନ ପରେ କିଛି ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ହସିବା ଇମୋଜି ଲଗାଇ ମନ୍ତବ୍ୟ ଦେଇଥିଲେ । ଏହାର ପ୍ରତିବାଦରେ ଆକବର ଟ୍ୱିଟ୍‍ କରି କହିଛନ୍ତି, ଜନ୍ମରୁ ସେ ଯେଉଁ ପୋଷାକ ପରିଧାନ କରିଆସୁଥିଲେ ତାହାକୁ ଏବେ ପରିତ୍ୟାଗ କରୁଛନ୍ତି । ଚିତ୍ର ନିର୍ମାତାରୁ ରାଜନେତା ପାଲଟିଥିବା ଆକବର ସଂପ୍ରତି ହିନ୍ଦ ନାମ ରାମସିଂହନରେ ପରିଚିତ ହେବେ । ଏହି ନାମ ସେ ନିଜ ପାଇଁ ବାଛିଛନ୍ତି । ତେବେ ତାଙ୍କର ଦୁଇ ଝିଅଙ୍କୁ ସେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବେ ନାହିଁ । ସେମାନେ ଚାହିଁଲେ ଏହା ଗ୍ରହଣ କରିବେ ବୋଲି ଆକବରରୁ ରାମସିଂହନ୍‍ ପାଲଟିଥିବା ଏହି ଚଳଚ୍ଚିତ୍ର ନିର୍ମାତା ତଥା ରାଜନେତା କହିଛନ୍ତି । ସାମାଜିକ ଗଣମାଧ୍ୟମରେ ସିଡିଏସ୍‍ ବିପିନ ରାୱତଙ୍କ ପ୍ରତି ଏଭଳି ଅପମାନଜନକ ମନ୍ତବ୍ୟକୁ କୌଣସି ଧର୍ମୀୟ ନେତା ନିନ୍ଦା ନକରିବା ତାଙ୍କୁ ଗଭୀର ଦୁଃଖ ଦେଇଥିବା ସେ କହିଛନ୍ତି ।

Comments are closed.