ଆଶ୍ରମ ବୈରାଗୀର ସତ୍ୟାନୁସରଣ

୧୯୪୬ ନଭେମ୍ବର ୨୦ରେ ଗାନ୍ଧିଜୀ ସେବାଗ୍ରାମର ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ ଖଣ୍ଡିଏ ଚିଠି ଲେଖି ଜଣାଇଲେ ଯେ ସେ ଆଉ ଆଶ୍ରମକୁ ଫେରି ନପାରନ୍ତି। ଏହା ପୂର୍ବରୁ ସାବରମତୀ ଆଶ୍ରମବାସୀଙ୍କ ଉଦ୍ଦେଶ୍ୟରେ ସେ ଅନୁରୂପ ଏକ କ​‌େ​‌ଠାର ନିଷ୍ପତ୍ତି ମଧ୍ୟ ଶୁଣାଇଥିଲେ। ଜୀବନର ଅନ୍ତିମ ବର୍ଷଗୁଡ଼ିକ ଗାନ୍ଧିଜୀଙ୍କ ପାଇଁ ଅତ୍ୟନ୍ତ ବେଦନାଦାୟକ ଥିଲା। ସେ ପ୍ରାୟତଃ ସନ୍ଦେହାଚ୍ଛନ୍ନ ଅବସ୍ଥାରେ ରହୁଥିଲେ। ସେବାଗ୍ରାମ ଆଶ୍ରମବାସୀଙ୍କ ଉଦ୍ଦେଶ୍ୟରେ ଗାନ୍ଧିଜୀ ତାଙ୍କ ଚିିଠିରେ ଲେଖିଥିଲେ, ‘‘ମୁଁ ସତ୍ୟର ଅନ୍ବେଷଣରେ ବିଫଳ ହେଉଛି। ଏକ ଭୟଙ୍କର ପାରସ୍ପରିକ ଅବିଶ୍ବାସ ଭାବନା ସୃଷ୍ଟି ହୋଇଛି। ପୁରୁଣା ବନ୍ଧୁତା ଓ ସମ୍ପର୍କସବୁ ଛିନ୍ନ ହୋଇଯାଇଛି। ବିଶ୍ବାସି ତୁଟି ଯାଇଛି। ସତ୍ୟ ଓ ଅହିଂସା ଯାହା ମୋ ଜୀବନର ବ୍ରତ ଓ ଶପଥ ଥିଲା ଏବଂ ଯାହାକୁ ମୁଁ ଦୀର୍ଘ ୬୦ବର୍ଷ କାଳ ପାଳନ କରି ଆସିଥିଲି, ତାହା ମୋର ଆଶା ତଥା ବିଶ୍ବାସ ମୁତାବକ ଫଳବତୀ ହେଉନାହିଁ।’
ନୈରାଶ୍ୟର ଅନ୍ଧାର ଭିତରେ ଗାନ୍ଧିଜୀ ତାଙ୍କ ଚିଠିରେ ନିଜର ସତ୍ୟାଗ୍ରହ ବିଚାରର ପ୍ରଭାବ ଓ ପରିଣତି ଘେନି ସଂଶୟରେ ପଡ଼ିଛନ୍ତି। ନିଜକୁ ନିଜେ ପ୍ରଶ୍ନ ପଚାରିଛନ୍ତି, ଯେଉଁ ସତ୍ୟାଗ୍ରହକୁ ସେ ଦୁର୍ବଳର ଅସ୍ତ୍ର ଭାବେ ବିଚାର କରୁଥିଲେ ଏବେ ତାହା ସବଳଙ୍କ ଆୟୁଧରେ ପରିଣତ ହୋଇନାହିଁ ତ? ସେ ସ୍ଥିର କରିଛନ୍ତି ଯେ ସତ୍ୟାଗ୍ରହକୁ ଦୁର୍ବଳର ଅସ୍ତ୍ରରେ ପରିଣତ କରିବା ପାଇଁ ତଥାପି ସେ ତାଙ୍କର ପ୍ରୟାସ ଜାରି ରଖିବେ। ଏଥିରେ ବିଫଳ ହେଲେ ଜୀବନ୍ତ ସମାଧି ନେବେ। ସେଥିପାଇଁ ଏକ ବିଧ୍ବସ୍ତ ଗ୍ରାମକୁ ସେ ନିଜର ଶେଷ ବିଶ୍ରାମସ୍ଥଳ ଭାବେ ମନେମନେ ବାଛି ନେଇଥିଲେ। ଏଭଳି ସତ୍ୟାନୁସରଣ ଦ୍ବନ୍ଦ୍ବରେ ପଡ଼ି ସେ ଦକ୍ଷିଣ ଆଫ୍ରିକା ପ୍ରବାସ କାଳରେ ନିଜର କେତେକ ଆଶ୍ରମକୁ ମଧ୍ୟ ବନ୍ଦ କରି ଦେଇଥିଲେ; ଯାହା ଥିଲା ତାଙ୍କ ବୈରାଗ୍ୟ ଓ ନୈରାଶ୍ୟର ପ୍ରତିଫଳନ। ଏଥର କିନ୍ତୁ ବାପୁ ଅଧିକ ବୈଚାରିକ ଦ୍ବନ୍ଦ୍ବ ଓ ନୈରାଶ୍ୟ ମଧ୍ୟରେ ଥିଲେ। ଏହା ଥିଲା ତାଙ୍କ ଜୀବନର ସବୁଠୁ ତମସାଚ୍ଛନ୍ନ ମୁହୂର୍ତ୍ତ। ପୂର୍ବରୁ ତାଙ୍କଠାରେ ଏ‌େ‌ତ ଗୁରୁତର ନୈରାଶ୍ୟ ଭାବ କେବେ ଦେଖାଯାଇନଥିଲା। ସବୁକଥା‌େ‌ର ସେ ଅନିଶ୍ଚିତ ଓ ଅସ୍ଥିରଭାବ ଦେଖାଉଥିଲେ।
ସଂକ୍ଷେପରେ କହିଲେ, ସେ ଏକ ବିଷାଦ ଯୋଗର ସମ୍ମୁଖୀନ ହୋଇଥିଲେ। ଅତ୍ୟନ୍ତ ଆଗ୍ରହ, ଶ୍ରଦ୍ଧା, ନିଷ୍ଠା ଓ ଅଭିନିବେଶର ସହ ସେ ଯେଉଁ ନିଜସ୍ବ ଦୁନିଆ ଓ ବିଚାର ଗଢ଼ିଥିଲେ ତାହା ତାସ୍‌ ଘର ପରି ତାଙ୍କ ଆଖି ସାମ୍ନାରେ ଭାଙ୍ଗି ଯାଉଥିବା ସେ ଅନୁଭବ କରୁଥିଲେ। ସ୍ରଷ୍ଟା ନିଜ ସୃଷ୍ଟିର ବିଲୟପର୍ବ କଂି କର୍ତ୍ତବ୍ୟବିମୂଢ଼ ହୋଇ ଦେଖିବାଭଳି ସେ ଅସହ୍ୟ ମର୍ମଦାହ ଓ ଯନ୍ତ୍ରଣାର ସହ ତାହା ଦେଖୁଥିଲେ। ହିନ୍ଦୁ-ମୁସଲମାନ ସଂପ୍ରୀତି ଓ ମୈତ୍ରୀ ଭାଙ୍ଗିଯାଇଥିଲା। ପ୍ରାୟ ସମସ୍ତଙ୍କ ସହ ଗାନ୍ଧିଜୀଙ୍କର ଥିବା ଗଭୀର ବନ୍ଧୁତ୍ବର ଅବସାନ ଘଟିଥିଲା। ଅଧିକ ବେଦନାପ୍ରଦ ଥିଲା ନିଜର ଘନିଷ୍ଠ ସହଯୋଗୀଙ୍କ ଅବିଶ୍ବାସ ଭାବ। ପ୍ରାଣପ୍ରିୟା ପତ୍ନୀ କସ୍ତୁର ବାଈ ଏବଂ ଏକାନ୍ତ ଆପଣାର ତଥା ପୁତ୍ରତୁଲ୍ୟ ମହାଦେବ ଦେଶାଇଙ୍କୁ ସେ ପୁନାର ଆଗା ଖଁା ଜେଲ୍‌ରେ ହରାଇ ବସିଥିଲେ। ଏକମାତ୍ର ବନ୍ଧୁ, ଯିଏ ତାଙ୍କୁ ମୋହନ ବୋଲି ସମ୍ବୋଧନ କରୁଥିଲେ, ସେଇ ଦୀନବନ୍ଧୁ, ଚାର୍ଲି ଆଣ୍ଡ୍ରିୟୁ ସଂସାରରୁ ବିଦାୟ ନେଇ ସାରିଥିଲେ। ଯିଏ ତାଙ୍କୁ ବାରମ୍ବାର ‘ମହାତ୍ମା’ ଶବ୍ଦର ଅର୍ଥ ମନେ ପକାଇ ଦେଉଥିଲେ ସେ କବି ଗୁରୁ ରବୀନ୍ଦ୍ରନାଥ ଆଉ ନଥିଲେ।
