ହାଜର ହେଲେ ୬ ପଟ୍ଟାଧାରୀ

0

କେନ୍ଦୁଝରଗଡ/କେନ୍ଦୁଝର : ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ କେନ୍ଦୁଝର ଜିଲାରେ ହୋଇଥବା ବହୁଚର୍ଚ୍ଚିତ ଖଣି ମହାଦୁର୍ନୀତିର ଜୋରିମାନା ଦାଖଲ କରିନଥିବା ୩୧ଟି ଖଣିର ୨୩ଲିଜ୍‍ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି ଶନିବାର ଜିଲାପାଳଙ୍କ କୋର୍ଟରେ ହୋଇଥିଲା।
ଜିଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ନ୍ୟାୟିକ ବିଭାଗର ଆସିଷ୍ଟାଣ୍ଟ କଲେକ୍ଟର ବସୁନ୍ଧରା ଭିତିରିଆ ଆବେଦନକାରୀଙ୍କ ପକ୍ଷରୁ ଖଣି ଉପନିର୍ଦେଶକ ଯୋଡା କାର୍ଯ୍ୟାଳୟର ଖଣି ଅଧିକାରୀ ଓ ସରକାରୀ ଅଧିବକ୍ତା ଶ୍ରୁତିକାନ୍ତ ସାହୁଙ୍କ ଉପସ୍ଥିତିରେ ପ୍ରତିପକ୍ଷଙ୍କ ଆବେଦନ ଗ୍ରହଣ କରିଥିଲେ। ଶନିବାର ଦ୍ୱିତୀୟ ପର୍ଯ୍ୟାୟରେ ଏସ୍‍.ସି. ପାଢ଼ୀ, ମୋସ୍କୋ ଷ୍ଟିଲ, ଭଞ୍ଜ ମିନେରାଲ୍ସ, ଫେକର, ନାରାୟଣୀ ସନ୍ସ ପ୍ରାଃ.ଲିଃ, ମିନେରାଲ ଟ୍ରେଡିଙ୍ଗ ସିଣ୍ଡିକେଟ୍‍, ବି.ଡି. ପଟ୍ଟନାୟକ ଓ ଏସ୍‍.ଏନ୍‍.ଦାସମହାପାତ୍ରଙ୍କୁ ମିଶାଇ ମୋଟ ୮ଜଣ ଲିଜ୍‍ଧାରୀଙ୍କ ଶୁଣାଣି ପାଇଁ ପୂର୍ବରୁ ନୋଟିସ୍‍ ହୋଇଥିବା ବେଳେ ୫ଖଣିର ଲିଜ୍‍ଧାରୀ ଓକିଲଙ୍କ ଜରିଆରେ ଟାଇମ୍‍ ପିଟିସନ ଦାଖଲ କରିଥିଲେ। ମିନେରାଲ ଟ୍ରେଡିଙ୍ଗ ସିଣ୍ଡିକେଟ୍‍ ଓ ବି.ଡି. ପଟ୍ଟନାୟକ ଖଣି ଲିଜ୍‍ଧାରୀ ଅନୁପସ୍ଥିତ ଥିବାବେଳେ ଅନ୍ୟତମ ଲିଜ୍‍ଧାରୀ ଏସ୍‍.ସି. ପାଢ଼ୀଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ ପୁଅ ସୁଶୀଲ କୁମାର ପାଢ଼ୀ ନିଜେ ହାଜର ହୋଇ ପିଟିସନ ଦାଖଲ କରିଥିଲେ। ତେବେ ଖଣି ଲିଜ୍‍ଧାରୀ ଶ୍ରୀ ପାଢ଼ୀଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କର ଉତ୍ତରାଧିକାରୀ ଚିହ୍ନଟ କରାଯାଇ ପୁନଃ ନୋଟିସ୍‍ କରାଯିବ ବୋଲି ଆସିଷ୍ଟାଣ୍ଟ କଲେକ୍ଟର ଭିତିରିଆ କହିଛନ୍ତି। ଅବଶିଷ୍ଟ ସମସ୍ତ ୫ଖଣି ଲିଜ୍‍ଧାରୀଙ୍କ ପରବର୍ତ୍ତୀ ଶୁଣାଣୀ ସେପ୍ଟେମ୍ବର ୨୨ତାରିଖକୁ ଧାର୍ଯ୍ୟ କରାଯାଇଛି।
ଜୋରିମାନା ଦେଇନଥିବା ମୋଟ ୩୧ଟି ଖଣିର ୨୩ଜଣ ଲିଜ୍‍ଧାରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨୮ତାରିଖରେ ୯ଜଣ ଲିଜ୍‍ଧାରୀଙ୍କୁ ନୋଟିସ୍‍ ହୋଇଥିବା ବେଳେ ଖଣି ଲିଜ୍‍ଧାରୀ ବାସୁଦେବ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଥିବାରୁ ନୋଟିସ୍‍ ପାଇ ନଥିବାରୁ କେହି ଉପସ୍ଥିତ ନଥିଲେ। ଅବଶିଷ୍ଟ ୮ଖଣି ପୁତୁଲୁପାଣିସ୍ଥିତ ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଆଇରନ ଇଣ୍ଡଷ୍ଟ୍ରୀଜ୍‍, ନାରାୟଣୀ ସନ୍ସ, ବି.କେ.ମହାନ୍ତି, ମାଲା ରାୟ, ବିପିଏମ୍‍ଇ ଲିଃ, ଏସ୍‍.ଡି.ଶର୍ମା, ସାରଦା ମାଇନ୍ସ, ଏଚ୍‍.ଜି. ପାଣ୍ଡ୍ୟା ଖଣି ଲିଜ୍‍ଧାରୀଙ୍କ ପ୍ରତିନିଧି ଓକିଲଙ୍କ ଜରିଆରେ ହାଜର ହୋଇ ମହଲତ ଲୋଡିଥିବା ବେଳେ ପରବର୍ତ୍ତୀ ଶୁଣାଣୀ ସେପ୍ଟେମ୍ବର ୧ତାରିଖକୁ ଧାର୍ଯ୍ୟ ହୋଇଥିବା ବେଳେ ଅଗଷ୍ଟ ୨୫ତାରିଖରେ ନାରାୟଣୀ ସନ୍ସ କମ୍ପାନୀର ଶୁଣାଣୀ ପାଇଁ ଧାର୍ଯ୍ୟ ହୋଇଛି। ତୃତୀୟ ପର୍ଯ୍ୟାୟରେ ଅଗଷ୍ଟ ୧୮ତାରିଖ ଓଏମ୍‍ଡିସି ଠାକୁରାଣୀ, ଏମ୍‍.ଆର.ଦାସ, ଅର୍ଜୁନ ଲୋଧା, ବି.ସି ଦେବ, ଟି.ବି.ଲାଲ ଓ ଡ.ସରୋଜିନୀ ପ୍ରଧାନଙ୍କୁ ମିଶାଇ ମୋଟ ୬ଜଣ ଖଣି ଲିଜ୍‍ଧାରୀଙ୍କୁ ଶୁଣାଣୀ ପାଇଁ ନୋଟିସ୍‍ ଜାରି ହୋଇଛି। ସୂଚନାଯୋଗ୍ୟ ଯେ, ଯୋଡା ଖଣିକ୍ଷେତ୍ର ଅଧିନ ୨୮ଟି ଖଣିର ୨୦ଜଣ ଲିଜ୍‍ଧାରୀ ୫୬୪୩କୋଟି ୭୧ଲକ୍ଷ ୯୯ହଜାର ୩୦ଟଙ୍କା ଜରିମାନା ଓ ୩୯୮କୋଟି ୨୬ଲକ୍ଷ ୪୦ହଜାର ୩୭୨ଟଙ୍କା ସୁଧକୁ ମିଶାଇ ମୋଟ୬୦୪୧କୋଟି ୯୮ଲକ୍ଷ ୩୯ହଜାର ୪୦୨ଟଙ୍କା ଏବଂ କେନ୍ଦୁଝର ଖଣିକ୍ଷେତ୍ର ଅଧିନ ୩ଟି ଖଣିର ୩ଜଣ ଖଣି ଲିଜ୍‍ଧାରୀଙ୍କ ଠାରୁ ଜରିମାନା ଓ ସୁଧ ଅର୍ଥ ମିଶାଇ ମୋଟ ୩୦୮ କୋଟି ୩୬ଲକ୍ଷ ୧୯ହଜାର ୫୪୦ଟଙ୍କା ଆଦାୟ ନେଇ ସମ୍ପୃକ୍ତ ଖଣି ଲିଜ୍‍ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କାହିଁକି କରାଯିବ ନାହିଁ ସେ ନେଇ ଓପିଡିଆର ଆକ୍ଟ-୧୯୬୨ ଅନୁଯାୟୀ ଜିଲାପାଳ ନୋଟିସ୍‍ ଜାରି କରିଥିବା ଜଣାପଡିଛି।

Leave A Reply