ସୁରକ୍ଷା କର୍ମୀଙ୍କ ଗୁଳିରେ ୧୧ ମାଓବାଦୀ ମୃତ

0

ସୁକମା : ଛତିଶଗଡ଼ ସୁକମା ଜିଲାରେ ଶନିବାର ସକାଳେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୧୧ ମାଓବାଦୀ ପ୍ରାଣ ହରାଇଛନ୍ତି। ଦୁଇ ମାଓବାଦୀଙ୍କ ଶବ ଉଦ୍ଧାର କରାଯାଇଛି । ଏହି ମାଓବାଦୀମାନେ ମାଓ ୟୁନିଫର୍ମରେ ଥିଲେ ବୋଲି ପୁଲିସ୍‌ ସୂଚନା ଦେଇଛି । ପୁଲିସ୍‌ ସେଠାରେ ଏକ ମାଓ କ୍ୟାମ୍ପକୁ ଧ୍ୱଂସ କରିଦେଇଛି । ସେଠାରୁ ୧୧ ବନ୍ଧୁକ, ଗୋଳାବାରୁଦ ସମେତ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ବସ୍ତର ଆଇଜି ବିବେକାନନ୍ଦ ସିଂହ ଏବଂ ଡିଆଇଜି ସୁନ୍ଦରରାଜ କହିଛନ୍ତି ଯେ ବୁରକାପାଳ ଜଙ୍ଗଲରେ ମାଓବାଦୀମାନେ ଏକ ଶିବିର ସ୍ଥାପନ କରିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଡିଆରଜି ଏବଂ ଡିଏଫର ମିଳିତ ବାହିନୀକୁ ସେଠାକୁ ପଠାଯାଇଥିଲା । ସୁରକ୍ଷା କର୍ମୀ ଯୋଜନା ଅନୁସାରେ ମାଓ ଶିବିରକୁ ଚାରି ପାଖରୁ ଘେରି ଯାଇଥିଲେ । ସୁରକ୍ଷା କର୍ମୀଙ୍କ ଉପସ୍ଥିତି ଅନୁଭବ କରିବା ପରେ ମାଓବାଦୀମାନେ ବାହାରକୁ ବାହାରି ଆଖିବୁଜା ଗୁଳି ମାଡ଼ କରିଥିଲେ । ପୁଲିସ୍‌ କର୍ମୀମାନେ ନିଜ ମୋର୍ଚ୍ଚା ସମ୍ଭାଳି ମାଓବାଦୀଙ୍କ ସହ ଗୁଳି ବିନିମୟ କରିଥିଳେ। ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଏଥିରେ ୧୧ ଜଣ ପ୍ରାଣ ହରାଇବା ପରେ ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ତଲାସୀରୁ ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀର ଶବ ମିଳିଛି । ତେବେ ଘଟଣାସ୍ଥଳରୁ ଜବତ ୧୧ ବନ୍ଧୁକ, ସଂଘର୍ଷସ୍ଥଳର ପାରିପାର୍ଶ୍ବିକ ଅବସ୍ଥିତି, ରକ୍ତ ଚିହ୍ନ ଏବଂ ଶବ ଘୋଷାରି ନେବାର ଚିହ୍ନରୁ ଗୁଳି ବିନିମୟରେ ଅନ୍ୟୁନ ୧୧ ଜଣ ମାଓବାଦୀ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଥିବା ଅନୁମାନ କରାଯାଉଛି । ନିଜ ସାଥୀଙ୍କ ଶବ ମାଓବାଦୀମାନେ ବୋହି ନେବାରେ ସଫଳ ହୋଇଛନ୍ତି । ସଂଘର୍ଷସ୍ଥଳରେ ମାଓବାଦୀମାନେ କଦାପି ବନ୍ଧୁକ ଛାଡନ୍ତି ନାହିଁ । ଘଟଣାସ୍ଥଳରୁ ୧୧ ବନ୍ଧୁକ ମିଳିଥିବାରୁ ଗୁଳି ବିନିମୟରେ ୧୧ ମାଓବାଦୀ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।

Leave A Reply