ମହାରାଷ୍ଟ୍ର ସ୍ଥିତି ଅସ୍ପଷ୍ଟ : ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ରାଜ୍ୟପାଳ

ମୁମ୍ବଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ସ୍ଥିତି ସ୍ପଷ୍ଟ ହୋଇ ପାରିନାହିଁ । ବିଧାନସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିଥିବା ଭାରତୀୟ ଜନତା ପାର୍ଟି(ବିଜେପି) ସରକାର ଗଠନ ନେଇ ପଛଘୁଞ୍ଚା ଦେଇଛି। ତେବେ ପରବର୍ତ୍ତୀ ଘଟଣା କ୍ରମରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି।
ରାଜ୍ୟରେ ସରକାର ଗଠନ ନ କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି ବୋଲି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି । ରାଜ୍ୟପାଳଙ୍କୁ ଦଳର ନିଷ୍ପତ୍ତି ସମ୍ପର୍କରେ ଅବଗତ କରିବା ପାଇଁ ଦେବେନ୍ଦ୍ର ଫଡନବୀଶଙ୍କ ସମେତ ଦଳର ବରିଷ୍ଠ ନେତାମାନେ ରାଜଭବନ ଯାଇଥିବା ବେଳେ ରାଜ୍ୟରେ ସରକାର ଗଠନ ନ ହେବା ନେଇ ଲାଗି ରହିଥିବା ଅଚଳାବସ୍ଥା ପାଇଁ ଶିବସେନା ଦାୟୀ ବୋଲି ବିଜେପି କହିଛି।
ଅନ୍ୟପକ୍ଷରେ ଦ୍ବିତୀୟ ବୃହତ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ରାଜନୈତିକ ଗିତିବିଧି ଚଳଚଞ୍ଚଳ ହୋଇ ଉଠିଛି । ଆଦିତ୍ୟ ଠାକରେ ଏବଂ ଶିବସେନାର ଅନ୍ୟ ନେତା ମାନେ ମାତୋଶ୍ରୀରେ ପହଞ୍ଚି ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଛନ୍ତି।
ଏନସିପି ନେତା ନବାବ ମଲିକ କହିଛନ୍ତି ଯଦି ଶିବସେନାକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି, ତେବେ ଆମେ ଆଗମୀ ପଦକ୍ଷେପ ନେଇ ଆମେ ଚିନ୍ତା କରିବୁ। ଶିବସେନା ପକ୍ଷରୁ ଏନେଇ କୌଣସି ପ୍ରସ୍ତାବ ମିଳି ନାହିଁ ବୋଲି ସେ କହିଛନ୍ତି। ସେହିପରି ସରକାରରେ ସାମିଲ ହେବ ନା ବାହାରୁ ସରକାରକୁ ସମର୍ଥନ କରିବ କଂଗ୍ରେସ ସେ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନାହିଁ ।

Comments are closed.