ସଶକ୍ତ ହେବ ‘ମେକ୍‌ ଇନ୍‌ ଓଡ଼ିଶା’, ୬୦୯ କୋଟିର ୫ ପୁଞ୍ଜିନିବେଶ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ବର: ‘ମେକ୍‌ ଇନ୍‌ ଓଡ଼ିଶା’ ପଦକ୍ଷେପକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଧାତୁ, ଖାଦ୍ୟ ପ୍ରକ୍ରିୟାକରଣ, ଲଜିଷ୍ଟିକ୍‌ ଓ ଭିତ୍ତିଭୂମି କ୍ଷେତ୍ରରେ ୬୦୯ କୋଟି ଟଙ୍କାର ୫ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କୋଭିଡ୍‌-୧୯ ପରିପ୍ରେକ୍ଷୀରେ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି (ସିଙ୍ଗଲ୍‌ ୱିଣ୍ଡୋ କମିଟି) ବୈଠକରେ ଉପରୋକ୍ତ ପ୍ରସ୍ତାବଗୁଡ଼ିକ ଅନୁମୋଦିତ ହୋଇଛି । ଏହି ୫ଟି ନୂଆ ଶିଳ୍ପ ସଂସ୍ଥା ମାଧ୍ୟମରେ ପ୍ରାୟ ୧୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।  ଶିଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଏବଂ ସେସବୁରେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ସ୍ଥାପନକୁ ସୁନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଇଡ୍‌କୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.