ଏମଭିଏରୁ ଓହରିବାକୁ ଶିବସେନା ସମ୍ମତ

ଆସ୍ଥା ଭୋଟରେ ଦେଖାଯିବ ସଂଖ୍ୟା ଗରିଷ୍ଠତା: ପୱାର, ସିନ୍ଧେ ଗୋଷ୍ଠୀର ଯୋଜନା ବିଫଳ ହେବ: କଂଗ୍ରେସ, ବିଦ୍ରୋହୀଙ୍କୁ ନିଲମ୍ବନ ପାଇଁ ଶିବସେନାର ଚିଠି

ମୁମ୍ବଇ : ଶିବସେନା ବିଧାୟକଙ୍କ ବିଦ୍ରୋହକୁ ନେଇ ମହାରାଷ୍ଟ୍ର ସରକାରରେ ଦେଖାଯାଇଥିବା ଅଚଳାବସ୍ଥା ଜାରି ରହିଛି । ବିଦ୍ରୋହୀ ବିଧାୟକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ କଂଗ୍ରେସ ଓ ଏନସିପି ସହିତ ମେଣ୍ଟ ସମ୍ପର୍କ ଚ୍ଛିନ୍ନ କରିବାକୁ ଶିବସେନା ସମ୍ମତି ପ୍ରକାଶ କରିଛି। ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଗୁରୁବାର କହିଛନ୍ତି ଯେ ଦଳ ଏନସିପି ଓ କଂଗ୍ରେସ ସହିତ ମେଣ୍ଟ ସମ୍ପର୍କରେ ପୁନଃର୍ବିଚାର କରିବାକୁ ରାଜି। ରାଉତ କହିଛନ୍ତି ବିଦ୍ରୋହୀ ବିଧାୟକମାନେ ଯଦି ୨୪ଘଣ୍ଟା ମଧ୍ୟରେ ମୁମ୍ବଇ ଫେରିଆସିବେ ତେବେ ଦଳ ସେମାନଙ୍କ ଦାବି ଉପରେ ବିଚାର କରିବ। ବିଦ୍ରୋହୀମାନେ ଯଦି ଶିବସେନା ଛାଡିବାକୁ ନାରାଜ ତେବେ ସେମାନେ ମୁମ୍ବଇ ଆସି ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରନ୍ତୁ। ଶିବସେନା ମେଣ୍ଟରୁ ଓହରିବାକୁ ପ୍ରସ୍ତାବ ଦେଇଥିବାବେଳେ କଂଗ୍ରେସ ଓ ଏନସିପି ମେଣ୍ଟ ସହିତ ରହିଥିବାର ଦୃଢ ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ଦୁଇ ଦଳ ସରକାରକୁ ବଞ୍ଚାଇବାର ପ୍ରୟାସ ଚଳାଇଛନ୍ତି। ମହା ବିକାଶ ଆଘାଡି (ଏମଭିଏ) ମେଣ୍ଟ ସରକାରକୁ ବଞ୍ଚାଇବାର ଦୃଢୋକ୍ତ ପ୍ରକାଶ କରିଛନ୍ତି ଏନସିପି ମୁଖ୍ୟ ଶରଦ ପୱାର। ପୱାର କହିଛନ୍ତି ଯେ ବିଧାନସଭାର ଆସ୍ଥା ଭୋଟରେ ବାସ୍ତବ ସଂଖ୍ୟାଗରିଷ୍ଠତାର ପ୍ରମାଣ ମିଳିବ। ମେଣ୍ଟ ସରକାର ବିଧାନସଭାରେ ଆସ୍ଥା ଭୋଟ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିଛି। ଏକନାଥ ସିନ୍ଧେଙ୍କ ନେତୃତ୍ବରେ ବିଦ୍ରୋହୀ ବିଧାୟକମାନଙ୍କୁ ପ୍ରଥମ ଗୁଜରାଟ ଓ ପରେ ଆସାମରେ ରଖାଯାଇଛି। ଏମାନଙ୍କୁ କିଏ ସହଯୋଗ କରୁଛି ତାଙ୍କ ନାମ କହିବାର ଆବଶ୍ୟକ ନାହିଁ। ତେବେ ଏହି ବିଦ୍ରୋହୀ ବିଧାୟକମାନେ ମୁମ୍ବଇ ଫେରିବା ମାତ୍ରେ ମତ ପରିବର୍ତ୍ତନ କରିବେ ଆଉ ପରିସ୍ଥିତି ବଦଳିବ ବୋଲି ପୱାର କହିଛନ୍ତି। ସରକାରକୁ ବଞ୍ଚାଇବା ଲାଗି ରଣନୀତି ପ୍ରସ୍ତୁତ ପୂର୍ବକ ପୱାର ଦଳର ବରିଷ୍ଠ ନେତା ଅଜିତ ପୱାର, ଛଗନ ଭୂଜବଳ ଓ ଜିତେନ୍ଦ୍ର ଆହ୍ବାଦଙ୍କ ସହିତ ବୈଠକ କରିଛନ୍ତି। ବିଧାନସଭାର ଉପବାଚସ୍ପତି ନରହରି ଜିରୱାଲ ମଧ୍ୟ କହିଛନ୍ତି ଯେ ଏକନାଥ ସିନ୍ଧେଙ୍କ ଗୋଷ୍ଠୀର ବିଧାୟକଙ୍କ ସଂଖ୍ୟା ସ୍ଥିର ନୁହେଁ। ଗୁରୁବାର ସଂଧ୍ୟାରେ ଶିବସେନା ବିଧାୟକ ଦଳ ବୈଠକ ହୋଇଥିଲାବେଳେ ଏଥିରେ ମାତ୍ର ୧୩ଜଣ ଉପସ୍ଥିତ ରହିଥିଲେ। ଅନୁପସ୍ଥିତ ବିଧାୟକଙ୍କୁ ନିଲମ୍ବନ କରିବା ଲାଗି ଶିବସେନା ଉପବାଚସ୍ପତି ନରହରିଙ୍କ ନିକଟକୁ ଚିଠି ଲେଖିଛି।
ଅନ୍ୟପଟେ ଆସାମରେ ଗୁଆହାଟିରେ ଅବସ୍ଥାନ କରୁଥିବା ଶିବସେନା ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅଧିକରୁ ଅଧିକ ବିଧାୟକ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେବାରେ ଲାଗିଛନ୍ତି। ବୁଧବାର ଏକନାଥ ସିନ୍ଧେ ବିଦ୍ରୋହୀ ବିଧାୟକଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଏକ ବୃହତ ଜାତୀୟ ଦଳ ସେମାନଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି। ଆଗାମୀ ଦିନରେ ଏହି ଜାତୀୟ ଦଳ ସେମାନଙ୍କୁ ସମର୍ଥ ପ୍ରକାର ସହଯୋଗ ଯୋଗାଇ ଦେବ। କଂଗ୍ରେସ ଏହାର ବିଧାୟକଙ୍କୁ ଏକଜୁଟ୍ ରଖିବା ଲାଗି ଜରୁରୀ ବୈଠକ କରିଛି। ବୈଠକ​‌ ପରେ କଂଗ୍ରେସ କହିଛି ଦଳ ଘଟଣାକ୍ରମ ଉପରେ ନଜର ରଖିବା ସହିତ ପରିସ୍ଥିତିକୁ ଅପେକ୍ଷା କରିଛି। କଂଗ୍ରେସ ମେଣ୍ଟ ସହିତ ରହିଛି। ମେଣ୍ଟରୁ ଓହରିବା ସମ୍ପର୍କରେ ଶିବସେନାର ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରିଛି। କଂଗ୍ରେସ କହିଛି ଯେ ଏମଭିଏ ସରକାର ତିଷ୍ଠି ରହିବାରେ ସଫଳ ହେବ। ସିନ୍ଧେଙ୍କ ନେତୃତ୍ବ ବିଦ୍ରୋହୀ ଗୋଷ୍ଠୀର ଯୋଜନା ବିଫଳ ହେବ। ମହାରାଷ୍ଟ୍ର ସରକାରରେ ଦେଖାଯାଇଥିବା ଅଚଳାବସ୍ଥାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଦେଶର ଗଣତନ୍ତ୍ରକୁ ବୁଲଡୋଜର ଦ୍ବାରା ଚପାଇ ଦେବାକୁ ଚେଷ୍ଟା କରାଯାଉଛି।

Comments are closed.