ମହାରାଷ୍ଟ୍ରରେ ଅଚଳାବସ୍ଥା ହଟୁନି

ଏକନାଥ ଶିବସେନା ବିଧାୟକ ଦଳ ନେତା

ମୁମ୍ବଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି ଓ ଶିବସେନା ମଧ୍ୟରେ ନରମ-ଗରମ ଲଢ଼େଇ ଜାରି ରହିଛି। ସପ୍ତାହ ବ୍ୟାପି ତୁମ୍ବିତୋଫାନ୍‌ ପରେ ବୁଧବାର ହଠାତ୍‌ ନରମ ପଡ଼ିଥିବା ଶିବସେନା ୨୪ଘଣ୍ଟା ନ ପୂରୁଣୁ ପୁନର୍ବାର ସରକାର ଗଠନ ନେଇ ନିଜର ହକ୍‌ ଓ ଦାବି ପ୍ରସଙ୍ଗ ଉଠାଇଛି। ଅପରପକ୍ଷରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଆଦିତ୍ୟ ଠାକ୍‌ରେଙ୍କ ବଦଳରେ ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ଆଦିତ୍ୟ ହିଁ ତାଙ୍କ ନାମ ଏହି ପଦ ପାଇଁ ପ୍ରସ୍ତାବ ଦେଇଥିଲେ। ଗୁରୁବାର ବିଧାୟକ ଦଳ ବୈଠକ ପରେ ଏକନାଥ ଓ ଆଦିତ୍ୟଙ୍କ ନେତୃତ୍ବରେ ଶିବସେନା ନେତାମାନେ ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଆଦିତ୍ୟ କହିଛନ୍ତି ଯେ ଦଳ ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ। ରାଜ୍ୟପାଳଙ୍କୁ ଭେଟି ସେମାନେ ବନ୍ୟା ଓ ବର୍ଷା କ୍ଷତିଗ୍ରସ୍ତ କୃଷକ ତଥା ମତ୍ସ୍ୟଜୀବୀଙ୍କୁ ଶୀଘ୍ର ଆର୍ଥିକ ସହାୟତା ଓ କେନ୍ଦ୍ରୀୟ ଅନୁଦାନ ପ୍ରଦାନ ନିମନ୍ତେ ନିବେଦନ କରିଥିବା ଆଦିତ୍ୟ କହିଛନ୍ତି।
ବିଧାୟକ ଦଳ ବୈଠକରେ ଉପସ୍ଥିତ ଉଦ୍ଧବ କହିଛନ୍ତି ଯେ ସରକାର ଗଠନ ନେଇ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଆସି ନାହିଁ। ‘ମୁଁ ନିୟମିତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଯୋଗାଯୋଗରେ ରହିଛି। ସେମାନେ କୌଣସି ବିଧିବଦ୍ଧ ପ୍ରସ୍ତାବ ଦେଇ ନାହାନ୍ତି। ଅଧା କ୍ଷମତା ମଣ୍ଟନ ଦାବିରୁ ଆମେ ହଟି ନାହଁୁ କିମ୍ବା ଏହି ପ୍ରସଙ୍ଗରେ ନରମ ପଡ଼ି ନାହୁଁ। ଜଣେ ଶିବସୈନିକ ମୁଖ୍ୟମନ୍ତ୍ରୀ ହେବା ଆମେ ଚାହଁୁ’ ବୋଲି ସେ କହିଛନ୍ତି। ସରକାର ଗଠନରେ ବିଳମ୍ବକୁ ନେଇ ସେ କ୍ଷୋଭ ପ୍ରକାଶ କରି ଏଥିରେ ବିଳମ୍ବ ଘଟିବା ଅନୁଚିତ ବୋଲି ଉଦ୍ଧବ କହିଛନ୍ତି। ଏମିତିକି ସରକାର ଗଠନ ପାଇଁ ଏନ୍‌ସିପି ଓ କଂଗ୍ରେସ ସହିତ କଥାବାର୍ତ୍ତା ଜାରି ରହିଛି ବୋଲି ଉଦ୍ଧବ କହିଛନ୍ତି। କ୍ଷମତା ବଣ୍ଟନ ସମ୍ପର୍କରେ ସେ ବିଜେପିକୁ ଆକ୍ଷେପ କରିଛନ୍ତି। ଏହି ଦଳ ସ୍ବାର୍ଥସାଧନ ହେବା ପରେ ସହଯୋଗୀଙ୍କୁ ଫିଙ୍ଗିଦିଏ ବୋଲି ଉଦ୍ଧବ କହିଛନ୍ତି।
ଫଡ଼ନବିସ୍‌ ଆସନ୍ତା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଏବଂ ଏହା ପୂର୍ବରୁ ବିଜେପି ଏହାର ଦୁଇ ପ୍ରତିନିଧିଙ୍କୁ ଶିବସେନା ସହିତ ଆଲୋଚନା ପାଇଁ ପଠାଇବ ବୋଲି ସୂଚନା ମିଳିଛି। ଉପ-ମୁଖ୍ୟମନ୍ତ୍ରୀ ପଦ ସହିତ ରାଜ୍ୟ ମନ୍ତ୍ରିମଣ୍ଡଳରେ ଶିବସେନାର ୧୪ ସଦସ୍ୟଙ୍କୁ ସାମିଲ କରିବ ବୋଲି ବିଜେପି ପ୍ରସ୍ତାବ ଦେଇଛି।
କଂଗ୍ରେସର ବରିଷ୍ଠ ନେତାମାନେ ଗୁରୁବାର ଏକ ବୈଠକରେ ଉପସ୍ଥିତ ହୋଇ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ମନ୍ତ୍ରଣା କରିଛନ୍ତି। ଏହି ବୈଠକରେ ସୁଶୀଲ କୁମାର ସିନ୍ଦେ, ପୃଥ୍ବୀରାଜ ଚୌହାଣ, ଅଶୋକ ଚୌହାଣ, ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ଉପସ୍ଥିତ ଥି​‌ଲେ। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ବିଜେପି ସହିତ କ୍ଷମତା ଆବଣ୍ଟନ ନେଇ ଉଦ୍ଧବ ଠାକ୍‌ରେ ଓ ଅମିତ ଶାହାଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ହେବା ଦରକାର। ଏତଦ୍‌ବ୍ୟତୀତ ଏନ୍‌ସିପି ଓ କଂଗ୍ରେସ ବିଧାୟକଙ୍କ ସହିତ ସରକାର ଗଠନ ନେଇ ଶିବସେନା ପକ୍ଷରୁ ଆଲୋଚନା ଚାଲିଛି। ସମସ୍ତ ୧୩ ସ୍ବାଧୀନ ବିଧାୟଙ୍କ ସମର୍ଥନ ଶିବସେନା ପ୍ରତି ରହିଛି।

Comments are closed.