MEllora 950×100

ସରିଲା ଶିଳ୍ପ ମହାକୁମ୍ଭ; ରାଜନୈତିକ ଆରୋପ ଓ ପ୍ରତ୍ୟାରୋପର ଝଡ଼

ଭୁବନେଶ୍ୱର: ଜନତା ମଇଦାନରେ ନଭେମ୍ବର ୩୦ରୁ ଆରମ୍ଭ ହୋଇଥିବା ମେକ୍ ଇନ୍ ଓଡ଼ିଶା-୨୦୨୨’ ତୃତୀୟ ସଂସ୍କରଣ ଉଦଯାପନୀ ଅବସରରେ ଆଜି ଜନସାଧାରଣଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ଶିଳ୍ପ ମହାକୁମ୍ଭ ଓଡ଼ିଶା ପାଇଁ ନୂତନ ଆଶା ସଞ୍ଚାର କରିଛି। ଏହାଦ୍ବାରା ଆଗାମୀପିଢ଼ିଙ୍କ ଭବିଷ୍ୟତ ନିଶ୍ଚିତ ହେବ। ଓଡ଼ିଶା ଦେଶର ପ୍ରଥମ ଶିଳ୍ପ ‘ହବ୍’ ରାଜ୍ୟ ଭାବେ ପରିଗଣିତ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସର ବିରୋଧାଭାଷ ଦେଖିବାକୁ ମିଳୁଛି। ଏହି ଶିଳ୍ପ ମହାକୁମ୍ଭ କେବଳ ରାଜ୍ୟ ସରକାରଙ୍କ ଲୋକଦେଖାଣିଆ। ବଡ଼ ବଡ଼ ଶିଳ୍ପପତିଙ୍କୁ ଆଣି ରାଜ୍ୟ ସରକାର ନିଜର ପ୍ରଶଂସା ସାଉଁଟୁଛନ୍ତି ବୋଲି ବିରୋଧୀଦଳ କହୁଥିବା ବେଳେ ସରକାରଙ୍କ ପକ୍ଷରୁ ଏହା ଯୁବପିଢ଼ିଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି କୁହାଯାଇଛି।

ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଶିଳ୍ପ ସମୃଦ୍ଧ ଓ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ କେବଳ କାଗଜକଲମରେ ସୀମିତ। ପୂର୍ବରୁ ଦୁଇ ଦୁଇଟି ମେକ୍ ଇନ୍ ଓଡ଼ିଶା କନକ୍ଳେଭ ରାଜ୍ୟ ସରକାର ଆୟୋଜନ କରି ରାଜକୋଷରୁ ବିପୁଳ ଅର୍ଥ ଶ୍ରାଦ୍ଧ କରିଛନ୍ତି। ହେଲେ ପୋସ୍କୋ ଓ ମିତ୍ତଲ ଭଳି ବୃହତ୍ କମ୍ପାନୀ ସରକାରଙ୍କ ମାୟାଜାଲରେ ନପଡ଼ି ଫେରି ଯାଇଛନ୍ତି। ରାଜ୍ୟ ସରକାର ଶିଳ୍ପଗୋଷ୍ଠୀଙ୍କୁ ଯେଉଁ ଆଶା ଦେଖାଉଛନ୍ତି ତାହାକୁ ଠିକଣା ସମୟରେ ପୂରଣ କରିପାରୁ ନାହାନ୍ତି। ଠିକ୍ ସମୟରେ ଜମି ଯୋଗାଇ ପାରୁ ନଥିବାବେଳେ ଜନସାଧାରଣଙ୍କ ବିରୋଧାଭାସକୁ ଶିଳ୍ପପତିମାନେ ସାମନା କରିପାରୁ ନାହାନ୍ତି।

