ମକର ସଂକ୍ରାନ୍ତି

ଓଡ଼ିଶାରେ ଯେପରି ମହାବିଷୁବ ସଂକ୍ରାନ୍ତିଠାରୁ ବର୍ଷ ଆରମ୍ଭ ହୁଏ, ଦକ୍ଷିଣରେ ମକର ସଂକ୍ରାନ୍ତି ଠାରୁ ବର୍ଷ ଆରମ୍ଭ ହୁଏ। ଏହିଦିନ ଦକ୍ଷିଣ ଭାରତର ପ୍ରତ୍ୟେକ ପରିବାର ଉତ୍ସବକୁ ବେଶ୍ ଆନନ୍ଦ, ଉଲ୍ଲାସରେ ପାଳନ କରିଥାନ୍ତି। ଘରଦ୍ବାରକୁ ଭଲଭାବେ ପରିଷ୍କାର କରି ଦାଣ୍ଡ ଦୁଆରେ ମୁରୁଜ, ଚିତା ପକାଇ ଅତିଥିଙ୍କୁ ସ୍ବାଗତ କରାଯାଏ। ୩ଦିନ ବ୍ୟାପୀ ଏହି ପର୍ବକୁ ପାଳନ କରାଯିବା ସହ ଏଇ ସମୟରେ ସେମାନେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରନ୍ତି। ପର୍ବର ପ୍ରଥମଦିନ ପ୍ରତ୍ୟେକ ପରିବାରରେ ବିଭିନ୍ନ ପ୍ରକାରର ପିଠାପଣା ତିଆରି ହୁଏ। ଏ ଦୁଇଦିନ ଯାକ ସେମାନେ ନିରାମିଷ ଭୋଜନ କରନ୍ତି। ପର୍ବର ତୃତୀୟ ଦିନ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟମାନେ ଆମିଷ ଆହାର କରି ଉତ୍ସବ ପାଳନ୍ତି। ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ। ଆଲୋକ ଓ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁ ଗୃହସ୍ଥମାନେ ଏ ସଂକ୍ରାନ୍ତିରେ ପୂଜାର୍ଚ୍ଚନା କରନ୍ତି।

ଓଡ଼ିଶାରେ ମକର ସଂକ୍ରାନ୍ତି ଦିନ ଲୋକେ ଘରେ ଗୃହଦୋଷ ଶାନ୍ତ କରିବା ପାଇଁ ହୋମ କରନ୍ତି। ଆମ ଓଡ଼ିଆ ଘରେ ଏଇ ଦିନ ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, ଦୁଧ ଇତ୍ୟାଦି ମିଶାଇ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଦେବଦେବୀଙ୍କ ପାଖେ ଅର୍ପଣ କରାଯାଏ। ଏହି ଭୋଗକୁ ‘ମକର ଚାଉଳ’ କୁହାଯାଏ। ମକର ସଂକ୍ରାନ୍ତିରେ କେତେକ ତୀର୍ଥ ସ୍ଥାନରେ ବୁଡ଼ ପକାଇବାର ବିଧି ଅଛି।

Comments are closed.