‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ୨୦୧୮’ – ଲେଖିବ ବିକାଶର ନୂଆ ଅଧ୍ୟାୟ

0

ଭୁବନେଶ୍ୱର: ବିଶ୍ୱ ନିବେଶ ମାନଚିତ୍ରରେ ଓଡ଼ିଶା ତାର ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛି। ରାଜ୍ୟର ଭବିଷ୍ୟତ ଓ ଶିଳ୍ପାୟନ ବିକାଶରେ ଏହି ଉଦ୍ୟମ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ‘ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍-୨୦୧୮’ ଦେଶବିଦେଶର ନିବେଶକଙ୍କ ପାଇଁ ଅପୂର୍ବ ସୁଯୋଗ ଆଣି ଦେଇଛି। ଆଗାମୀ ୧୧ ତାରିଖଠାରୁ ଏଠାରେ ଆରମ୍ଭ ହେଉଥିବା ୫ ଦିନିଆ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କନ୍‍କ୍ଲେଭ୍‍ ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। କନ୍‍କ୍ଲେଭ୍‍ରେ ଭାଗ ନେବାକୁ ଥିବା ସମସ୍ତ ଦେଶର ପ୍ରତିନିଧି ଓ ଅତିଥିଙ୍କ ସହିତ ସେ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ସହିତ ଭୁବନେଶ୍ୱରକୁ ନିମନ୍ତ୍ରଣ କରିଛନ୍ତି।


ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏହି ମେଗା ସମାରୋହରେ ଦେଶ ବିଦେଶର ୮୦୦ ଜଣ ନିବେଶକ ଭାଗ ନେଉଛନ୍ତି। ସମାରୋହରେ ବ୍ୟାଙ୍କିଙ୍ଗ, ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୧୫୦ ଜଣ ବିଶେଷଜ୍ଞ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିବେ। ସେମାନଙ୍କର ମତାମତ ଓ ପରାମର୍ଶ ଆଧାରରେ ଓଡ଼ିଶାର ବିକାଶ ପାଇଁ ବ୍ଳୁପ୍ରିଣ୍ଟ ପ୍ରସ୍ତୁତ ହେବ। ବିଶେଷଜ୍ଞଙ୍କ ମଧ୍ୟରେ ଦେଶର ଶ୍ରେଷ୍ଠ ଧନୀ ଓ ସଫଳ ଶିଳ୍ପପତି ରିଲାଏନ୍ସ ଗ୍ରୁପ୍‍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ୍‍ ଅଗ୍ରୱାଲ୍‍, ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍‍ ବିର୍ଲା, ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର, ବନ୍ଧନ ବ୍ୟାଙ୍କର ଅଧ୍ୟକ୍ଷ ହରୁନ ରଶିଦ୍‍ ଖାନ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜିନେସ୍‍ ଲିଡରସିପ୍‍ ସେସନ୍‍ରେ ମୁକେଶ ଅମ୍ବାନୀ ସଭାପତିତ୍ୱ କରିବେ।
ପ୍ରାପ୍ତ ସୂଚନା ଅନୁଯାୟୀ, ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ରେ ଜାପାନ୍‍ ମୁଖ୍ୟ ସହଯୋଗୀ ରହିଛି। ନଭେମ୍ବର ୧୨ ତାରିଖ ସମ୍ପୂର୍ଣ୍ଣ ରୂପେ ଜାପାନ୍‍ ନିବେଶକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଜାପାନ୍‍ରେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ସେଠାରେ ରୋଡ୍‍ ଶୋ କରାଯାଇଥିଲା। ଏତଦ୍‍ବ୍ୟତୀତ ଫ୍ରାନ୍ସ, ରୁଷିଆ, ଇଟାଲୀ, ଜର୍ମାନୀ, ଦକ୍ଷିଣକୋରିଆର ପ୍ରତିନିଧି ଓ ନିବେଶକମାନେ କନ୍‍କ୍ଲେଭ୍‍ରେ ଭାଗ ନେବାକୁ ଆସୁଛନ୍ତି।


ସୂଚନାଯୋଗ୍ୟ, ପୂର୍ବ ଭାରତରେ ଓଡ଼ିଶା ଏକ ଶିଳ୍ପସମୃଦ୍ଧ ରାଜ୍ୟ ଭାବେ ଉଭା ହେବାକୁ ଯାଉଥିବା ବେଳେ ଖୁବ ଶୀଘ୍ର ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ଐତିହାସିକ ଦୁଇ ଅଙ୍କ ସ୍ପର୍ଶ କରିବ ବୋଲି ଆକଳନ କରାଯାଇଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସର୍ବୋତ୍କୃଷ୍ଟ ଶିଳ୍ପ ଅନୁକୂଳ ବାତାବରଣ ଓ ସ୍ୱଚ୍ଛ ଶିଳ୍ପ ନୀତି ରହିଥିବା ରାଜ୍ୟ ସରକାର କହିଛନ୍ତି। ଏହି ପରିପ୍ରେକ୍ଷୀରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା କହିଛନ୍ତି ଯେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇ ଦେବେ। ଏଥିସହିତ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ପାଇଁ ଏକ ଅନୁକୂଳ ଅର୍ଥନୈତିକ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି। ରାଜ୍ୟରେ ଶିଳ୍ପ ବିକାଶ ପାଇଁ ମୁଖ୍ୟତଃ ୬ଟି କ୍ଷେତ୍ରକୁ ଚିହ୍ନଟ କରାଯାଇଛି। ଏଥିରେ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଲକ୍ଷ୍ୟ ପୂରଣ ହେଲେ ୨୦୨୫ ସୁଦ୍ଧା ୩୦ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Leave A Reply