ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କବାଦୀ

ଶ୍ରୀନଗର : କାଶ୍ମୀର ସୀମାନ୍ତ ଆରପଟ ଲଞ୍ଚପ୍ୟାଡ୍‌ରେ ଭାରତକୁ ଅନୁପ୍ରବେଶ ପାଇଁ ପ୍ରାୟ ୩୦୦ ଆତଙ୍କବାଦୀ ଅପେକ୍ଷା କରିଛନ୍ତି। ସୀମାନ୍ତରେ ଅନୁପ୍ରବେଶ ଉଦ୍ୟମବେଳେ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା ପରେ ଏହି ସୂଚନା ମିଳିଛି। ସେହିପରି ଉତ୍ତର ଓ କେନ୍ଦ୍ରୀୟ କାଶ୍ମୀରରେ ଆତଙ୍କବାଦୀମାନେ ପୁଲୱାମା ଭଳି ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ଏ ନେଇ ସମଗ୍ର ଅଞ୍ଚଳରେ ସତର୍କତା ଜାରି କରାଯାଇଛି। ବାରମୂଳାଠାରେ ଜିଓସି ୧୯ ଇନ୍‌ଫାଣ୍ଟ୍ରି ଡିଭିଜନ୍‌ର ମେଜର ଜେନେରାଲ୍ ବୀରେନ୍ଦ୍ର ବତ୍ସ ଅନୁପ୍ରବେଶ ସମ୍ପର୍କରେ କହିଛନ୍ତି ଯେ ନିୟନ୍ତ୍ରଣ ରେଖା ଆରପଟ ଲଞ୍ଚ୍‌ପ୍ୟାଡ୍‌ ୨୫୦ରୁ ୩୦୦ ଆତଙ୍କବାଦୀ ଭାରତକୁ ପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।
ଶନିବାର ଭାରତୀୟ ଯବାନମାନେ ନୌଗାଓଁ ସେକ୍ଟର୍‌ ନିକଟରେ ପାକିସ୍ତାନୀ ପୋଷ୍ଟ୍‌ ପାଖରେ ଏମାନଙ୍କ ସନ୍ଦିଗ୍ଧ ଯାତାୟାତ ଲକ୍ଷ୍ୟ କରିଛନ୍ତି। ସେଠାରେ ତାର ବାଡ଼ କାଟି ଅନୁପ୍ରବେଶ ଉଦ୍ୟମ ଚଳାଇଥିବା ଦୁଇ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଗୁଳି ବିନିମୟରେ ଏହି ଦୁଇ ଆତଙ୍କବାଦୀଙ୍କୁ ହତ୍ୟା ସହ ଘଟଣାସ୍ଥଳରୁ ଦୁଇଟି ଏ. କେ. ଆସଲ୍ଟ୍‌ ରାଇଫଲ୍ ବୋଝେଇ ହୋଇଥିବା ୧୨ ମାଗାଜିନ୍, ଗୋଟିଏ ପିସ୍ତଲ ଓ କେତେକ ଗ୍ରେନେଡ୍ ଉଦ୍ଧାର କରାଯାଇଛି। ଏଥିସହିତ ସେମାନଙ୍କଠାରୁ ଦେଢ଼ ଲକ୍ଷ ଟଙ୍କାର ଭାରତୀୟ ଏବଂ ପାକିସ୍ତାନୀ ମୁଦ୍ରା ଜବତ କରାଯାଇଛି। ଉତ୍ତର ଓ କେନ୍ଦ୍ରୀୟ କାଶ୍ମୀର ଅଞ୍ଚଳରେ ଆତଙ୍କବାଦୀମାନେ ପୁଲୱାମା ଶୈଳୀରେ କାର୍ ବୋମା ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ସୂଚନା ପାଇ ଶ୍ରୀନଗର-ବାରମୂଳା ରାଜପଥ, ସପୋର ଓ ହଣ୍ଡୱାରାରେ ସତର୍କତା ଜାରି ହୋଇଛି। ଲସ୍କର-ଏ-ତଏବା ବାରମୂଳାର ପଟ୍ଟନ ଅଞ୍ଚଳରୁ ଶ୍ରୀନଗର ଉପକଣ୍ଠ ଏଚ୍ଏମ୍‌ଟି ରାସ୍ତାରେ ଆମ୍ବୁଲାନ୍‌ସ୍‌ ବ୍ୟବହାର ପୂର୍ବକ ବଡ଼ଧରଣର ଆକ୍ରମଣ ଯୋଜନା କରୁଥିବା ସୂଚନା ମିଳିଛି। ରହମନ୍ ଭାଇ ନାମକ ଜଣେ ବିଦେଶୀ ଆତଙ୍କବାଦୀ ଏହି ଯୋଜନାର ନେତୃତ୍ବ ନେଉଥିବା ଜଣାଯାଇଛି।

Comments are closed.