MEllora 950×100

ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ

ଭଦ୍ରକରେ ୨୦୨୫ରୁ ବୟନଶିଳ୍ପ ପାର୍କ: ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର : ଭାରତୀୟ ତୈଳ ନିଗମ ସଂସ୍ଥା(ଆଇଓସିଏଲ) ପକ୍ଷରୁ ଭଦ୍ରକରେ ୧୯୦୦କୋଟି ଟଙ୍କା ବିନିଯୋଗରେ କେମିକାଲ ହବ୍ ପାଇଁ ଦୀର୍ଘଦିନ ହେଲାଣି ବୁଝାମଣା ହୋଇଛି। ହେଲେ ଉକ୍ତ ଶିଳ୍ପ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ସରକାରଙ୍କ ପ୍ରସ୍ତାବିତ ଡାଉନଷ୍ଟ୍ରିମ ଶିଳ୍ପ(ବୟନଶିଳ୍ପ ପାର୍କ) କାର୍ଯ୍ୟକାରୀ ହୋଇପାରୁ ନାହିଁ। ଆସନ୍ତା ୨୦୨୫ ବେଳକୁ ବୟନ ଶିଳ୍ପ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି।
ମଙ୍ଗଳବାର ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦେବ ଗଣମାଧ୍ୟମକୁ କହିଛନ୍ତି ଯେ, ଓଡ଼ିଶାର ଯୁବପିଢ଼ିଙ୍କୁ ଆଗାମୀ ଦିନରେ ସ୍ବାବଲମ୍ବୀ କରିବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ନେଇ ଶିଳ୍ପ ମହାକୁମ୍ଭ ଆୟୋଜନ କରାଯାଇଛି। ୧୯୩୬ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା। ଆସନ୍ତା ୨୦୩୬କୁ ୧୦୦ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି। ଏହି ସମୟ ବେଳକୁ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ମୂଳ ଲକ୍ଷ୍ୟ ପୂରଣ କରିବ ଏବଂ ଏକ ସ୍ବାବଲମ୍ବୀ ରାଜ୍ୟ ରୂପେ ପରିଗଣିତ ହେବ। ରାଜ୍ୟରେ ପ୍ରାକୃତିକ ସମ୍ପଦ ଭରପୂର ରହିଛି। ଏହାର ସୁବିନିଯୋଗ କରିବା ଲାଗି ସରକାର ଗୁରୁତ୍ବ ଦେଉଛନ୍ତି। ଆଗାମୀ ଦିନରେ ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଓ ଆଇଟି ଶିଳ୍ପକୁ ଗୁରୁତ୍ବ ଦିଆଯିବାକୁ ରହିଛି। ରାଜ୍ୟରେ ଇସ୍ପାତ ଓ ଆଲୁମିନିୟମ ଶିଳ୍ପର ଅପାର ସମ୍ଭାବନା ରହିଛି। ୨୦୨୮ ବେଳକୁ ଓଡ଼ିଶା ଦେଶର ପ୍ରଥମ ଉତ୍ପାଦନ ଭିତ୍ତିକ ରାଜ୍ୟ ରୂପେ ପରିଗଣିତ ହେବ।
ସେ କହିଥିଲେ ଯେ, ଏହି କନକ୍ଲେଭରେ ଭାଗ ନେବା ପାଇଁ ଏପର୍ଯ୍ୟନ୍ତ ୧୧,୬୦୦ରୁ ଅଧିକ ସଂସ୍ଥା ପଞ୍ଜୀକରଣ ଗ୍ରହଣ କରିସାରିଛନ୍ତି । କନକ୍ଲେଭରେ ୧୨୪ ଜଣ ବକ୍ତା ଭାଗ ନେବାକୁ ଯାଉଛନ୍ତି। ଆୟୋଜିତ ହେବାକୁ ଥିବା ଏହି କନକ୍ଲେଭରେ ୩୮ଟି କାର୍ଯ୍ୟକ୍ରମ ମଧ୍ୟ ନିର୍ଦ୍ଧାରଣ ହୋଇଛି। ଓଡ଼ିଶା ସରକାର ଏକ ବୃହତ ତଥା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ଯେଉଁଠାରେ ଏହି କନକ୍ଲେଭର ସଫଳ ନିରୂପଣ ହେବାକୁ ଯୋଜନା ଏବଂ କାର୍ଯ୍ୟକାରିତା ପାଇଁ ୨୨ଟି ବିଭାଗ ପକ୍ଷରୁ କାର୍ଯ୍ୟଭାର ଗ୍ରହଣ କରାଯାଇଛି। ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୨କୁ ଅଧିକରୁ ଅଧିକ ଲୋକଙ୍କୁ ଅବଗତ କରିବା ସହ ଏହାକୁ ତ୍ବରାନ୍ବିତ କରିବା ପାଇଁ ଗତ ତିନିମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ କୋଏମ୍ବାଟୁର, ଜାମସେଦପୁର, ଅହମ୍ମଦାବାଦ, ଲକ୍ଷ୍ନୌ, ନୂଆଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ ତଥା ବିଭିନ୍ନ ମେଟ୍ରୋ ସହର ଏବଂ ଦୁବାଇରେ ମଧ୍ୟ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏହି ସମସ୍ତ ରୋଡ୍-ଶୋରୁ ବହୁଳ ଭାବରେ ସକାରାତ୍ମକ ପ୍ରତିକ୍ରିୟା ପାଇବା ପରେ କନକ୍ଲେଭ କର୍ପୋରେଟ୍ ଇଣ୍ଡିଆରୁ ବହୁଳ ଭାବରେ ଅଂଶଗ୍ରହଣ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଏହି କନକ୍ଲେଭରେ ଜାପାନ ଓ ନରୱେର ଶିଳ୍ପ ଉଦ୍ୟୋଗୀ ଯୋଗଦେଇ ଥିବାବେଳେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବିଶି‌ଷ୍ଟ ଶିଳ୍ପପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ସମ୍ମିଳନୀରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ଯୋଗଦେଇ ଏହି ଶିଳ୍ପ ମହାକୁମ୍ଭ ରାଜ୍ୟର ଶିଳ୍ପାୟନକୁ ତ୍ବରାନ୍ବିତ କରିବ ସହିତ ଯୁବକଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇବାରେ ବିଶେଷ ସହାୟକ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂହ ପ୍ରମୁଖ ସାମିଲ ଥିଲେ।

Comments are closed.