ପରିଣତ ବୟସରେ ନିଜର ପ୍ରିୟଜନଙ୍କୁ ହରାଇବାର ଦୁଃଖରେ ଭାଙ୍ଗିପଡ଼ି ମହାତ୍ମା ଯେ କେବଳ ନିରାଶ ହୋଇଥିଲେ ତାହା ନୁହେଁ; ସେ ନିଜ ଭିତରେ ଏକ ଅନିବାର୍ଯ୍ୟ ସଂଶୟ ଅନୁଭବ କରୁଥିଲେ। ତେଣୁ ପ୍ରଥମ କରି ସେ ନିଜର ଅକ୍ଷମତା ଓ ନ୍ୟୂନତା ସମ୍ପର୍କରେ କହିବା ଆରମ୍ଭ କରିଥିଲେ। ସେଥିପାଇଁ ଜୀବନରେ ସର୍ବାଧିକ ଗୁରୁତ୍ବ ଦେଉଥିବା ସତ୍ୟ ଓ ଅହିଂସାକୁ​‌ ସେ ସନ୍ଦେହ କରିଥିଲେ। ତା’ପୂର୍ବରୁ ସେ ନିଜର ସନ୍ଦେହ, ନୈରାଶ୍ୟ ଓ ଦୁର୍ବଳତାକୁ ନିଜ ଭିତରେ ଚାପି ରଖୁଥିଲେ; କାରଣ ସେ ଜାଣିଥିଲେ ତାଙ୍କ ସତ୍ୟାନୁସଂଧାନର ମାର୍ଗ ଓ ସ୍ବରୂପ ଅସଂପୂର୍ଣ୍ଣ ଥିଲା। ସେ ଅନୁଭବ କରିଥିଲେ ଯେ ସତ୍ୟ ଓ ଅହିଂସାର ମାର୍ଗକୁ ଉଚ୍ଚରେ ରଖିବାକୁ ସେ ଯେଉଁ ପ୍ରୟାସ କରିଥିଲେ ସେ ଆଶା ଅଧିକ ଉଚ୍ଚା ହୋଇଯାଇଥିଲା। ଏପରିକି ତାଙ୍କ ପ୍ରିୟ ଚିତେ ଉଚ୍ଚା ଲାଠି ମଧ୍ୟ ତାକୁ ମାପିବାକୁ ଯଥେଷ୍ଟ ନଥିଲା।
ସତ୍ୟ ଓ ଅହିଂସାର ଯେଉଁ ମାନଦଣ୍ଡ ସେ ନିର୍ଦ୍ଧାରଣ କରିଥିଲେ ତାହାକୁ ହାସଲ କରିବା ଓ ଧରି ରଖିବା ତାଙ୍କ ସାମର୍ଥ୍ୟର ବାହାରକୁ ଚାଲିଯାଇଥିଲା। ସେ ମର୍ମେମର୍ମେ ଅନୁଭବ କରୁଥିଲେ ଯେ ସତ୍ୟ ଓ ଅହିଂସାର ଯେଉଁ ଗୁରୁତ୍ବ ଓ ପ୍ରୟୋଗ ସେ ଚାହୁଁଥିଲେ ତାହା ବାସ୍ତବରେ ହାସଲ ହୋଇନଥିଲା। ସତ୍ୟାଗ୍ରହର ମଧ୍ୟ ସମାନ ଦଶାଥିଲା। ମୃତ୍ୟୁ ଓ ଧ୍ବଂସର କରାଳ କ୍ରିୟା ମଧ୍ୟରେ ସତ୍ୟନାରାୟଣ ଓ ଦରିଦ୍ରନାରାୟଣ ନିଜନିଜ ମଧ୍ୟରେ ଲଢ଼େଇ କରି ତାଙ୍କୁ ଚିତା କାଟିଥିବା ସେ ଅନୁଭବ କରିଥିଲେ। ଏହି ବିଷମ କାଳରେ ଗାନ୍ଧିଜୀ ଯେତେବେଳେ ନିଜର ନ୍ୟୂନତା ଓ ଅସାମର୍ଥ୍ୟକୁ ପ୍ରଶ୍ନ କରିବାକୁ ଆରମ୍ଭ କଲେ ସେତେବେଳେ ତାଙ୍କ ମନରୁ ଅନ୍ଧକାର, ଭ୍ରାନ୍ତି ହଟିଗଲା। ତାଙ୍କ ସତ୍ୟାନୁସନ୍ଧାନ ତାଙ୍କୁ ବ୍ରହ୍ମଚର୍ଯ୍ୟ ଆଡ଼କୁ ପୁନର୍ବାର ଅଡ଼େଇ ନେଲା। ଏହା ମାଧ୍ୟମରେ ସେ ପୁଣି ସତ୍ୟର ଅନୁସରଣ କଲେ। ସେ ମୃତ୍ୟୁ ଲୋଡ଼ୁଥିଲେ ଏବଂ ପରିଶେଷରେ ତାହା ଆସିଲା ଏକ ଭିନ୍ନ ରୂପରେ।
ଗାନ୍ଧିଜୀ ଅନେକ ଦିନ ହେଲା ଗଲେଣି। ଏତେ ଦିନ ପରେ ତାଙ୍କ ବିଷାଦଯୋଗକୁ ସ୍ମରଣ କରିବା ଆବଶ୍ୟକତା କ’ଣ? ଗାନ୍ଧିଜୀ ଏକ ବଡ଼ ସ୍ବପ୍ନ ଦେଖିଥିଲେ; ତାଙ୍କର ଏକ ମହତ୍‌ ଆକାଙ୍‌କ୍ଷା ଥିଲା। ସବୁ ସ୍ବପ୍ନ ସଫଳ କିମ୍ବା ଆଶା ଆକାଙ୍‌କ୍ଷା ପୂରଣ ହୁଏନା। ଏହା ସହିତ ଅପ୍ରାପ୍ତି ଓ ବିଫଳତାର ଯେଉଁ ସଂଯୋଗ ଓ ସମ୍ଭାବନାଟିଏ ଥାଏ ତାହା ନୈରାଶ୍ୟର କାରଣ ହୁଏ। ଅତଏବ ଗାନ୍ଧିଜୀଙ୍କ ସଂଶୟ ଏବେ ମଧ୍ୟ ଆମ ପାଇଁ ପ୍ରକାରାନ୍ତରେ ବଞ୍ଚିଛି। ତାଙ୍କୁ ଆମେ ଭଲଭାବେ ବୁଝି ପାରିଲେ ଆମର ସ୍ବପ୍ନ ଓ ଆକାଙ୍‌କ୍ଷା ହୁଏତ ପୂରଣ ହୋଇପାରେ। ଆମ ଜୀବନରେ ସେହି ଅପରିହାର୍ଯ୍ୟ ନୈରାଶ୍ୟ ଓ ଅନ୍ଧକାର ଆସିଲେ ତାହା ଗାନ୍ଧିଜୀଙ୍କ ଭଳି ଆମକୁ ମଧ୍ୟ ପୁନଃ ଆବିଷ୍କାର କରିବାରେ ସାହାଯ୍ୟ କରିପାରେ।
ଆମ ବିଚାରରେ ଗାନ୍ଧିଜୀଙ୍କ ସଂଶୟକୁ ପର୍ଯ୍ୟାଲୋଚନା କଲେ ତିନିଟି ପ୍ରମୁଖ କାରଣ ଦୃଷ୍ଟିଗୋଚର ହୁଏ। ସେଥିରୁ ପ୍ରଥମଟି ହେଲା- ଅହିଂସାର ଗୁଣ ଓ ଧର୍ମକୁ ପ୍ରକୃତ ମାପକ ଭାବେ ଗ୍ରହଣ କରିବାରେ ଆମର ବିଶ୍ବାସର ଅଭାବ। ଦ୍ବିତୀୟରେ-ସତ୍ୟ ଓ ଅହିଂସାର ବାହକହୋଇ ଗାନ୍ଧିଜୀଙ୍କ ଭକ୍ତ ହେବା ଓ ତାଙ୍କ ପ୍ରଦର୍ଶିତ ପଥରେ କାର୍ଯ୍ୟ କରିବା ପ୍ରତି ଆମର ଅନାସ୍ଥାଭାବ। ତୃତୀୟ ଏବଂ ଶେଷରେ ଆମେ ତାଙ୍କ ପଦ୍ଧତି ଓ ଲକ୍ଷ୍ୟକୁ କେବଳ ଅବିଶ୍ବାସ କରିନାହୁଁ; ତା’ସହିତ ତାଙ୍କୁ ମଧ୍ୟ ଅବିଶ୍ବାସର ପାତ୍ର କରିଛୁ।
