ଗାନ୍ଧିଜୀଙ୍କ ପରିକଳ୍ପିତ ସମୃଦ୍ଧ ଓଡ଼ିଶା

‘ଭାରତରେ ଓଡ଼ିଶା ମୋର ପ୍ରିୟତମ ସ୍ଥାନ। ଦକ୍ଷିଣ ଆଫ୍ରିକାରୁ ଫେରି ଭାରତରେ କାମ ଆରମ୍ଭ କରିବା ଦିନୁ ଓଡ଼ିଶାର ଦାରିଦ୍ର୍ୟ ଓ ଦୁର୍ଭିକ୍ଷ କଥା ଶୁଣି ଆସିଛି। ଓଡ଼ିଶାର କିଛି ସେବା କରିପାରିଲେ ଭାରତର ସେବା ହେବ ବୋଲି ମୁଁ ସେହି ସମୟରୁ ଉପଲବ୍ଧି କରିଥିଲି। ପରେ ଓଡ଼ିଶା ତ ମୋ ପାଇଁ ପରିଣତ ହୋଇଗଲା ଏକ ତୀର୍ଥ କ୍ଷେତ୍ରରେ।’ ଏକ ସର୍ବଭାରତୀୟ ସମ୍ମିଳନୀରେ ଏ ବକ୍ତବ୍ୟ ଥିଲା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର। ଏଥିରୁ ଓଡ଼ିଶା ସହ ତାଙ୍କର ନିବିଡ଼ ଆତ୍ମିକ ସମ୍ପର୍କ ବାରି ହୋଇପଡ଼େ।
ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ଗାନ୍ଧିଜୀ ବିଭିନ୍ନ ଭାବରେ ପ୍ରଭାବିତ ହୋଇଥିଲେ। ଏହାଛଡ଼ା ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର, ମା’ ରମାଦେବୀ, ସଂଗ୍ରାମୀ ଗୋବିନ୍ଦ ମିଶ୍ର ପ୍ରମୁଖ ଓଡ଼ିଶା ସହ ଗାନ୍ଧିଜୀଙ୍କୁ ଯୋଡ଼ିବାରେ ବିଶେଷ ଯୋଗଦାନ ଦେଇଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଅଭିଯାନ ଚାଲିଥିବା ବେଳେ ଗାନ୍ଧିଜୀ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ଉପରେ କେବଳ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାର ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କ ପାଇଁ ଗାନ୍ଧିଜୀ ସହାୟତାର ହାତ ବଢ଼ାଇ ହଜାରହଜାର ଲୋକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସ ତାଙ୍କ ପାଇଁ ଦ୍ୱିତୀୟ ଟଲ୍‌ଷ୍ଟୟ ଥିଲେ ବୋଲି ଗାନ୍ଧିଜୀ ଉଲ୍ଲେଖ କରିବା ସହିତ କଟକରେ ତାଙ୍କର ଦୁଇଥର ଆତିଥ୍ୟ ଗ୍ରହଣ କରିଥିଲେ। ଖଦି ଓ କୁଟିର ଶିଳ୍ପ ଏବଂ ଲବଣ ଶିଳ୍ପ ସଂକ୍ରାନ୍ତରେ ମଧୁବାବୁ ଓ ଗୋପବନ୍ଧୁଙ୍କ ଦ୍ୱାରା ସେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ମଧ୍ୟ ବାରମ୍ବାର ଉଲ୍ଲେଖ କରିଛନ୍ତି। ଗୋପବନ୍ଧୁଙ୍କ ଭଳି ଅଳ୍ପ କେତେଜଣ ସଂକଳ୍ପବଦ୍ଧ ନେତା ତଥା ସଚ୍ଚା ଦେଶ ସେବକ ମିଳିଗଲେ ଖୁବ୍ କମ୍ ଦିନରେ ସ୍ୱରାଜ ହାସଲ ହୋଇପାରିବ ବୋଲି ଗାନ୍ଧିଜୀ ଉଲ୍ଲେଖ କରିଛନ୍ତି। ରମାଦେବୀଙ୍କ ନେତୃତ୍ୱରେ ଓଡ଼ିଶାର ନାରୀ କର୍ମୀମାନଙ୍କର ଉଲ୍ଲେଖନୀୟ କାମକୁ ଗାନ୍ଧିଜୀ ବହୁବାର ପ୍ରଶଂସା କରିଛନ୍ତି।
ଓଡ଼ିଶାକୁ ଗାନ୍ଧିଜୀ ୮ ଥରରେ ଆସି କଟାଇଛନ୍ତି ୬୯ ଦିନ। ୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧିଜୀ ପ୍ରଥମ ଓଡ଼ିଶା ଗସ୍ତରେ ଆସି କଟକ କାଠଯୋଡ଼ି ନଦୀ ଶଯ୍ୟାରେ ଗୋପବନ୍ଧୁ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭା ସମେତ ଆଉ କେତେକ ବୈଠକରେ ଭାଷଣ ଦେଇଥିଲେ। କଟକରୁ ଭଦ୍ରକ ଏବଂ ତା’ ପରେ ସାକ୍ଷୀଗୋପାଳ, ପୁରୀ, ବ୍ରହ୍ମପୁର ଆଦି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମଧୁବାବୁଙ୍କ ନିମନ୍ତ୍ରଣ କ୍ରମେ ୧୯୨୫ରେ ଗାନ୍ଧୀଜୀ ୧୯ ଓ ୨୦ ଅଗଷ୍ଟରେ କଟକ ଆସି ମଧୁବାବୁଙ୍କ ଘରେ ରହିବା ସହିତ ଉତ୍କଳ ଟ୍ୟାନେରୀ ଓ କୁଷ୍ଠାଶ୍ରମ ପରିଦର୍ଶନ କରିଥିଲେ। ୧୯୨୭ ଡିସେମ୍ବର ୩ରୁ ୨୧ ପର୍ଯ୍ୟନ୍ତ ଗାନ୍ଧିଜୀ ପାରଳାଖେମୁଣ୍ଡି, ବ୍ରହ୍ମପୁର, ଆସିକା, ଖଲ୍ଲିକୋଟ, ରମ୍ଭା, ବାଣପୁର, ବୋଲଗଡ଼, ଖୋର୍ଦ୍ଧା, ସାକ୍ଷିଗୋପାଳ, ପୁରୀ, ବାଲେଶ୍ୱର, ଜଳେଶ୍ୱର, ସୋର, ଭଦ୍ରକ, ଚାରିବାଟିଆ, ବାଲିଆପାଳ, କଟକ ଆଦି ବହୁ ସ୍ଥାନ ଗସ୍ତ କରିଥିଲେ। କନିକା ପ୍ରଜା ଆନ୍ଦୋଳନର ସ୍ଥିତି ପରଖିବା ଲାଗି ମଧ୍ୟ ଗାନ୍ଧିଜୀ ଡଙ୍ଗା ଯୋଗେ କେତେକ ଅଞ୍ଚଳକୁ ନଈରେ ଯାଇଥିଲେ।
୧୯୩୪ ମସିହାରେ ଗାନ୍ଧିଜୀଙ୍କ ପଞ୍ଚମ ଓଡ଼ିଶା ଗସ୍ତ ମାତ୍ର ୧୨ ଦିନ ପାଇଁ ଥିବା ବେଳେ ଅପ୍ରତ୍ୟାଶିତ ଭାବେ ସେ ଏହି କାର୍ଯ୍ୟକ୍ରମ ପରିବର୍ତ୍ତନ କରି ଦୁଇଟି ପର୍ଯ୍ୟାୟରେ ପୁରୀରୁ କଟକ ଏବଂ ବୈରୀରୁ ଚମ୍ପାପୁର ହାଟ, ସତ୍ୟଭାମାପୁର, ନିଶ୍ଚିନ୍ତକୋଇଲି, କେନ୍ଦ୍ରାପଡ଼ା, ବାରିମୂଳ, ଇନ୍ଦୁପୁର, କାଇପଡ଼ା, ବରୀ, ଯାଜପୁର, ଭଣ୍ଡାରୀପୋଖରୀ, ତୋଡ଼ଙ୍ଗ ଦେଇ ଭଦ୍ରକର ଜୀବରାମ୍ଜୀ କଲ୍ୟାଣ୍ଜୀଙ୍କ ସେବାଶ୍ରମରେ ପଞ୍ଚିଥିଲେ। ୬୫ ବର୍ଷ ବୟସ୍କ ଗାନ୍ଧୀ ୩୦ରୁ ୩୬ ଡିଗ୍ରୀ ତାପମାତ୍ରା ସହିତ ପ୍ରଚଣ୍ଡ ଗୁଳଗୁଳି ଭିତରେ ଓଡ଼ିଶାରେ ଯେଉଁ ବ୍ୟାପକ ପଦଯାତ୍ରା କରିଥିଲେ ତାହା ଏବେ ଇତିହାସର କଥାବସ୍ତୁ। ୧୯୩୪ ମେ’ ୫ ତାରିଖରେ ଗାନ୍ଧିଜୀ ଝାରସୁଗୁଡ଼ା ଓ ସମ୍ବଲପୁରରେ କାର୍ଯ୍ୟକ୍ରମ ସାରି ବାମୁର୍, ଅନୁଗୁଳ, ହିନ୍ଦୋଳ ରୋଡ୍ ଦେଇ ରେଳ ଯୋଗେ ପୁରୀରେ ପହଞ୍ଚିଥିଲେ ମେ’ ୭ ତାରିଖରେ। ଆଠ ତାରିଖରେ ଶ୍ରୀମନ୍ଦିର ନିକଟରେ ବଡ଼ଦାଣ୍ଡରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ୯ ତାରିଖରୁ ପଦଯାତ୍ରା ଲାଗି ହଠାତ୍ ଘୋଷଣା କରିଥିଲେ। ଗାନ୍ଧିଜୀଙ୍କ ସପ୍ତମ ଓଡ଼ିଶା ଗସ୍ତ ଥିଲା ୧୯୩୮ ମାର୍ଚ୍ଚ ୨୪ରୁ ୩୧ ପର୍ଯ୍ୟନ୍ତ। ପୁରୀ ଜିଲ୍ଲାର ଡେଲାଙ୍ଗ ନିକଟବର୍ତ୍ତୀ ବେରବୋଇ ଗାଁ ଗହୀରରେ ନିର୍ମିତ ପ୍ରାୟ ୪୦୦ ଚାଞ୍ଚଡ଼ା କୁଡ଼ିଆ ଘରେ ଗାନ୍ଧିଜୀ, କସ୍ତୁରବାଙ୍କ ସମେତ ରାଜେନ୍ଦ୍ର ପ୍ରସାଦ, ସର୍ଦାର ବଲ୍ଲଭଭାଇ ପଟେଲ, ମୌଲାନା ଆଜାଦ୍, ଆଚାର୍ଯ୍ୟ ଜେ.ବି କୃପାଳିନୀଙ୍କ ସମେତ ଦେଶର ବହୁ ଜଣାଶୁଣା ନେତା ସପ୍ତାହବ୍ୟାପୀ ରହିଥିଲେ।
ଅସ୍ପୃଶ୍ୟତାକୁ ସନାତନ ଧର୍ମର ସବୁଠାରୁ କଳଙ୍କ ବୋଲି ଗାନ୍ଧିଜୀ ଅଭିହିତ କରିବା ସହିତ ଅସ୍ପୃଶ୍ୟତା ନିବାରଣ ଅଭଯାନ ଆରମ୍ଭ କରିଥିଲେ। ଯେଉଁସବୁ ମନ୍ଦିରକୁ ହରିଜନଙ୍କ ପ୍ରବେଶ ନିଷିଦ୍ଧ ସେଠାକୁ ସେ କିମ୍ବା ଅସ୍ପୃଶ୍ୟତା ନିବାରଣ ଅଭିଯାନରେ ସାମିଲ ସ୍ୱେଚ୍ଛାସେବୀମାନେ ଯିବେ ନାହିଁ ବୋଲି ଘୋଷଣା ସତ୍ତ୍ବେ ଭୁଲ୍ ବୁଝାମଣା ଯୋଗୁ କସ୍ତୁରବା ବେରବୋଇରୁ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏଥିରେ ବ୍ୟଥିତ ହୋଇ ଗାନ୍ଧିଜୀ ଉପବାସ କରିବାରୁ କସ୍ତୁରବାଙ୍କୁ ଅନୁତାପ କରିବାକୁ ପଡ଼ିଥିଲା। ୧୯୪୬ ମସିହାରେ ଗୌହାଟୀରୁ ମାନ୍ଦ୍ରାଜ ରେଳରେ ଯିବା ବାଟରେ ଗାନ୍ଧିଜୀ ବାଲେଶ୍ୱର, ଭଦ୍ରକ, କଟକ ଓ ବ୍ରହ୍ମପୁର ରେଳ ଷ୍ଟେସନରେ ଲୋକଙ୍କୁ ଭେଟିଥିଲେ। ତାଙ୍କର ବାରମ୍ବାର ଓଡ଼ିଶା ଗସ୍ତରୁ ସୃଷ୍ଟି ହୋଇଥିଲେ ହଜାରହଜାର ସ୍ୱାଧୀନତା ସଂଗ୍ରାମୀ ଓ ରଚନାତ୍ମକ କର୍ମୀ।
