ମାଲାୟଲମ ଚଳଚ୍ଚିତ୍ର ନିର୍ଦେଶକ ଡେନିସ୍‌ ଜୋସେଫଙ୍କ ପରଲୋକ

ଥିରୁଭାନନ୍ଥପୂରମ: ହୃଦଘାତରେ ମାଲାୟଲମ ଚଳଚ୍ଚିତ୍ର ନିର୍ଦେଶକ ଡେନିସ ଜୋଶେଫଙ୍କ ପରଲୋକ ଘଟିଛି। ତାଙ୍କୁ ୬୩ ବର୍ଷ ହୋଇଥିଲା। ୮୦ ଏବଂ ୯୦ ଦଶକରେ ଅନେକ ଲୋକପ୍ରିୟ ସୁପରହିଟ୍‌ ଚଳଚ୍ଚିତ୍ର ପାଇଁ ସେ ନିର୍ଦେଶନା ଦେଇଥିଲେ। ଜୋସେଫଙ୍କ ନିର୍ଦେଶିତ ଚଳଚ୍ଚିତ୍ରରେ ଅଭିନୟ କରି ଅଭିନେତା ମାମୁଟୀ ଏବଂ ମୋହନଲାଲ ସୁପରଷ୍ଟାର ଆଖ୍ୟା ପାଇଛନ୍ତି।

ସୋମବାର ରାତିରେ ଜୋଶେଫ କୋଟ୍ଟାୟମସ୍ଥିତ ତାଙ୍କ ବାସଭବନରେ ଥିବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୮୦ ଦଶକରେ ଜୋଶେଫ ଜଣେ ଚଳଚ୍ଚିତ୍ର ସାମ୍ବାଦିକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଏକ ଚଳଚ୍ଚିତ୍ର ମାଗାଜିନ ପାଇଁ ପ୍ରଥମେ କାର୍ଯ୍ୟ କରୁଥିଲେ। ପରେ ସେ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଥିଲେ। ୪୫ଟି ଚଳଚ୍ଚିତ୍ର ପାଇଁ ସେ ସ୍କ୍ରିପ୍ଟ ଲେଖିଥିବାବେଳେ ୫ଟି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି। ୧୯୮୮ରେ ତାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ମାନୁ ଅଙ୍କଲ’କୁ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ମିଳିଥିଲା।

Comments are closed.