ଆଜି ମହାତ୍ମା ଗାନ୍ଧୀଙ୍କ ୭୨ତମ ତିରୋଧାନ ଦିବସ

ତୁମେ ଥରେ ଫେରି ଆସ

ଆଜି ମହାତ୍ମା ଗାନ୍ଧୀଙ୍କ ୭୨ତମ ତିରୋଧାନ ଦିବସରେ ତାଙ୍କର ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ବେଳେ କାହିଁକି କେଜାଣି ବଡ଼ ଆକୁଳ କଣ୍ଠରେ ପାଟିରୁ ବାହାରି ଆସିଲା ‘ହେ ଗାନ୍ଧୀ! ତୁମେ ଥରେ ଫେରି ଆସ’। ନିଜ ଉଚ୍ଚାରଣରେ ନିଜେ ସମ୍ବିତ ଫେରି ପାଇଲି, କିନ୍ତୁ ତା’ପରେ ପୁଣି ନିଜକୁ ପଚାରିଲି ସତରେ କ’ଣ ଗାନ୍ଧୀ ଫେରି ଆସିବା ଉଚିତ ହେବ ? ସେ ଛାଡ଼ି ଯାଇଥିବା ଭାରତ ବର୍ଷକୁ ସେ ଫେରି ଆସି କିପରି ଦେଖିବେ ? ଦେଖିକି ବି ସତରେ ସେ କ’ଣ କିଛି ପରିବର୍ତ୍ତନ କରିପାରିବେ ? ଦେଶ ସ୍ବାଧୀନ ହେଲା ବେଳେ ଦୁଇ ଧାର ଲୁହ ଝରାଇ ସେ କହିଥିଲେ, – “ଯେଉଁ ସ୍ୱାଧୀନ ଭାରତର ସ୍ବପ୍ନ ମୁଁ ଦେଖିଥିଲି ସେ ସ୍ୱାଧୀନତା ଏହା ନୁହେଁ”। ପୁଣି ଫେରି ସେ କ’ଣ ଦେଖିବେ ତାଙ୍କର ତିରୋଧାନର ୭୨ ବର୍ଷ ପରେ ମଧ୍ୟ ତାଙ୍କର ସୁନାର ଭାରତର ସ୍ବପ୍ନ ଏବେ ବି ସ୍ବପ୍ନ ହୋଇ ରହିଛି! ଗାନ୍ଧିଜୀ କହୁଥିଲେ, ‘ଯେଉଁଦିନ ମଧ୍ୟରାତ୍ରିରେ ମହିଳାଟିଏ ଏକାକୀ ରାସ୍ତାରେ ସୁରକ୍ଷିତ ଭାବରେ ଯାଇପାରିବ ସେହିଦିନ ବାସ୍ତବିକ ଭାରତ ସ୍ୱାଧୀନ ହେବ।’ କାହିଁ? ସେ ଯେତେବେଳେ ଦେଖିବେ ଯେ ଆଉ ବ୍ରିଟିଶମାନଙ୍କ ଦ୍ୱାରା ନୁହେଁ, ନିଜ ଜାତିର, ନିଜ ପରିବାରର, ନିଜ ପଡ଼ୋଶୀ ଦ୍ୱାରା ୬୦ ବର୍ଷର ମହିଳା ଓ ୩ ବର୍ଷର ଶିଶୁଟିଏ ମଧ୍ୟ ଦିନ ଦ୍ବିପ୍ରହରରେ ରାଜରାସ୍ତାରେ ବଳାତ୍କାରର ଶିକାର ହେଉଛି ସେ ଦେଖି ସହ୍ୟ କରି ପାରିବେ ତ? ଯେତେବେଳେ ଦେଖିବେ ଏଠି ନିଜେ ରକ୍ଷକ ହିଁ ଭକ୍ଷକ ହେଇଛି ସେ ଯେତେବେଳେ ଜାଣିବେ ଆଜି ବି ସାମ୍ପ୍ରଦାୟିକତା ରାଜନୀତିର ଏକ ଅଧ୍ୟାୟ ହେଇଛି ଆଉ ଯେତେବେଳେ ସେ ଅନୁଭବ କରିବେ ଯେ ଆଜି ମନୁଷ୍ୟ ସହର ଅପେକ୍ଷା ଜଙ୍ଗଲକୁ ଅଧିକ ସୁରକ୍ଷିତ ମଣୁଛି, କିଭଳି ହେବ ତାଙ୍କର ମାନସିକ ସ୍ଥିତି? ଆଜି ବି ରାଜସ୍ଥାନର ଅପହଞ୍ଚ ଗ୍ରାମରେ କନ୍ୟା ଶିଶୁକୁ କ୍ଷୀରରେ ବୁଡ଼ାଇ ହତ୍ୟା କରାଯାଉଛି; ଆଜିବି ଭାରତ ବାଲ୍ୟବିବାହରେ ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଛି; ଏବେ ବି ମଣିଷ ମୁକ୍ତ ହୋଇପାରିନି ଛୁଆଁଅଛୁଆଁର ଭେଦଭାବରୁ; ସରିନାହିଁ ଧନୀ ଓ ଗରିବର ପ୍ରଭେଦ, ବରଂ ଧନୀ ଆହୁରି ଧନୀ ଓ ଗରିବ ଆହୁରି ଗରିବ ହୋଇଚାଲିଛି। ସମାନତା