୧୭୦୦ କି.ମି ସାଇକେଲ ଚଲାଇ ଯାଜପୁରରେ ପହଞ୍ଚିଲେ ମହେଶ

ଯାଜପୁର : ​‌ଶେଷରେ ଘରେ ପହଞ୍ଚିଲେ ମହେଶ । ୧୭୦୦ କିଲୋମିଟରର ସାଇକେଲ ଯାତ୍ରା ଓ ପରେ କ୍ବାରେଣ୍ଟାଇନ । ସବୁକିଛି ପରେ ପରିବାର ଲୋକଙ୍କୁ ଭେଟି ପାରିଛନ୍ତି ମହେଶ ।

ଯାଜପୁରର ମହେଶ ଜେନା । ବୟସ ୨୦ ବର୍ଷ । ମହାରାଷ୍ଟ୍ରର ସାଙ୍ଗଲୀରେ ଶ୍ରମିକ ଭାବେ କାମ କରନ୍ତି । ହେଲେ କରୋନା ଆତଙ୍କ । ଘରକୁ ଫେରିବାର ଇଚ୍ଛା । କିନ୍ତୁ ବସ୍ ଟ୍ରେନ ସବୁ ବନ୍ଦ । ସେଠି ରହିଲେ ସଂକ୍ରମଣର ଭୟ । ପୁଣି ଖାଇବା ପିଇବା ପାଇଁ ପାଖରେ ନାହିଁ ଧନ । ମୃତ୍ୟୁ ଏବଂ ଭୋକର ଭୟକୁ ଖାତିର ନକରି ଅପ୍ରେଲ ପହିଲାରୁ ବାହାରିଲେ ଯାଜପୁର ଅଭିମୁଖେ । ମହାରାଷ୍ଟ୍ରର ସାଙ୍ଗଲୀ ୧୭୦୦ କି.ମି ଦୂର । ତଥାପି ଘରକୁ ଫେରିବାର ଅଦମ୍ୟ ଇଚ୍ଛା । ଶେ​‌ଷ​‌ରେ ଗତ ୭ ତାରିଖରେ ପହଞ୍ଚିଲେ ଯାଜପୁରରେ ।

ହେଲେ ଏଠାକାର ସ୍ଥିତି ମଧ୍ୟ  ତଦ୍ରୁପ । କରୋନା ସଂକ୍ରମଣ ଯୋଗୁଁ ଘରକୁ ଯିବାର ବାଟ ବନ୍ଦ । ଶେଷରେ ଗଲେ କ୍ବାରେଣ୍ଟାଇନ କେନ୍ଦ୍ରକୁ । ସବୁକିଛି ଶେଷ ହେବା ପରେ ରବିବାର ଦିନ ଯାଇ ନିଜ ଘରେ ପହଞ୍ଚି ପରିବାର ଲୋକଙ୍କୁ ଭେଟିଛନ୍ତି । ମୃତ୍ୟୁ ମୁଖରୁ ବଞ୍ଚି ଘରେ ପହଞ୍ଚିଥିବାରୁ ମହେଶ ବେଶ ଖୁସି ଓ ପରିବାର ଲୋକଙ୍କର ଖୁସି ମଧ୍ୟ କହିଲେ ନ ସରେ । ୧୭୦୦ କିଲୋମିଟରର ସାଇକେଲ ଯାତ୍ରା କଥା ଭାବିଲା ବେଳକୁ ବେଶ ଭାବ ବିହ୍ବଳ ହୋଇ ଉଠନ୍ତି ମହେଶ ।

Comments are closed.