ଅସପତ୍ନ ନେତୃତ୍ବ ନେଉଥିବା ଓ ନୈତିକତାର ଉଦ୍‌ଘୋଷଣା କରୁଥିବା ବ୍ୟକ୍ତିଟି ପ୍ରତି ଯେତେବେଳେ ଅବିଶ୍ବାସର ଭାବନା ଅନୁଗାମୀ, ବନ୍ଧୁ ଓ ସତୀର୍ଥଙ୍କ ମଧ୍ୟରେ ବଦ୍ଧମୂଳ ହୁଏ ସେ ସେତେବେଳେ ନିଃସଙ୍ଗତା ଅନୁଭବ କରେ ଓ ବିଶ୍ବାସର ସଂକଟରେ ପଡ଼େ। ତେଣୁ ଗାନ୍ଧିଜୀଙ୍କ ନିଃସଙ୍ଗତା ଓ ବିଷାଦ ଅସ୍ବାଭାବିକ ନଥିଲା। କୌଣସି ପଦରେ ନଥିବା ଅଧାଲଙ୍ଗଳା, ସଂଶୟାଚ୍ଛନ୍ନ ଏବଂ ଜୀବଦ୍ଦଶାରେ ବିତର୍କିତ ମଣିଷଟିଏ ତା’ହେଲେ ମୃତ୍ୟୁର ଏତେକାଳ ପରେ ବଞ୍ଚିଛି କିପରି? ସଂକଟର କ୍ଷଣରେ ବ୍ୟକ୍ତିଗତ ଭାବେ ବା ସଭ୍ୟତାଗତ ବିଚାର ସ୍ତରରେ ତାଙ୍କୁ ସ୍ମରଣ କରାଯାଉଛି କାହିଁକି? ଜୀବନକୁ ଉତ୍ତୋଳିତ କରି ରଖି ତାହାର ପରିପାଳନ, ସମାଜ ଓ ସଭ୍ୟତାର ସୁରକ୍ଷା ତଥା ସମୃଦ୍ଧି ପାଇଁ ସମୟ ପ୍ରେରଣାଦାତା ଆବଶ୍ୟକ କରେ। ସେତେବେଳେ ସାମୂହିକତା ଓ ସତ୍ୟ ପାଇଁ ଆପ୍ତବାକ୍ୟ ଓ ଆପ୍ତବଚନର ଖୋଜା ପଡ଼େ। ସେଇ ସଂଧାନରେ ଭାରତକୁ, ବିଶ୍ବକୁ ବେଶୀ ପରିଶ୍ରମ କରିବାକୁ ପଡ଼େ ନାହିଁ- ଗାନ୍ଧିଜୀ ସହଜରେ ନିର୍ବିବାଦରେ ହାତପାଆନ୍ତାରେ ମିଳିଯାଆନ୍ତି ଏକ ପଥପ୍ରଦର୍ଶକ ଓ ଅନୁପ୍ରେରକ ଭାବରେ।
ଗାନ୍ଧିଜୀଙ୍କୁ ଆମେ କିପରି ଦେଖିବା ଓ ଗ୍ରହଣ କରିବା ତାହା ଆମର ବ୍ୟକ୍ତିଗତ ବିଚାର ଓ ଦୃଷ୍ଟିକୋଣ ଉପରେ ନିର୍ଭର କରେ। ତାଙ୍କୁ ସମାଲୋଚନା କରିବା ବା ନ୍ୟୂନ୍‌ ଭାବେ ଦେଖାଇବା ଏକ ସହଜ କାମ। ସେ ଅବତାର, ଅବତାରୀ ପୁରୁଷ, ଆପ୍ତବଚନ ନଥିଲେ ଯେ କି ଆଦର୍ଶ ହେବାକୁ ଯୋଗ୍ୟ, ଏହା ମଧ୍ୟ କେହିକେହି କହିବା ଅଯୌକ୍ତିକ ନୁହେଁ। କିନ୍ତୁ ତାଙ୍କୁ ସମାଲୋଚନା କରିବା ପୂର୍ବରୁ ତାଙ୍କର ଗୋଟିଏ ଚିନ୍ତନ ବା ଆଦର୍ଶକୁ ମନେ ପକାଇବା ଉଚିତ। ଜୀବନ, ସମାଜ ଓ ସଭ୍ୟତାକୁ ଧରି ରଖି ନୈତିକତାର ପଥରେ ଆଗେଇ ନେବାକୁ ସେ ଯେଉଁ ଢ଼ାଞ୍ଚା ବା ଆଦର୍ଶଟି ତିଆରି କରିଥିଲେ ତାକୁ ଟିକିଏ ନିରେଖି ଦେଖିଲେ ଏବଂ ସତ୍ୟ ସହିତ ତାହାର ସମ୍ପର୍କକୁ ଯୋଡ଼ିଲେ ମନରେ ଗାନ୍ଧୀଙ୍କ ପ୍ରତି ସ୍ବତଃ ଭକ୍ତି ଓ ଶ୍ରଦ୍ଧା ଆସିବ। ଏକଥା କେବଳ ଦାୟିତ୍ବ ସମ୍ପନ୍ନ ଏବଂ ବିବେକୀ ମଣିଷ ବୁଝିପାରିବ। ଉଭୟ ବ୍ୟକ୍ତିଗତ ଓ ସଭ୍ୟତାଗତ ସ୍ତରରେ ଆମେ ଯେତେବେଳେ ସଂକଟରେ ପଡ଼ୁଛୁ ସେତେବେଳେ ଗାନ୍ଧୀଙ୍କୁ ମନେପକାଉଛୁ। ସେହି ସ୍ମରଣରେ ଆମେ କେବଳ ତାଙ୍କୁ ହିଁ ଏକ ପ୍ରକୃତ ମାନଦଣ୍ଡ ଭାବେ ଦେଖୁନାହୁଁ; ବରଂ ତାଙ୍କୁ ଏକ ଆଦର୍ଶ ପୁରୁଷ ଓ ତ୍ରାଣକର୍ତ୍ତା ଭାବେ ସ୍ମରଣ କରୁଛୁ ଏବଂ ଜଣେ ବିଜ୍ଞ ସଂକଟମୋଚକ ଭାବେ ଗ୍ରହଣ କରୁଛୁ।
ଆଦର୍ଶ ପୁରୁଷ, ସାଧୁ, ସଜ୍ଜନଙ୍କ ପାଖରେ ଆତ୍ମସମର୍ପଣ ଓ ଆତ୍ମନିବେଦନ ଏକ ସ୍ବାଭାବିକ ପ୍ରକ୍ରିୟା। ଏହା କୃପାଳୁ ଓ କୃତାର୍ଥ ସମ୍ପର୍କର କଥା। କୃତାର୍ଥମାନେ ଏହା କରିଥାନ୍ତି। ଏହା ଅଧିକ ବ୍ୟକ୍ତିଗତ ଏବଂ ଏକ ଆତ୍ମଶିଷ୍ଟାଚାର। କୃତଜ୍ଞତା ମଣିଷପଣିଆ, ବିଜ୍ଞ ବିଚାର ପ୍ରସୂତ। ତେବେ ଆତ୍ମ ନିବେଦନ ଆପଣା ଇଚ୍ଛାଶକ୍ତିର ଆତ୍ମସମର୍ପଣ ବିବାଦ ସୃଷ୍ଟି କରିପାରେ। ଗାନ୍ଧିଜୀ ନିଜ ଜୀବନକୁ ଏକ ପ୍ରାର୍ଥନାଭାବେ ଗ୍ରହଣ କରିଥିଲେ। ସେଥିରେ ସେ ସତ୍ୟନାରାୟଣଙ୍କ ନିକଟରେ ସମର୍ପିତ ହେବାକୁ ଚାହୁଁଥିଲେ। ନିଜର ରଚନାତ୍ମକ କାର୍ଯ୍ୟ ମାଧ୍ୟମରେ ସେ ଦରିଦ୍ର ନାରାୟଣଙ୍କ ନିକଟରେ ନିଜକୁ ସମର୍ପିତ କରିବାକୁ ପ୍ରୟାସୀଥିଲେ। ତେଣୁ ତାଙ୍କ ଆଶ୍ରମଜୀବନ ଏହି ଦୁଇଟି ମନ୍ତ୍ର ଉପରେ ଗଢ଼ି ଉଠିଥିଲା। ତାଙ୍କ ବିଚାର ଯାହାକୁ ପ୍ରଭାବିତ କରୁଥିଲା ସେ ଗାନ୍ଧୀଙ୍କ ବିଚାରଧାରା ପ୍ରତି ଆକୃଷ୍ଟ ହେଉଥିଲା। ନିଜର ଆତ୍ମାର ସ୍ବର ଶୁଣି ସେ କାମ କରିବାକୁ ନିଜକୁ ସମର୍ପିତ କରୁଥିଲା।
