ବିପନ୍ନ ମୂଲ୍ୟବୋଧ ଓ ମହାତ୍ମା ଗାନ୍ଧୀ

ସମ୍ମାନ ଓ ସହନଶୀଳତା ଗାନ୍ଧୀ ଦର୍ଶନ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ଆମ ଦେଶର ରାଜନୀତି ଓ ସାଧାରଣ ଜୀବନରେ ଏବେ ମୂଲ୍ୟବୋଧର ଘୋର ଅବକ୍ଷୟ ଘଟି ଚାଲିଛି। ସ୍ବାଧୀନତା ସଂଗ୍ରାମ ଓ ସ୍ବାଧୀନତା ପ୍ରାପ୍ତିର କିଛି ବର୍ଷ ପର୍ୟ୍ୟନ୍ତ ସାଧାରଣ ଜୀବନରେ କାର୍ୟ୍ୟ କରୁଥିବା ବ୍ୟକ୍ତିମାନେ ନୀତି, ଆଦର୍ଶ ଓ ସାଧୁତାକୁ ଅଧିକ ଗୁରୁତ୍ବ ଦେବାସହିତ ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ସଂଯମ ରଖୁଥିଲେ। କେହି କାହାରି ପ୍ରତି ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କିମ୍ବା କୁତ୍ସାରଟନା କରୁନଥିଲେ। ମାତ୍ର ଏବେ ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଯାବତୀୟ କୁତ୍ସାରଟନା କରାଯିବା ସହିତ ସେମାନଙ୍କର ଚରିତ୍ର ସଂହାର କରିବା ପାଇଁ ନାନା ପ୍ରକାର କୁତ୍ସିତ ପନ୍ଥାର ଆଶ୍ରୟ ନିଆଯାଉଛି। ଭିନ୍ନ ମତ ପୋଷଣ କରୁଥିବା ନେତାମାନଙ୍କୁ ‘ରାଷ୍ଟ୍ରଦ୍ରୋହୀ’ ଆଖ୍ୟା ଦେବା ସଙ୍ଗେସଙ୍ଗେ ‘ଗୁଲିମାରୋ’ ଭଳି ମନ୍ତବ୍ୟ ଦେବାରୁ ମଧ୍ୟ ଆମ ଦେଶର ରାଜନେତା ପଛାଉ ନାହାନ୍ତି। ଜାତୀୟ ଜୀବନରେ ଏଭଳି ଏକ ବିପଜ୍ଜନକ ଧାରା ଅବ୍ୟାହତ ରହିଥିବାବେଳେ ନିକଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ କେତେକ ରାଜନେତା ବିବାଦ ଭିତରକୁ ଟାଣି ନେବା ପାଇଁ ଉଦ୍ୟମ କରିବା ଦେଶବାସୀଙ୍କୁ କ୍ଷୁବ୍ଧ ଓ ଚକିତ କରିଛି।
ସତ୍ୟ ଓ ଅହିଂସାର ଆଜୀବନ ପୂଜାରୀ ଗାନ୍ଧିଜୀ ବିଶ୍ବର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ମହାମାନବ ଭାବରେ ପରିଗଣିତ ହୋଇଥାନ୍ତି। ବୁଦ୍ଧ ଓ ଯିଶୁଙ୍କ ଭଳି ସେ ଆଜି ଦୁନିଆର ବହୁ ଦେଶରେ ପୂଜିତ ଓ ସମ୍ମାନିତ। ମହାତ୍ମା ଗାନ୍ଧୀ କେବଳ ଭାରତୀୟ ସ୍ବାଧୀନତା ସଂଗ୍ରାମର ମହାରଥୀ ନଥିଲେ, ସ୍ବଦେଶୀ, ସ୍ବାଭିମାନ ଓ ସ୍ବାବଲମ୍ବନଶୀଳତାର ପ୍ରତୀକ ଭାବରେ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ସଂସ୍କାର ଆଣିବା ନିମନ୍ତେ ପଥ ପ୍ରଦର୍ଶନ କରିଥିଲେ। ସମାଜରୁ ଛୁଆଁଅଛୁଆଁ ଭେଦଭାବ ଦୂର କରିବା, ନାରୀ ସ୍ବାଧୀନତା, ‘କୁଟି ଖାଅ- କାଟି ପିନ୍ଧ’ ମନ୍ତ୍ରର ସ୍ରଷ୍ଟା ଭାବରେ ଦେଶକୁ ‘ସ୍ବଦେଶୀ’ ବାର୍ତ୍ତାର ପ୍ରଚାର କ୍ଷେତ୍ରରେ ବାପୁଜୀ ଅଗ୍ରଗାମୀ ଭୂମିକା ଗ୍ରହଣ କରିଥିଲେ। ଏଭଳି ଜଣେ ମହାମାନବ ସବୁ ପ୍ରକାର ବାଦବିବାଦର ଊର୍ଦ୍ଧ୍ବରେ ଥିବାବେଳେ ତାଙ୍କ ନାମକୁ ରାଜନୈତିକ ବିବାଦ ଓ ବିତର୍କ ଭିତରକୁ ଟଣାଯିବା ଅସ୍ପୃହଣୀୟ ଓ ଅବାଞ୍ଛିତ ମନେ ହେଉଛି।
ଏଇ କିଛି ଦିନ ତଳେ କର୍ଣ୍ଣାଟକର ଜଣେ ବିଜେପି ନେତା ଅନନ୍ତ କୁମାର ହେଗ୍‌ଡ଼େ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ତିନି ଦଶନ୍ଧି ଧରି ଚାଲିଥିବା ସ୍ବାଧୀନତା ସଂଗ୍ରାମକୁ ଏକ ‘ଡ୍ରାମା’ ବୋଲି ବର୍ଣ୍ଣନା କରିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ତାଙ୍କର ଏହି ଦୁର୍ଭାଗ୍ୟଜନକ ମନ୍ତବ୍ୟ ୧୯୨୦ରୁ ୧୯୪୭ ମସିହା ମଧ୍ୟରେ ଦେଶବ୍ୟାପୀ ଜୁଆର ସୃଷ୍ଟି କରିଥିବା ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ବିଦେଶୀ ବସ୍ତ୍ର ବର୍ଜନ ଆନ୍ଦୋଳନ (୧୯୩୨), ବ୍ୟକ୍ତିଗତ ସତ୍ୟାଗ୍ରହ (୧୯୪୦) ଏବଂ ଅଗଷ୍ଟ କ୍ରାନ୍ତି ବା ଭାରତ ଛାଡ଼ ଆନ୍ଦୋଳନରେ (୧୯୪୨) ଝାସ ଦେଇ ଅସୀମ ଦୁଃଖ ନିର୍ୟାତନା ସହିଥିବା ଅଗଣିତ ସଂଗ୍ରାମୀଙ୍କ ପ୍ରତି ଅସମ୍ମାନ କହିଲେ ଭୁଲ ହେବ ନାହିଁ। ଏହିସବୁ ସଂଗ୍ରାମରେ ବହୁ ବୀର ଯୋଦ୍ଧା ଜୀବନର ସୁଖ ସମ୍ଭୋଗକୁ ଜଳାଞ୍ଜଳି ଦେଇ ନିଜକୁ ଉତ୍ସର୍ଗ କରିଥିଲେ ଏବଂ ଦୈହିକ ନିର୍ୟାତନା ସହ୍ୟ କରିବା ସାଙ୍ଗକୁ ବର୍ଷବର୍ଷ ଧରି ଜେଲଦଣ୍ଡ ଭୋଗିଥିଲେ। ଅନେ​‌େ​‌କ ଫାଶୀ ଖୁଣ୍ଟରେ ଝୁଲିଥିଲେ। ସେମାନଙ୍କ ତ୍ୟାଗ ଓ ସାଧନା ଯୋଗୁଁ ଆଜି ଭାରତ ସ୍ବାଧୀନତା ହାସଲ କରିଥିବାବେଳେ ଏହି ବିଜେପି ନେତାଙ୍କ ‘ଡ୍ରାମା ମନ୍ତବ୍ୟ’ କେବଳ ତାଙ୍କର ଅଜ୍ଞତାର ପରିଚୟ ଦେଉଛି। ହରିୟାଣାର ଜଣେ ବିଜେପି ମନ୍ତ୍ରୀ ଆଉ ପାଦେ ଆଗେଇ ଯାଇ ମନ୍ତବ୍ୟ ରଖିଛନ୍ତି-‘ ଆମ ଟଙ୍କାରେ ଗାନ୍ଧିଜୀଙ୍କ ଫଟୋ ରହିଥିବାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମିଯାଉଛି।’ ଏଭଳି ମନ୍ତବ୍ୟ ଦେଇ ସେ ପରୋକ୍ଷରେ ଟଙ୍କାରୁ ମହାତ୍ମାଙ୍କ ଫଟୋ ହଟାଇ ଦେବାକୁ ପରାମର୍ଶ ଦେଇଛନ୍ତି। ସେହି ଦଳର ଅନ୍ୟ ଜଣେ ନେତାଙ୍କ ବୟାନ ଥିଲା- ମହାତ୍ମା ଗାନ୍ଧୀ ଚାହିଁଥିଲେ ସହିଦ୍‌ ଭଗତ ସିଂହ, ରାଜଗୁରୁ ଓ ସୁଖ୍‌ଦେବଙ୍କୁ ଫାଶୀ ଦଣ୍ଡରୁ ବଞ୍ଚାଇ ଦିଆଯାଇ ପାରିଥାଆନ୍ତା। ମାତ୍ର ଗାନ୍ଧିଜୀ ତାହା ଚାହିଁଲେ ନାହିଁ ଓ ତିନି ଦେଶପ୍ରେମୀଙ୍କୁ ଫାଶୀ ଖୁଣ୍ଟରେ ଝୁଲିବାକୁ ହେଲା। ଏହି ଉକ୍ତିର କେତେଦୂର ସତ୍ୟତା ରହିଛି, ତାହା ଅଧ୍ୟୟନ ଓ ଗବେଷଣାର ବିଷୟବସ୍ତୁ, କିନ୍ତୁ ଗୋଟିଏ ଘଟଣା ଏହାର ଅସାରତାକୁ ପ୍ରମାଣିତ କରୁଛି। ସହିଦ୍‌ ଭଗତ୍‌ ସିଂହ, ସୁଖଦେବ ଓ ରାଜଗୁରୁ ଲା‌େହାର ଜେଲରେ ଫାଶୀ ପାଇବା ପରେ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନ କରାଚୀରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସଭାପତିତ୍ବ କରିଥିଲେ ସର୍ଦାର ବଲ୍ଲଭଭାଇ ପଟେଲ। ମହାତ୍ମା ଗାନ୍ଧୀ ଏଥିରେ ଯୋଗଦେବା ପାଇଁ ଟ୍ରେନ୍‌ ଯୋଗେ କରାଚୀକୁ ଯାତ୍ରା କରିବା ସମୟରେ ସେହି ଟ୍ରେନ୍‌ରେ ତାଙ୍କର ସହଯାତ୍ରୀ ଥିଲେ ଭଗତ୍‌ ସିଂହଙ୍କ ପିତା ଓ ସହିଦ ରାଜଗୁରୁଙ୍କ ମାତା। ଗାନ୍ଧିଜୀଙ୍କ ପ୍ରତି ଦୁଇ ସନ୍ତାନହରା ପିତାମାତାଙ୍କର ବିପୁଳ ଶ୍ରଦ୍ଧା ଓ ସମ୍ମାନର ଏହା ଥିଲା ନିଦର୍ଶନ। ବିସ୍ମୟର ବିଷୟ ହେଉଛି ଯେଉଁ ଦଳର ନେତାମାନେ ଗାନ୍ଧିଜୀଙ୍କ ପ୍ରତି ଏଭଳି ସମାଲୋଚନାମୂଳକ ମନ୍ତବ୍ୟ ଦେଇଛନ୍ତି ସେହି ଦଳର ବରିଷ୍ଠ ନେତା ସ୍ବର୍ଗତ ଅରୁଣ ଜେଟ୍‌ଲୀ ଭାରତର ଅର୍ଥମନ୍ତ୍ରୀ ଥିବାବେଳେ ବ୍ରିଟିଶ୍‌ ପାର୍ଲାମେଣ୍ଟ ଭବନ ସମ୍ମୁଖରେ ଗାନ୍ଧିଜୀଙ୍କର ବାରଫୁଟ ଉଚ୍ଚତାର ଏକ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିଥିଲେ। ଯେଉଁ ବ୍ରିଟିଶ ସାମ୍ରାଜ୍ୟବାଦକୁ ହଟାଇବା ପାଇଁ ଗାନ୍ଧିଜୀ ସଂଗ୍ରାମ ଚଳାଇଥିଲେ, ସେହି ଦେଶର ରାଜଧାନୀର କେନ୍ଦ୍ରସ୍ଥଳରେ ତାଙ୍କର ପ୍ରତିମୂର୍ତ୍ତି ସଗର୍ବରେ ଠିଆ ହେବା ତାଙ୍କର ମହାନତାର ଜୟଗାନ କରୁଛି।
ରାଜନୈତିକ କ୍ଷେତ୍ରରେ ମଧ୍ୟରେ ମତପାର୍ଥକ୍ୟ ରହିଥାଇପାରେ ଏବଂ ନୀତି ଓ କାର୍ୟ୍ୟକ୍ରମ ଭିତ୍ତିରେ ପରସ୍ପରକୁ ସମାଲୋଚନା କରାଯାଇପାରେ। ମାତ୍ର ଏହି ବିବାଦ ଭିତରକୁ ଜାତିର ପିତାଙ୍କ ନାମକୁ ଟାଣିବା ଅତ୍ୟନ୍ତ ଖରାପ ପରମ୍ପରା ସୃଷ୍ଟି କରୁଛି। ବିଶେଷକରି ମହାତ୍ମାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ସାରା ବିଶ୍ବ ଆଜି ପ୍ରସ୍ତୁତି ଚଳାଇଥିବାବେଳେ ନିଜ ଦେଶ ଭିତରର କିଛି ରାଜନେତା ତାଙ୍କର ବିଶାଳ ବ୍ୟକ୍ତିତ୍ବ ପ୍ରତି ଅଙ୍ଗୁଳି ନିର୍ଦେଶ କରିବା ହିମାଳୟ ପର୍ବତକୁ ଟେକାମାଡ଼ କଲାଭଳି ମନେ ହେଉଛି। ରାଜନୈତିକ କ୍ଷେତ୍ରରେ ଶାଳୀନତା ରକ୍ଷା କରିବା ସହିତ ପ୍ରତିଦ୍ବନ୍ଦ୍ବୀମାନଙ୍କ ପ୍ରତି ସମ୍ମାନ ଓ ସହନଶୀଳତା ପ୍ରଦର୍ଶନ କରାଗଲେ ଗଣତାନ୍ତ୍ରିକ ମୂଲ୍ୟବୋଧର ପୁନଃପ୍ରତିଷ୍ଠା ସମ୍ଭବପର ହୋଇପାରିବ। ଏହାହିଁ ମହାତ୍ମା ଗାନ୍ଧୀଙ୍କ ନୈତିକତାପୂର୍ଣ୍ଣ ସାଧନାମୟ ଜୀବନ ମୂଳମନ୍ତ୍ର ଥିଲା।
ପ୍ରଦୋଷ ପଟ୍ଟନାୟକ
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ବର

Comments are closed.