ଆଜି ଶିନ୍ଦେଙ୍କ ଆସ୍ଥା ଭୋଟ

ମୁମ୍ବଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ବ ସରକାର ସୋମବାର ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଏଥିପାଇଁ ରବିବାର ଠାରୁ ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ନୂଆ ବାଚସ୍ପତି ନିର୍ବାଚନ ହୋଇଥିବାବେଳେ ସୋମବାର ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଆଜିର ବାଚସ୍ପତି ନିର୍ବାଚନରେ ବିଜେପି ରାହୁଲ ନରୱେକର ୧୬୪ଟି ଭୋଟ ପାଇ ବିଜୟୀ ହୋଇଛନ୍ତି। ତେଣୁ ଆସନ୍ତାକାଲିର ଆସ୍ଥା ଭୋଟରେ ଏକନାଥ ଶିନ୍ଦେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ବାଚସ୍ପତି ନିର୍ବାଚନରେ ବିରୋଧୀ ମେଣ୍ଟ ପ୍ରାର୍ଥୀ ରାଜନ ସାଲଭି ୧୦୭ଟି ଭୋଟ ପାଇଛନ୍ତି।

ରବିବାର ବିଧାନସଭା ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧନ କାଳରେ ଶିନ୍ଦେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଯୋଗୁଁ ସେ ଆଜି ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ବିଜେପି ପାଖରେ ଅଧିକ ସଂଖ୍ୟକ ବିଧାୟକ ଥିବା ସତ୍ତ୍ବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଛି। ବିଜେପି -ଶିବସେନା ମେଣ୍ଟ ସରକାର ବାଲାସାହେବ ଠାକରେଙ୍କ ଆଦର୍ଶରେ ଚାଲିବ ବୋଲି ଶିନ୍ଦେ କହିଛନ୍ତି। ପୂର୍ବରୁ ଆମେ ଦେଖି ଆସୁଥିଲେ ଯେ ଲୋକ ବିରୋଧୀ ଦଳରୁ ଶାସକ ଦଳକୁ ପରିବର୍ତ୍ତନ ହୋଇଥାନ୍ତି। ମାତ୍ର ଏବେ ଶାସକ ଦଳର ଲୋକ ବିରୋଧୀ ଦଳକୁ ପରିବର୍ତ୍ତନ ହୋଇଛନ୍ତି। ନୂଆ ବାଚସ୍ପତି ନିର୍ବାଚିତ ହେବା ପରେ ଶିବସେନା ଏହାର ବିଦ୍ରୋହୀ ବିଧାୟକଙ୍କ ପଦ ରଦ୍ଦ ଲାଗି ତାଙ୍କୁ ନିବେଦନ କରିଛି।

Comments are closed.