ଆତ୍ମସମର୍ପଣ ବା ଆତ୍ମନିବେଦନରେ ମଣିଷର ସୂକ୍ଷ୍ମ ବିଚାର ଶକ୍ତି ଓ ଭାବନା କ୍ଷୁଣ୍ଣ ହେବାର ସମ୍ଭାବନା ଥାଏ। ତେବେ ସ୍ବୀୟ ଲକ୍ଷ୍ୟପ୍ରାପ୍ତିରେ ଜନତା ବୁଝିବିଚାରି ଏହାକୁ ଗ୍ରହଣ କଲେ ଦ୍ବନ୍ଦ୍ବ, ସଂଘାତର ଅବକାଶ ନଥାଏ। ଗାନ୍ଧିଜୀ ସେଥିପାଇଁ ତାଙ୍କ ଅନୁଗତମାନଙ୍କୁ ଏ ବିଷୟରେ ଭଲଭାବେ ବୁଝାଇ ଦେଇଥିଲେ।
ଗାନ୍ଧିଜୀଙ୍କ ଆଶ୍ରମରେ ଯେଉଁ ବୌଦ୍ଧିକ ପରମ୍ପରା ଗଢ଼ି ଉଠିଥିଲା ସେଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ତାଙ୍କର ଦୁଇଜଣ ସହକର୍ମୀ ଓ ଆଶ୍ରମର ଦୀର୍ଘକାଳୀନ ଅନ୍ତେବାସୀ ମହାଦେବ ଦେଶାଇ ଓ କିଶୋରୀଲାଲ ମଶ୍ରୁୱାଲା। କିଶୋରୀ ଲାଲ ଗାନ୍ଧିଜୀଙ୍କ ବ୍ରହ୍ମଚର୍ଯ୍ୟ ପରୀକ୍ଷା ନିରୀକ୍ଷାର ମୌଳିକ ଆଧାରକୁ ନାପସନ୍ଦ କରିଥିଲେ। ତଥାପି ଗାନ୍ଧିଜୀଙ୍କ ସହ ତାଙ୍କର ବିବାଦ ନଥିଲା। ସେ ଗାନ୍ଧିଜୀଙ୍କ ନିକଟରେ ତଥାପି ନିଜକୁ ଉତ୍ସର୍ଗ କରିଦେଇଥିଲେ। ତେଣୁ ଗାନ୍ଧିଜୀଙ୍କ ସହ ଏକମତ ଓ ଦ୍ବିମତ ହେବାର ପ୍ରସଙ୍ଗ ମଧ୍ୟରେ ଯେଉଁ କଥାଟି ବିଶେଷ ଗୁରୁତ୍ବପୂର୍ଣ୍ଣ ଥିଲା ତାହା ଏକ ନୈତିକ ଦୁନିଆ ଗଢ଼ିବାର ଇଚ୍ଛା। ଗାନ୍ଧିଜୀ ଚାହୁଁଥିଲେ ଭବିଷ୍ୟତରେ ଏଭଳି ଏକ ବ୍ୟବସ୍ଥା ସୃଷ୍ଟିହେଉ ଯେଉଁଠି ସବୁ ମଣିଷର ମାନବିକତା ଓ ସମାନତାକୁ ଉପଯୁକ୍ତ ସମ୍ମାନ ମିଳୁ। ଏଥିରେ ଅତୀତର ତ୍ରୁଟି ଓ ଅନ୍ୟାୟର ସ୍ଥାନ ନ ରହୁ। ସେ ଭଲଭାବେ ବୁଝିଥିଲେ ସମାନତା ମୂଳତଃ ଏକ ନୈତିକ ବିଚାର। ଅପମାନ, ଅନାଦର ଓ ଘୃଣା ଆଦିର ଅଭିଜ୍ଞତା ସ୍ଥାନ, କାଳ, ପାତ୍ର ସର୍ବସ୍ବ ଅନୁଭବ ଓ ଅନୁଭୂତିର କଥା। ଏହା ମଧ୍ୟ ମାନବୀୟ ଅନୁଭୂତିର ସବୁଠୁ ଆତ୍ମଗତ ଓ ବ୍ୟକ୍ତିନିଷ୍ଠ। ଅପମାନ ଏକ ଶ୍ରେଣୀବନ୍ଧ ଅନୁକ୍ରମିକ ସମ୍ପର୍କ ଲୋଡ଼ିଥାଏ।