ନାଁ ରେ ଅସମାନତା, ସେବା ନାଁରେ ଶୋଷଣ। ପାଶବିକତା ଆଜି ମନୁଷ୍ୟର ଧର୍ମ ପାଲଟିଛି। ଜୀବଜନ୍ତୁ ତ ଦୂର କଥା ମନୁଷ୍ୟ ସାଜିଛି ମନୁଷ୍ୟର ଶତ୍ରୁ। ଭାରତମାତା ତା’ର ଧର୍ଷିତା ଝିଅର ଶବକୁ କୋଳରେ ଧରି ନ୍ୟାୟ ପାଇଁ ଦୁଆର ଦୁଆର ବୁଲୁଛି; କାଶ୍ମୀରଠାରୁ କନ୍ୟାକୁମାରୀ ସବୁଠି ଅବଳା ଦୁର୍ବଳାର କ୍ରନ୍ଦନ ଧ୍ୱନି। ଚତୁର୍ଦିଗରେ ଅବିଶ୍ୱାସ, ସନ୍ଦେହ, ହିଂସା,​‌‌େ‌​ଦ୍ବଷ, ଛଳନା। କଷ୍ଟସାଧ୍ୟ ସ୍ବାଧୀନତାର ମୂଲ୍ୟବୋଧ ରାଜରାସ୍ତାରେ ନିଲାମ ହେଉଛି। ସର୍ବଧର୍ମ ପ୍ରିୟ ଭାରତ ଆଜି ରାମ, ରହିମ, ଯିଶୁ ଓ ଆଲ୍ଲାଙ୍କ ନାମରେ ଭାଗଭାଗ।
ରାଜନୈତିକ ଅଭିସନ୍ଧି ନେଇ ଯୁବବର୍ଗଙ୍କୁ ଉଦ୍‌ଭ୍ରାନ୍ତ କରି ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରାଯାଉଛି। ଦିବାଲୋକରେ ନିଶାସକ୍ତ ହୋଇ ତନ୍ଦ୍ରାଗ୍ରସ୍ତ ଯୁବଗୋଷ୍ଠୀ। ସେମାନଙ୍କ ସମ୍ମୁଖରେ କେହି ନାହାନ୍ତି ଯାହାଙ୍କୁ ଅନୁକରଣ କରି ଆଦର୍ଶ ରୂପ ଅନୁସରଣ କରି ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରିବା ପାଇଁ। ଯେଉଁଥିପାଇଁ ଯେ କୌଣସି ମାଧ୍ୟମରେ ସଫଳତା ହାସଲ କରିବା ପାଇଁ ଯୁବବର୍ଗଙ୍କ ବ୍ୟଗ୍ରତା ଆଜି ସମଗ୍ର ଅର୍ଥନୈତିକ ବଜାରକୁ ଅସ୍ଥିର କରିଛି। ସାମାଜିକ ଓ ପାରିବାରିକ ମୂଲ୍ୟବୋଧର ଅବକ୍ଷୟ ଆଜି ନୈତିକ ଅଧଃପତନର କାରଣ ହୋଇଛି। କିଭଳି ହେବ ଗାନ୍ଧୀଙ୍କ ମନର ଅବସ୍ଥା ? କାହିଁ ତାଙ୍କର ସ୍ୱପ୍ନର ରାମରାଜ୍ୟ? କାହାନ୍ତି ଜନତାର ସେବକ ଜନପ୍ରତିନିଧି? କାହିଁ ସେ ଗ୍ରାମ ସ୍ୱରାଜ? କାହିଁ ସେହି ସହଭାଗିତା? କାହିଁ ସେହି ପୂର୍ଣ୍ଣକ୍ଷମତା? କେଉଁଠି ତାଙ୍କର ସ୍ୱପ୍ନର ଵିସ୍ତାରିତ ଛବି ? ଗାନ୍ଧୀ ବିଚାରଧାରାର ବ୍ୟକ୍ତିଙ୍କ ଅସହାୟତା ଦାନ୍ତ ନିକୁଟି ହସୁଛି। ପରିବର୍ତ୍ତନ ତ ଦୂରର କଥା, ବରଂ ଗାନ୍ଧୀ ଚେତନା ଓ ବିଚାରଧାରାକୁ ନେଇ ଯେଉଁଭଳି କୁତ୍ସିତ ରାଜନୀତି ଚାଲିଛି, ରାଷ୍ଟ୍ରପିତାର ଆସନରେ ବସାଇ ଗାନ୍ଧୀ ତତ୍ତ୍ୱ ଓ ଆଦର୍ଶ ଉପରେ ଯେଉଁ ଅଗଣତାନ୍ତ୍ରିକ ଆକ୍ରମଣ ଚାଲିଛି ତା’କୁ ଦେଖି ସହ୍ୟ କରି ପାରିବେ ତ ମୋର ଅତି ପ୍ରିୟ ବାପୁ ? ଆଖି ଲୁହରେ ଝାପ୍ସା ଦିଶୁଥିଲା ବାପୁଙ୍କ ଅସହାୟ ଓ କରୁଣ ମୁହଁଟି। ହୃଦୟରୁ କେଉଁ କୋଣରୁ ଆର୍ତ୍ତନାଦଟିଏ ବାହାରି ଆସିଲା ହେ ରାମ ….
ଅଧ୍ୟକ୍ଷା, ଓଡ଼ିଶା ଗାନ୍ଧିବାଦୀ ଫୋରମ

Comments are closed.