ନୀଳାଦ୍ରି ଭୂଷଣ ହରିଚନ୍ଦନ ଓ ଅର୍ଚ୍ଚନା ନାୟକ ପାଇବେ ‘ସାରଳା ସମ୍ମାନ’

କଟକ: ସାରସ୍ବତ ସାଧକ ପ୍ରଫେସର ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନ ଓ କଥାଶିଳ୍ପୀ ଡ. ଅର୍ଚ୍ଚନା ନାୟକ ଯଥାକ୍ରମେ ୨୦୨୨ ଏବଂ ୨୦୨୩ ମସିହା ପାଇଁ ମର୍ଯ୍ୟାଦାଜନକ ‘ସାରଳା ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ୪ ତାରିଖରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ସଂସଦର ୪୨ତମ ବାର୍ଷିକ ଉତ୍ସବରେ ଏହି ଦୁଇ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ଦିଆଯିବ ବୋଲି ସଂସଦର ପ୍ରତିଷ୍ଠାତା ଓ ସଭାପତି ଡ. ଇଂ ପ୍ରଭାକର ସ୍ବାଇଁ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ପ୍ରଫେସର ହରିଚନ୍ଦନ ଏକାଧାରରେ ଜଣେ କବି, ନାଟ୍ୟକାର, ପ୍ରାବନ୍ଧିକ ଓ ସମାଲୋଚକ। ସେ ଶାନ୍ତି ନିକେତନର ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ, ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପଦରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ କୃତିରାଜି ମଧ୍ୟରେ ନିର୍ବୋଧ ଲୋକର ପୃଥିବୀ, ଇତିହାସ ଲେଖିବାର ମୁହୂର୍ତ୍ତ, ଆଉ ଏକ ଜନ୍ମର ଅପେକ୍ଷା, ଓଡ଼ିଆ ନାଟକରେ ଇତିହାସର ପ୍ରତିଧ୍ବନି, ରାସ୍ତା ନାହିଁ, ନୂତନ ନାଟ୍ୟଚିନ୍ତା, ଭିନ୍ନ ସମୟ ଭିନ୍ନ ଦୃଷ୍ଟି, ସାରଳା ମହାଭାରତର ହିନ୍ଦୀ ଅନୁବାଦ ପ୍ରଭୃତି ଉଲ୍ଲେଖନୀୟ।

ଡ. ଅର୍ଚ୍ଚନା ନାୟକ ଏକାଧାରରେ ଜଣେ ଗାଳ୍ପିକା, ଔପନ୍ୟାସିକା, ନାଟ୍ୟକାର, ସମାଲୋଚକ ଓ ପ୍ରାବନ୍ଧିକ। ସେ ବିଜେବି କଲେଜର ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଅଧ୍ୟାପନା କରି ଅବସର ଗ୍ରହଣ କରିଛନ୍ତି। ତାଙ୍କ କୃତି ମଧ୍ୟରେ ସୀତା, ରାଣୀ ଶ୍ୟମାବତୀ, କେତେ ଦୃଶ୍ୟ, ଅନ୍ୟ ନାୟିକା, ଶ୍ରମଣାର ପୃଥିବୀ, ସାକ୍ଷୀ ଠାକୁରାଣୀ, ଭୁଲ ଠିକଣାର ଚିଠି, ସାତଦୀପର ସକାଳ, ଓଡ଼ିଆ କାବ୍ୟରେ ଶିବ, ସ୍ବପ୍ନଗୋଧୂଳି ପ୍ରଭୃତି ଉଲ୍ଲେଖନୀୟ।

Comments are closed.