ଓଡ଼ିଶା ବିତ୍ପାତ ସମୟରେ ଗାନ୍ଧିଜୀ ୧୯୨୦ ମସିହାରେ ନବଜୀବନ ପତ୍ରିକାରେ ଲେଖିଥିଲେ, “ନୂଆ ଭାରତ ଓଡ଼ିଶା ଭଳି ଗୋଟାଏ ପ୍ରାଚୀନ ଜାତିର ଭସ୍ମାବଶେଷ ଉପରେ ଗଢ଼ାଯାଇ ନପାରେ…..’ ଓଡ଼ିଶାର ଶିଳ୍ପୀମାନଙ୍କ କାରୁକାର୍ଯ୍ୟର ଭୂୟସୀ ପ୍ରଶଂସା କରି ସେମାନେ ରାଜ୍ୟର ଭାଗ୍ୟ ବଦଳାଇ ଦେଇପାରିବେ ବୋଲି ଆଶାବ୍ୟକ୍ତ କରିବା ସଙ୍ଗେସଙ୍ଗେ ଓଡ଼ିଶାବାସୀ ନିଶା, ଆଳସ୍ୟ ଓ ଜଡ଼ତାରୁ ଊର୍ଦ୍ଧ୍ବରେ ରହି ରାଜ୍ୟକୁ ଦେଶର ଖାଦ୍ୟ ଓ ଖଦିର ଭଣ୍ଡାରରେ ପରିଣତ କରିପାରିଲେ ଓଡ଼ିଶା ପୁଣି ତା’ର ପୂର୍ବ ଐତିହ୍ୟ ଫେରିପାଇ ଦେଶର ଅଗ୍ରଗଣ୍ୟ ରାଜ୍ୟରେ ପରିଣତ ହୋଇପାରିବ ବୋଲି ସେ ଉଲ୍ଲେଖ କରିଯାଇଛନ୍ତି। ଓଡ଼ିଶାର ବନ୍ୟା ବିତ୍ପାତ ଅନୁଧ୍ୟାନ କରି ପ୍ରତିକାର ଲାଗି ବାଟ କାଢ଼ିବାକୁ ଗାନ୍ଧିଜୀଙ୍କ ଡାକରାରେ ସେତେବେଳର ଖ୍ୟାତନାମା ଯନ୍ତ୍ରୀ ସାର୍ ବିଶ୍ୱେଶ୍ୱରେୟା ନିଜ ଖର୍ଚ୍ଚରେ ଏଠାକୁ ଆସି ଯେଉଁ ତଥ୍ୟ ଦେଇଥିଲେ ତାହାରି ଆଧାରରେ ପରବର୍ତ୍ତୀ କାଳରେ ତିଆରି ହେଲା ହୀରାକୁଦ ବନ୍ଧ।
ଆମକୁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଗ୍ରାମ ସ୍ୱରାଜର ସଫଳ ରୂପାୟନ କରି ପ୍ରତିଟି ଗାଁକୁ ଗୋଟିଏଗୋଟିଏ ରିପବ୍ଲିକ୍‌ରେ ପରିଣତ କରିବାକୁ ପଡ଼ିବ। କୃଷି ସହ କୁଟୀର ଓ ଗ୍ରାମ୍ୟ ଶିଳ୍ପର ବିକାଶ ଘଟାଇବା ସଙ୍ଗେସଙ୍ଗେ ପ୍ରତି ହାତକୁ କାମ ଓ ପ୍ରତି କ୍ଷେତକୁ ପାଣି ଯୋଗାଇବା ଲାଗି ସକାରାତ୍ମକ ଓ ସମୟଭିତ୍ତିକ କାର୍ଯ୍ୟକ୍ରମ ନେବାକୁ ହେବ। ଗାନ୍ଧିଜୀଙ୍କ ପ୍ରଦର୍ଶିତ ମୌଳିକ ଶିକ୍ଷାଠାରୁ ଆରମ୍ଭ କରି ସ୍ୱଦେଶୀ, ସ୍ୱାବଲମ୍ବନଶୀଳତା, ସ୍ୱାଭିମାନ, ସାମ୍ପ୍ରଦାୟିକ ସଦ୍ଭାବ, ଭାଇଚାରା ଆଦିକୁ ପାଥେୟ କରି ପ୍ରଦୂଷଣମୁକ୍ତ ଏକ ସ୍ୱଚ୍ଛ ଓ ସମୃଦ୍ଧ ଓଡ଼ିଶା ପୁନର୍ଗଠନ ଲାଗି ଧନ ଅପେକ୍ଷା ଆଜି ଅଧିକ ଲୋଡ଼ା ପଡ଼ୁଛି ଗାନ୍ଧୀ-ଗୋପବନ୍ଧୁଙ୍କ ଭଳି ସଂକଳ୍ପବଦ୍ଧ ସଂଗ୍ରାମୀ ସାଧକଙ୍କ ମନର।

ସୁରେନ୍ଦ୍ର ନାଥ ନାୟକ
ପୂର୍ବତନ ମନ୍ତ୍ରୀ
ଅଣକଣା, କୁସୁମ୍ବର, ଅସ୍ତରଙ୍ଗ, ପୁରୀ

Comments are closed.