ଆଗକୁ ମକର, ମାନ୍ଦା ଗୁଡ଼ି ବେପାର

ଭୁବନେଶ୍ୱର: ଆସୁଛି ମକର ସଂକ୍ରାନ୍ତି। ହେଲେ ଆକାଶରେ ନାହିଁ ରଙ୍ଗବେରଙ୍ଗର ଗୁଡ଼ି କି ଶୁଭୁନାହିଁ ପଡ଼ିଆରେ ପିଲାଙ୍କ କୋଳାହଳ। କରୋନାକୁ ନେଇ ଏବେବି ଲୋକେ ଭୟଭୀତ। ତେଣୁ ଗୁଡ଼ି ବ୍ୟବସାୟ ଉପରେ ସିଧାସଳଖ କରୋନା ମାଡ଼ ମାରିଛି କହିଲେ ଭୁଲ୍‌ ହେବ ନାହିଁ। ଦିନକୁ ମାତ୍ର ୨୦ କି ୨୫ ଟଙ୍କାର ବେପାର ହେଉଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଗୁଡ଼ି ବଜାରରେ ଏତେଟା ବେପାର ନାହିଁ ବୋଲି କହିଛନ୍ତି ୟୁନିଟ୍‌ ୧ ମାର୍କେଟ୍‌ର ଗୁଡ଼ି ବେପାରୀ ଅମୃତ ବିଲା।

ପ୍ରତିବର୍ଷ ମକର ସଂକ୍ରାନ୍ତିର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଯାଏ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ। ବଜାରରେ ମଧ୍ୟ ଭଳିକି ଭଳି ଚାହିଦା ଅନୁସାରେ ଗୁଡ଼ି ବିକ୍ରି ହୋଇଥାଏ। ରାସ୍ତା ଘାଟ ଏବଂ ପଡ଼ିଆରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ମଧ୍ୟ କରାଯାଏ। ଚଳିତ ବର୍ଷ ଏସବୁ ପ୍ରାୟ ଫିକା ପଡ଼ିଯାଇଛି। କରୋନା ମହମାରୀର ଭୟାବହତା ଯୋଗୁଁ ବଜାରରେ ଅଧିକ ଗୁଡ଼ି ଦୋକାନ ଦେଖିବାକୁ ମିଳୁନାହିଁ। ଏଥର ବଜାରରେ ଗୁଡ଼ିର ଚାହିଦା ପୂର୍ବ ବର୍ଷ ତୁଳନାରେ କମ୍‌ ରହିଛି। ବିଶେଷକରି ସହର​‌େ​‌​‌ର ଗୁଡ଼ି ଦୋକାନ ସଂଖ୍ୟା ମଧ୍ୟ କମିଯାଇଛି।
ସହରୀ ପିଲାଙ୍କର ଗୁଡ଼ି ଉଡ଼ା ପ୍ରତି ଆଗ୍ରହ ରହୁନାହିଁ। ସଂକ୍ରାନ୍ତିର ୫ଦିନ ଆଗରୁ ଦୋକାନ କରିଥିଲେ ମଧ୍ୟ କାଁ ଭାଁ ଲୋକ ଏବଂ ପିଲାମାନେ ଆସୁଛନ୍ତି। ଏ ବର୍ଷ ଭଲ ବିକ୍ରି ନ ହେବାରୁ କ୍ଷତି ସହିବାକୁ ପଡୁଛି ବୋଲି କହିଛନ୍ତି ଅନ୍ୟ ଜଣେ ଗୁଡ଼ି ଦୋକାନୀ ରାମ ପ୍ରଧାନ।

ପୂର୍ବ ବର୍ଷ ଗୁଡ଼ି ଦୋକାନ କରିଥିବା ଜଣେ ଦୋକାନୀଙ୍କ କହିବା ଅନୁସାରେ ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ମୋଦୀ ଏବଂ କରୋନା ଗୁଡ଼ି ବିକ୍ରି ହେଉଛି। ଆଶା ଥିଲା ଆମେ ମଧ୍ୟ ସେସବୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିବୁ। କରୋନା ଯୋଗୁଁ ପରିବହନ ବନ୍ଦ ରହିଥିବାରୁ ଅନ୍ୟ କିଛି ଉପାୟ ନାହିଁ। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ସମୀର ସାହୁ କହିଛନ୍ତି କରୋନା ପାଇଁ ବାହାରକୁ ଆସିବାକୁ ଘର ଲୋକ ମନା କରୁଛନ୍ତି। ଛାତ ଉପରେ ଖେଳିବା ମଧ୍ୟ ବିପଜ୍ଜନକ। ସଠିକ୍‌ ଭାବେ ଗୁଡ଼ି ଖେଳ ଜଣାନାହିଁ। ତେଣୁ ଖେଳିବାରେ କୌଣସି ଆଗ୍ରହ ନାହିଁ।

Comments are closed.