ଶିଳ୍ପପତିଙ୍କୁ ନବୀନଙ୍କ ଭରସା,ଦିଆଯିବ ସବୁ ସହାୟତା

0
‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’କୁ କଲେ ଆମନ୍ତ୍ରଣ

ଭୁବନେଶ୍ବର :  ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହୁଁଥିବା ନି​ବେଶକଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ। ରାଜ୍ୟରେ ଶିଳ୍ପ ସ୍ଥାପନ କ୍ଷେତ୍ରରେ ଅମାପ ସୁଯୋଗ ରହିଛି। ତେଣୁ ଶିଳ୍ପପତିମାନେ ଏଠାରେ ଉପଲବ୍‌ଧ ସୁବିଧା ସୁଯୋଗଗୁଡିକର ଅଭିଜ୍ଞତା ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନି​ବେଶକଙ୍କୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛନ୍ତି। ମୁମ୍ବଇଠାରେ ଅନୁଷ୍ଠିତ ନି​ବେଶକ ରୋଡ୍‌ ଶୋ’ରେ ଏ କ୍ଷେତ୍ରରେ ଶିଳ୍ପପତିଙ୍କୁ ସମସ୍ତ ପ୍ରକାର ସହାୟତାର ଭରସା ଦେଇଛନ୍ତି ନବୀନ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୁମ୍ବଇଠାରେ ଆଜି ପୃଥକ ଭାବେ ବିଶିଷ୍ଟ ଶିଳ୍ପପତିମାନଙ୍କୁ ​‌ଭେଟିଛନ୍ତି।
ଚଳିତବର୍ଷ ନଭେମ୍ବରରେ ରାଜ୍ୟରେ ହେବାକୁ ଥିବା ଦ୍ବିତୀୟ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ ପାଇଁ ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ ନିମନ୍ତେ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁମ୍ବଇରେ ଅନୁଷ୍ଠିତ ହୋଇଛି ନିବେଶକ ରୋଡ୍‌ ଶୋ’। ଏଥିପାଇଁ ଦୁଇଦିନ ହେବ ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକ ମୁମ୍ବଇ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ଆଜି ମୁଖ୍ୟମନ୍ତ୍ରୀ ଦେଶର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ମୁଖିଆଙ୍କୁ ଭେଟି ଓଡ଼ିଶାରେ ନିବେଶ ନିମନ୍ତେ ପ୍ରୋତ୍ସାହିତ କରିଛନ୍ତି। ଓଡ଼ିଶା ସରକାର ଏବଂ ଶିଳ୍ପ ସଂଘ ଫିକି ସହଯୋଗରେ ଚଳିତବର୍ଷ ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଦ୍ବିତୀୟ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ରେ ଅଂଶଗ୍ରହଣ କରିବାକୁ ନବୀନ୍‌ ଏହି ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଛନ୍ତି।
ମୁମ୍ବଇ ରୋଡ୍‌ ଶୋ’ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶିଳ୍ପପତିମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଲେ, ଦ୍ରୁତ ଅଭିବୃଦ୍ଧିକାରୀ ଓଡିଶା ହେଉଛି ପୂର୍ବଭାରତର ପ୍ରବେଶ ପଥ। ବୃହତ୍‌ ପ୍ରାକୃତିକ ସମ୍ବଳ, ଏକ ବିସ୍ତୃତ ସମୁଦ୍ର ଉପକୂଳ, ସୁନିଶ୍ଚିତ ଜଳ ଏବଂ ବିଜୁଳି ଯୋଗାଣ, ବନ୍ଦର ସୁବିଧା ସହ ଉତ୍ତମ ସଡକ ନେଟୱର୍କ ଓ ଯେଗାଯୋଗ ସୁବିଧା, ଯୁବ ଏବଂ ଦକ୍ଷ ମାନବ ସମ୍ବଳ ସହ ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ହେଉଛି ଓଡ଼ିଶାର ଶକ୍ତି। ଓଡ଼ିଶା ପୂର୍ବ ଭାରତର ଏକ ମାନୁଫାକ୍‌ଚରିଂ ହବ୍‌ରେ ପରିଣତ ହୋଇଛି। ରାଜ୍ୟକୁ ଦକ୍ଷିଣ ଏସିଆର ଏକ ମାନୁଫାକ୍‌ଚରିଂ ହବ୍‌ରେ ପରିଣତ କରିବାକୁ ତାଙ୍କ ସରକାର ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଶିଳ୍ପ ଅନୁକୂଳ ନୀତି ପ୍ରଣୟନ କରିବା ସହ ଉତ୍ତମ ଭିତ୍ତିଭୂମି ସୃଷ୍ଟି କରିଛନ୍ତି। ଏହି ଲକ୍ଷ୍ୟରେ ରାଜ୍ୟରେ ୧୮ ମହଲା ବିଶିଷ୍ଟ ଏକ ବିଶ୍ବସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରସ୍ତୁତ କରାଯାଉଛି। ୨୦୧୬ରେ ମୁମ୍ବଇ ଏବଂ ବେଙ୍ଗାଲୁରୁରେ ଅନୁଷ୍ଠିତ ‘ମେକ୍‌ ଇନ୍‌ ଓଡ଼ିଶା ନିବେଶକ ରୋଡ୍‌​‌ ଶୋ’​‌େ​‌ର ରାଜ୍ୟରେ ୩.୬୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକଳନ କରାଯାଇଥିଲା। ଏ ବାବଦରେ ରାଜ୍ୟ ସରକାରଙ୍କର ୧୨୪ଟି ପ୍ରସ୍ତାବ ହସ୍ତଗତ ହୋଇଥିଲା। ସେଥିରୁ ୨ ଲକ୍ଷ  କୋଟିର ପୁଞ୍ଜିନିବେଶ ରାଜ୍ୟ ସରକାରଙ୍କ ନିକଟରେ ବିଚାରାଧୀନ ରହିଛି। ଏଥିରୁ ବର୍ତ୍ତମାନ ଯାଏ ୬୫% ପ୍ରକଳ୍ପର ଅନୁମୋଦନ ଏବଂ କାର୍ଯ୍ୟାନ୍ବୟନ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଖଣିଜ ଦ୍ରବ୍ୟ, ଭିତ୍ତିଭୂମି, ପର୍ଯ୍ୟଟନ, ଫୁଡ୍‌ ପାର୍କ ଏବଂ ଲଜିଷ୍ଟିକ ଆଦି କ୍ଷେତ୍ରରେ ରାଜ୍ୟରେ ଉପଲବ୍‌ଧ ପୁଞ୍ଜିନିବେଶର ସୁଯୋଗ ନେବାକୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବତଟ ଅର୍ଥନୈତିକ କରିଡରରେ ଗଭୀର ଜଳ ବନ୍ଦର ସହ ମହାନଦୀରେ ନଦୀଭିତ୍ତିକ ବନ୍ଦର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏହାଛଡା ରାଜ୍ୟର ଅନ୍ୟ ୧୨ଟି ବନ୍ଦରକୁ ବିକାଶ କରିବାକୁ ଓଡ଼ିଶା ସରକାର ଗୁରୁତ୍ବ ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।​‌ ଏହି ରୋଡ୍‌ ଶୋ’ରେ ୩୦୦ରୁ ଅଧିକ ବୃହତ୍‌ କମ୍ପାନୀ ଅଂଶଗ୍ରହଣ କରିଛନ୍ତି।

Leave A Reply