ଶୈବପୀଠ ଭକ୍ତିମୟ, ଜାଗର ପାଇଁ ଉଜାଗର ଭକ୍ତ

ଆଜି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ, ଦିନ ତାପମାତ୍ରା ଯଦିଓ ଅସହ୍ୟ ତଥାପି ଭକ୍ତମାନଙ୍କ ଭକ୍ତିରେ ଭାବମୟ ହୋଇଉଠିଛି ଶିବମନ୍ଦିର। ସବୁଆଡେ ଭକ୍ତିମୟ ପରିବେଶ।

ଆରଡ଼ି ଆଖଣ୍ଡଳମଣି ପୀଠ
ଆଜି କରୋନା କଟକଣା ଅନୁଯାୟୀ ଭଦ୍ରକ ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି। ମନ୍ଦିରର ପାଳିଆ ସେବାୟତ ଓ ମହାଦ୍ୱୀପ ସେବାୟତମାନେ କୋଭିଡ଼୍‍ କଟକଣା ମାନି ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ବାବାଙ୍କ ନୀତିକାନ୍ତି କରୁଛନ୍ତି। ଅଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଚର୍ତୁପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି। ଆଖଣ୍ଡଳମଣି ପୀଠରେ ରାତି ୩ଟାରେ ମହାଦ୍ୱୀପ ପ୍ରସ୍ତୁତି ସହ ଗୁପ୍ତ ଶୋଡ଼ଷ ପୂଜା ଓ ଭୋର୍‍ ସାଢ଼େ ୪ଟାରେ ମହାଦ୍ୱୀପ ଉଠିବ ବୋଲି ଜଣାପଡିଛି।

କପିଳାସ
ଶିବରାତ୍ରି ଉପଲକ୍ଷେ ରାଜ୍ୟର ଅନ୍ୟତମ ଶୈବପୀଠ ଢ଼େଙ୍କାନାଳର କପିଳାସ ପୀଠରେ ବାବା ଚନ୍ଦ୍ରଶେଖରଙ୍କ ନୀତିକାନ୍ତି ଜାରୀ ରହିଛି। ପ୍ରଶାସନ ପକ୍ଷରୁ ଜିଲ୍ଲା ବାହାରର ଶ୍ରଦ୍ଧାଳୁଙ୍କ ଆସିବା ଉପରେ କଟକଣା ଏବଂ କେବଳ ଜିଲ୍ଲା ଭିତର ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ ମିଳିଥିବା ଯୋଗୁ ଅଳ୍ପ ସଂଖ୍ୟକ ଭକ୍ତ ଏକତ୍ରିତ ହୋଇଛନ୍ତି। ସେବାୟତମାନେ କରୋନା କଟକଣା ପାଳନ ପୂର୍ବକ ମୁହଁରେ ମାସ୍କ ସହ ସାମାଜିକ ଦୂରତ୍ୱ ରକ୍ଷା କରି ପ୍ରଭୁଙ୍କ ନୀତି ସମାପନ କରୁଛନ୍ତି। ତେବେ ସଂନ୍ଧ୍ୟା ପରେ ଶ୍ରଦ୍ଧାଳୁମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାସ୍କ ପରିଧାନ କରି ଜାଗର ଜାଳିବାକୁ ଅନୁମତି ମିଳିଛି। ସେଠାରେ ଭୋର୍‍ ୪ଟାରେ ମହାଦ୍ୱିପ ଉଠିବ ବୋଲି ଜଣାପଡିଛି।

ଲୋକନାଥ ପୀଠ
ପୁରୀ ଲୋକନାଥ ପୀଠରେ ଜାଗର ପର୍ବ ଯୋଗୁ ଭକ୍ତମାନେ ବାରିକେଡ୍‍ ଦେଇ ଧାଡ଼ିରେ ବାବା ଲୋକନାଥଙ୍କୁ ଦର୍ଶନ କରୁଛନ୍ତି।ଚଳିତ ବର୍ଷ କଟକଣା ପାଇଁ ମେଳାରେ ଦୋକାନ ବଜାର ଦେଖିବାକୁ ମିଳିନାହିଁ। ଜାଗର ପଡ଼ିଆରେ ଖାଁ ଖାଁ ପରିବେଶ। କୋଭିଡ଼୍‍ ଗାଇଡ଼୍‍ ଲାଇନ୍‍ ମାନି ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଭକ୍ତ ବାବାଙ୍କ ଦର୍ଶନ କରୁଛନ୍ତି। ପାରମ୍ପରିକ ରୀତିନୀତି ମୁତାବକ ବାବା ଲୋକନାଥଙ୍କ ସମସ୍ତ ନୀତିକାନ୍ତି ଜାରୀ ରଖିଛନ୍ତି ସେବାୟତ ମାନେ। ରାତି ୯ଟାରେ ହରିହର ଭେଟ ଓ ରାତି ୧ଟା ପରେ ମହାଦ୍ୱୀପ ଉଠିବ ବୋଲି ଜଣାପଡିଛି। ଲୋକନାଥ ପୀଠରେ ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର, ୪୦ ଜଣ ପୁଲିସ ଅଫିସର ୧୫ ପ୍ଲାଟୁନ ଫୋର୍ସ ୨୦୦ ହୋମଗାର୍ଡ଼, ୧୦୦ ଜଣ କନେଷ୍ଟବଳ ନିୟୋଜିତ ରହିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ହାତକୁ ନିଆଯାଇଛି।

ବାଲୁଙ୍କେଶ୍ୱରଙ୍କ ପୀଠ
ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‍ ଅନ୍ତର୍ଗତ ବରାଳ ଗ୍ରାମସ୍ଥିତ ବାବା ବରାଳ ବାଲୁଙ୍କେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି। ଭକ୍ତମାନେ କୋଭିଡ଼୍‍ କଟକଣାକୁ ଅନୁପାଳନ କରି ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୁରତା ରକ୍ଷା କରି ବାବାଙ୍କ ଦର୍ଶନ କରୁଛନ୍ତି। ଭକ୍ତମାନେ ମହାଦେବଙ୍କୁ ବେଲପତ୍ର, କ୍ଷୀର, ଜଳାଭିଶେକ ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ପରିଲକ୍ଷିତ ହୋଇଥିଲା। ସଂନ୍ଧ୍ୟାରେ ଭକ୍ତମାନଙ୍କୁ ମନ୍ଦିର ପରିସରରେ ଜାଗର ଜାଳିବା ନେଇ ପ୍ରଶାସନ ଅନୁମତି ଦେଇଥିବା ଜଣାପଡିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସତ୍ୟବାଦୀ ଥାନା ପୋଲିସ ପକ୍ଷରୁ ସେଠାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଜି ମହାଶିବରାତ୍ରି ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭକାମନା ଜଣାଇ ଟ୍ୱିଟ କରିଛନ୍ତି ଯେ ମହାଶିବରାତ୍ରିର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା। ଦେବୀ ପାର୍ବତୀ ଓ ଭଗବାନ ଶିବଙ୍କ ବିବାହର ପବିତ୍ର ସ୍ମରଣ ସ୍ୱରୂପ ମନା ଯାଉଥିବା ଏହି ଉତ୍ସବ ସମ୍ପୂର୍ଣ ମାନବିକତା ପାଇଁ କଲ୍ୟାଣକାରୀ ହେଉ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇ ଟ୍ୱିଟ କରିଛନ୍ତି ଯେ ଦେଶବାସୀଙ୍କୁ ମହାଶିବରାତ୍ରିର ପବିତ୍ର ଅବସରରେ ଅନେକ ଶୁଭକାମନା। ହର ହର ମହାଦେବ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାଶିବରାତ୍ରି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ପ୍ରଭୁ ମହାଦେବଙ୍କ କୃପା ଓ ଆଶୀର୍ବାଦରୁ ବର୍ତମାନର କଠିନ ସ୍ଥିତି ଶୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ବୋଲି ସେ କହିଛନ୍ତି।


କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଶିବରାତ୍ରିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଟ୍ୱିଟ କରି କହିଛନ୍ତି ଯେ, ଦେଶବାସୀଙ୍କୁ ମହାଶିବରାତ୍ରିର ପବିତ୍ର ଅବସରରେ ଅନେକ ଶୁଭକାମନା। ଦେବାଧିଦେବ ମହାଦେବଙ୍କ ଅସୀମ କୃପା ଆମ ସମସ୍ତଙ୍କର ଉପରେ ରହି ଥାଉ, ଏହା ହିଁ ପ୍ରାର୍ଥନା।

Comments are closed.