ବେଦବେଦାନ୍ତ ବଡ଼ ବିଜ୍ଞାନ: ଶଙ୍କରାଚାର୍ଯ୍ୟ

ତୀର୍ଥରାଜ ମହୋଦଧି ଆରତିର ପଞ୍ଚଦଶ ବାର୍ଷିକୋତ୍ସବ

ପୁରୀ : ବେଦବେଦାନ୍ତ ସବୁଠାରୁ ବଡ଼ବିଜ୍ଞାନ ବୋଲି ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରକାଶ କରିଛନ୍ତି। ଗୁରୁବାର ତୀର୍ଥରାଜ ମହୋଦଧି ଆରତିର ପଞ୍ଚଦଶ ବାର୍ଷିକୋତ୍ସବରେ ଯୋଗଦେଇ ସେ କହିଲେ ମଠମନ୍ଦିର ଗୁଡିକ ଶିକ୍ଷା, ରକ୍ଷା, ଧର୍ମ, ସଂସ୍କୃତି, ସେବା ଓ ମୋକ୍ଷର ସ୍ଥଳ।
ସେଗୁଡିକୁ ସ୍ବତନ୍ତ୍ରତା ଦିଆଯିବା ଉଚିତ। ବୈଦିକ ପରମ୍ପରାର ସିଦ୍ଧାନ୍ତକୁ ସମଗ୍ର ବିଶ୍ବ ଗ୍ରହଣ କରିଛି। ପୃଥିବୀ, ଜଳ ଏବଂ ବାୟୁ ପ୍ରକୃତ ଶକ୍ତି। ସେବା ପରାୟଣତା ରାଜନୀତିର ପରିଭାଷା ହେଉ। ଶକ୍ତିର ଉତ୍ପତ୍ତି ବେଦାନ୍ତ ଶାସ୍ତ୍ରରୁ ହୋଇଛି। ବିଶ୍ବର ୨୦୬ ଦେଶ ମଧ୍ୟରୁ ୧୫୦ ଦେଶରେ ହିନ୍ଦୁ ଧର୍ମାବଲମ୍ବୀ ବାସ କରୁଛନ୍ତି। ଭାରତବର୍ଷର ଶାସନତନ୍ତ୍ର ବେଦାନ୍ତ ଶାସ୍ତ୍ରସମ୍ମତ ହେବା ଦରକାର। ଶ୍ରୀମଦ୍‌ ଭାଗବତ ଗୀତାରେ ସୃଷ୍ଟି ଓ ବିଜ୍ଞାନର ବାର୍ତ୍ତା ରହିଛି। କ୍ଷମତା ଲାଳଶା ଏବଂ ଅଦୂରଦର୍ଶିତା ରାଜନୀତିର ସବୁଠାରୁ ବଡ଼ଶତ୍ରୁ ବୋଲି ଶଙ୍କରାଚାର୍ଯ୍ୟ ଶ୍ରୀ ସରସ୍ବତୀ ମତ ଦେଇଛନ୍ତି। ପୁରୀ ଗୋବର୍ଦ୍ଧନ ପୀଠକୁ ଦେବୋତ୍ତର ଆଇନ ନିୟନ୍ତ୍ରଣମୁକ୍ତ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ ଆଧ୍ୟାତ୍ମିକତା କ୍ଷେତ୍ରରେ ଭାରତ ସମଗ୍ର ବିଶ୍ବର ଗୁରୁ। ମହୋଦଧି ବିଶ୍ବ ନିୟନ୍ତାଙ୍କ ସୃଷ୍ଟି। ପ୍ରକୃତିର ଉପାସନା ମାନବ ସମାଜକୁ ବିପର୍ଯ୍ୟୟରୁ ରକ୍ଷା କରିପାରିବ। ସାଧୁସନ୍ଥଙ୍କ ବାଣୀ ସମାଜକୁ ଦିଗ୍‌ଦର୍ଶନ ଦେଉଛି। ସ୍ବାମୀ ନିର୍ବିକଳ୍ପାନନ୍ଦ ମହାରାଜ କହିଲେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ପଛରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଉଦ୍ୟମ ପ୍ରଶଂସନୀୟ। ବୈଦିକ ପରମ୍ପରାର ସୁରକ୍ଷା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ। କ୍ରିୟାଯୋଗ ଆଶ୍ରମ ଅଧ୍ୟକ୍ଷ ସ୍ବାମୀ ପ୍ରଜ୍ଞାନାନନ୍ଦ ସରସ୍ବତୀ କହିଲେ ଗୋହତ୍ୟା ବନ୍ଦ ପାଇଁ କଠୋର ଆଇନର ଆବଶ୍ୟକତା ରହିଛି। ଆଧ୍ୟାତ୍ମିକ ଜାଗରଣ ଦ୍ବାରା ଦେଶରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ। ମଠମନ୍ଦିର ଗୁଡିକର ସୁରକ୍ଷା ପ୍ରତି ସରକାର ଉଦ୍ୟମ କରିବା ଉଚିତ। ମହୋଦଧି ତୀର୍ଥ ସମେତ ପ୍ରାଚୀନ ଐତିହ୍ୟ ସମ୍ପନ୍ନ ନଦୀ ଗୁଡିକର ସଂରକ୍ଷଣ ପାଇଁ ସେ ପରାମର୍ଶ ଦେଇଛନ୍ତି। ମହୋଦଧି ଆରତି କମିଟି ସମ୍ପାଦକ ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ବହୁ ସାଧୁସନ୍ଥ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ମହୋଦଧି ଆରତି କରାଯାଇଛି।

Comments are closed.