ଗାନ୍ଧିଜୀ ଏଭଳି ଅପମାନ ଓ ଅସମ୍ମାନ ଆଗରେ ମୁଣ୍ଡ ନୁଆଁଇବାକୁ ଚାହୁଁନଥିଲେ। ଏଭଳି ପରମ୍ପରାର ସେ ଘୋର ବିରୋଧୀ ଥିଲେ। ଯେଉଁମାନେ ଏହାକୁ ଲଦି ଦେଉଥିଲେ ସେମାନଙ୍କ ବିରୋଧରେ ସେ ସ୍ବରଉତ୍ତୋଳନ କରୁଥିଲେ। ଯେଉଁ ଦଳିତ, ଲାଞ୍ଛିତ ଓ ବଞ୍ଚିତଙ୍କ ପାଇଁ ଗାନ୍ଧୀ ଏହି ନୈତିକ ପ୍ରଶ୍ନ ଉତ୍‌ଥାପନ କରିଥିଲେ, ସେମାନେ କିନ୍ତୁ ଏକ ସଂପ୍ରଦାୟ ବା ଗୋଷ୍ଠୀଭାବେ ଗାନ୍ଧିଜୀଙ୍କ ପକ୍ଷରେ ନଥିଲେ। ଗାନ୍ଧିଜୀ ନୈତିକତା, ସଦାଚାର, ସଦ୍‌ଗୁଣ ଓ ଧର୍ମାଚାରର ଦୃଢ଼ ସପକ୍ଷବାଦୀ ଥିଳେ। ସେ ନ୍ୟାୟର ମୂଲ୍ୟ, ସ୍ବୟଂଶାସନ (ସ୍ବରାଜ୍ୟ) ଓ ସମାନତାକୁ ଗୁରୁତ୍ବ ଦେଉଥିଲେ। ତେଣୁ ତାକୁ ହାସଲ କରିବାପାଇଁ ପ୍ରୟାସ ହେବା ସହ ଶ୍ରଦ୍ଧା ଓ ଯତ୍ନର ମୂଲ୍ୟକୁ ମଧ୍ୟ ବୁଝିବାକୁ ପଡ଼ିବ। ଉପଯୁକ୍ତ ଯତ୍ନ ଓ ଅଭିନିବେଶ ବିନା ଏହା ସମ୍ଭବ ନୁହେଁ।
ନିଷ୍ଠା ଓ ଯତ୍ନ ବିନା ସବୁ ବିଚାର, ଆଚାର ମୂଲ୍ୟହୀନ। ତା’ଠାରୁ ଆହୁରି ଶକ୍ତିଶାଳୀ ବିବେକ। ବିବେକାନୁମୋଦିତ କାର୍ଯ୍ୟ କରିବା ଓ ବିଚାରରେ ଯତ୍ନଶୀଳ ହେବା। କାହାକୁ ନେଇ, କାହା ବିଚାରକୁ କେନ୍ଦ୍ରକରି ବାଦୀ-ପ୍ରତିବାଦୀ ହେବାର ଆବଶ୍ୟକତା ନାହିଁ। ଜଣକୁ ବୁଝିବାପାଇଁ ତାହାର ଚେଲା ହେବାର ଆବଶ୍ୟକତା ନାହିଁ। ଅନ୍ୟକୁ ବୁଝିବା ପାଇଁ ତା’ର କାର୍ଯ୍ୟ ଓ ଦର୍ଶନ ଯଥେଷ୍ଟ। ସେଥିପାଇଁ କେବଳ ଏକ ନିର୍ମଳ ହୃଦୟ ଓ ବଡ଼ ମନ ଲୋଡ଼ା।

-: ତପନକୁମାର ମିଶ୍ର
ମର୍କତନଗର, କଟକ, ଫୋ-୯୪୩୯୨୪୧୫୪୧

Comments are closed.