ଟିକ୍‌ଟକ୍‌ ଅଭିନେତ୍ରୀଙ୍କ ମୃତ୍ୟୁ ମାମଲାରେ ଇସ୍ତଫା ଦେଲେ ମନ୍ତ୍ରୀ

ମୁମ୍ବଇ: ଟିକ୍‌ଟକ୍‌ ଅଭିନେତ୍ରୀ ପୂଜା ଚୌହ୍ବାନଙ୍କ ମୃତ୍ୟୁ ମାମଲାରେ ମନ୍ତ୍ରୀ ପଦ ହରାଇଛନ୍ତି ସଞ୍ଜୟ ରାଠୋର୍‌। ବିରୋଧୀ ବିଜେପିର ଜୋରଦାର ଦାବି ଫଳରେ ସଞ୍ଜୟ ରବିବାର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ରକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପ୍ରଦାନ କରିଛନ୍ତି। ଇସ୍ତଫା ଦେବା ପରେ ସଞ୍ଜୟ କହିଛନ୍ତି, ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଭଲ ରାଜନୀତି କରାଯାଉଛି।

ସଞ୍ଜୟ କହିଛନ୍ତି, ମୁଁ ମନ୍ତ୍ରିମଣ୍ଡଳରୁ ଏଥିପାଇଁ ଇସ୍ତଫା ଦେଲି, ଯେଉଁଥିପାଇଁ ସତ୍ୟ ସାମ୍ନାକୁ ଆସିପାରିବ। ଜଙ୍ଗଲ ମନ୍ତ୍ରୀ ଥିବା ସଞ୍ଜୟଙ୍କର ପୂଜା ଚୌହ୍ବାନଙ୍କ ମୃତ୍ୟୁରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଆସୁଛି। ଗତ ଫେବୃୟାରୀ ୮ତାରିଖରେ ପୂଜା ରହୁଥିବା ଏକ କୋଠାରୁ ଖସିପଡ଼ି ପ୍ରାଣ ହରାଇଥିଲେ। କିନ୍ତୁ ଏହି ମୃତ୍ୟୁ ପଛରେ ସଞ୍ଜୟଙ୍କ ହାତ ଥିବା ଅଭିଯୋଗ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉଦ୍ଧବ ଠାକରେଙ୍କ ସହିତ ଏକ ବୈଠକ ପରେ ସଞ୍ଜୟ କହିଛନ୍ତି ଯେ, ଏହି ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ସେ ଇସ୍ତଫା ଦେଇଛନ୍ତି। ଗତ ୩୦ ବର୍ଷ ଧରି ସମାଜ ସେବା କରି ତିଆରି କରିଥିବା ତାଙ୍କ ଛବିକୁ ଖରାପ କରିବା ଏବଂ ସମ୍ମାନ ହାନି କରିବା ଲାଗି ଉଦ୍ୟମ ହୋଇଛି।

ଅନ୍ୟପଟେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନବୀସ କହିଛନ୍ତି ଯେ, କେବଳ ମନ୍ତ୍ରୀଙ୍କ ଇସ୍ତଫା ଯଥେଷ୍ଟ ନୁହେଁ ଏବଂ ତାଙ୍କ ବିରୋଧରେ ଏତଲା ରୁଜୁ ହେବା ଦରକାର। ଜାତୀୟ ମହିଳା ଆୟୋଗ ବି ଏଥିରେ ହସ୍ତକ୍ଷେପ କରି ରାଜ୍ୟ ସରକାର ଓ ପୁଣେ ପୁଲିସ କମିଶନରଙ୍କୁ ନୋଟିସ ଜାରି କରିଥିଲେ। ସୂଚନାଯୋଗ୍ୟ, ପୂଜାଙ୍କ ସହିତ ସଞ୍ଜୟଙ୍କ କଥାବାର୍ତ୍ତାର ଅଡିଓ ଏବଂ ଭିଡିଓ କ୍ଲିପ ଭାଇରାଲ ହେବା ପରେ ବିଜେପି ଏହି ଘଟଣାରେ ତାଙ୍କର ହାତ ଥିବା ଅଭିଯୋଗ କରି ଇସ୍ତଫା ଦାବି କରିଥିଲା।

Comments
Loading...