ଚଳିତ ମେକ୍ ଇନ୍ ଓଡ଼ିଶା ସଂସ୍କରଣରେ ମୁଖ୍ୟମନ୍ତ୍ରୀ ଯେଉଁ ୧୦.୫୦ଲକ୍ଷ କୋଟିର ନିବେଶ ସୁଯୋଗ ସ୍ବପ୍ନ ଦେଖାଇଛନ୍ତି ତାହା କେବଳ ଧୂଆଁବାଣରେ ପରିଣତ ହେବ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଜରିଆରେ ରାଜ୍ୟ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ଯେଉଁ ଶିଳ୍ପପତିମାନେ ଓଡ଼ିଶା ଆସିବାର ସ୍ବୀକାରୋକ୍ତି ଦେଇଛନ୍ତି ସେମାନେ କେବଳ ଖଣିଜ ସମ୍ପଦ ଲୁଟ୍ କରିବା ପାଇଁ ଆସିବେ। ପୂର୍ବରୁ ଦୁଇ ଦୁଇଟି ଶିଳ୍ପ ମହାକୁମ୍ଭ ହୋଇଛି। ହେଲେ ଖଣିଜ ସମ୍ପଦ ଭରା ଜିଲାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ସ୍ଥିତି କହିଲେ ନସରେ। ଯେପର୍ଯ୍ୟନ୍ତ ରାଜ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ନହୋଇଛି ସେପର୍ଯ୍ୟନ୍ତ ଶିଳ୍ପ ମହାକୁମ୍ଭର ଲାଭ ଗରିବଙ୍କ ପାଖରେ ପହଞ୍ଚି ପାରିବ ନାହିଁ। କେବଳ କେତେକ ବଡ଼ବଡ଼ିଆ ଏହାର ଫାଇଦା ଉଠାଇବେ।

ଅନ୍ୟପକ୍ଷରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ, ବିରୋଧୀମାନେ କେବଳ ତାଙ୍କ ଭୂମିକା ନିର୍ବାହ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଶିଳ୍ପପତିଙ୍କ କେତେ ଭରସା ତାହା ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨’ରୁ ଲକ୍ଷ୍ୟ କରାଯାଇଛି। ନବୀନ ଯେଉଁଠି ବିଶ୍ବାସ ସେଇଠି ବୋଲି ଜିନ୍ଦଲ ଗ୍ରୁପ୍, ବେଦାନ୍ତ ଓ ମିତ୍ତଲ ଗ୍ରୁପ୍ ପକ୍ଷରୁ କୁହାଯାଇଛି। ଚଳିତ ସଂସ୍କରଣରେ ଯେଉଁ ୧୦.୫୦ଲକ୍ଷ କୋଟି ଟଙ୍କାର ନିବେଶ ସ୍ବୀକୃତି ମିଳିଛି ତାହା ଆଗାମୀ ଦିନରେ ରାଜ୍ୟର ଯୁବପିଢ଼ିଙ୍କ ଭବିଷ୍ୟତକୁ ନିଶ୍ଚିତ କରିବ। ଓଡ଼ିଶାର ଦକ୍ଷ ଯୁବକଯୁବତୀ ଯେଭଳି ପଡୋଶୀ ରାଜ୍ୟକୁ ନଯାଇ ସ୍ବରାଜ୍ୟରେ ନିଜର ଭବିଷ୍ୟତ ପୂରଣ କରିବେ ତାହା ପ୍ରମାଣିତ ହେବ।

୨୦୧୬ ମେକ୍ ଇନ୍ କନକ୍ଲେଭରେ ରାଜ୍ୟ ସରକାରଙ୍କୁ ୨ଲକ୍ଷ କୋଟି ଟଙ୍କାର ସ୍ବୀକୃତି ମିଳିଥିବାବେଳେ ତା’ର ୩୩ ପ୍ରତିଶତ କାର୍ଯ୍ୟାନ୍ବୟନ ହୋଇଛି। ସେହିପରି ଦ୍ବିତୀୟ ସଂସ୍କରଣରେ ୪୨ ପ୍ରତିଶତ ଶିଳ୍ପ କାର୍ଯ୍ୟାନ୍ବୟନ ହୋଇଛି। ଜାତୀୟସ୍ତରରେ କାର୍ଯ୍ୟାନ୍ବୟନ ହାର ୧୮ରୁ ୨୦ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହା ଦୁଇଗୁଣରୁ ଅଧିକ ରହିଛି। ଚଳିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୭୪୧ ନିବେଶକ ଯେଉଁ ସାଢ଼େ ୧୦ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ଦେଇଛନ୍ତି ଯଦି ତା’ର ଅଧା ପୂରଣ ହୁଏ ତେବେ ଓଡ଼ିଶାରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ହେବ। ପୂର୍ବରୁ ବିଶିଷ୍ଟ ଶିଳ୍ପପତିମାନେ କର୍ଣ୍ଣାଟକ, ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶକୁ ନିଜର ପସନ୍ଦଯୋଗ୍ୟ ସ୍ଥାନ ଭାବେ ଚିହ୍ନଟ କରୁଥିବାବେଳେ ଏବେ ଓଡ଼ିଶା ହୋଇଛି ସେମାନଙ୍କ ପ୍ରଥମ ପସନ୍ଦ।

Comments are closed.