ପାସ ହେବାକୁ ଦରକାର ୩୫; ସବୁ ବିଷୟରେ ଆସିଛି ୩୫ ଲେଖାଏଁ ନମ୍ବର

ମୁମ୍ବଇ : ମହାରାଷ୍ଟ୍ର ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ଦଶମ (ଏସ୍‍ଏସସି) ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ତେବେ ଏଥିରେ ମୁମ୍ବଇର ଜଣେ ଛାତ୍ରଙ୍କ ପରୀକ୍ଷା ଫଳ ସମସ୍ତଙ୍କୁ ଚକିତ କରିଦେଇଛି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ୩୫% ନମ୍ବର ଆବଶ୍ୟକ ଥିବାବେଳେ ମୀରା ରୋଡ଼ ଶାନ୍ତି ନଗର ହାଇସ୍କୁଲ ଛାତ୍ର ଅକ୍ଷିତ ଯାଦବଙ୍କୁ ପ୍ରତି ବିଷୟରେ ୩୫ ଲେଖାଏଁ ନମ୍ବର ମିଳିଛି। ସେ ସବୁ ବିଷୟରେ ନ୍ୟୁନତମ ଉତ୍ତୀର୍ଣ୍ଣ ନମ୍ବର ରଖି ପାସ୍‍ ହୋଇଛନ୍ତି। ଅକ୍ଷିତ ପରୀକ୍ଷା ଫଳ ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
ଅକ୍ଷିତଙ୍କ ବାପା କହିଛନ୍ତି ଯେ ତାଙ୍କ ପୁଅକୁ ୫୫% ମାର୍କ ମିଳିବ ବୋଲି ଆଶା କରିଥିଲେ। ପୁଅ ସବୁ ବିଷୟରେ ପାସ କରିଥିବାରୁ ଖୁସି ଅଛନ୍ତି। ଏବେ ତାଙ୍କ ଘରେ ଗଣମାଧ୍ୟମର ଲାଇନ ଲାଗିଛି। ଚଳିତ ବର୍ଷ ମହାରାଷ୍ଟ ଶିକ୍ଷା ବୋର୍ଡର ଦଶମ ପରୀକ୍ଷାରେ ପାସ ହାର ୭୭.୧୦% ରହିଛି। ଗତ ୪ ବର୍ଷ ମଧ୍ୟରେ ଏହା ହେଉଛି ସବୁଠୁ ଖରାପ ପ୍ରଦର୍ଶନ। ଗତ ବର୍ଷ ତୁଳନାରେ ଫଳ ୧୨.୩୧% ଖରାପ ହୋଇଛି। ଚଳିତ ବର୍ଷ ଦଶମ ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅ ଭଲ ପ୍ରଦର୍ଶନ କରିଛନ୍ତି। ଏଥିରେ ଝିଅଙ୍କ ପାସ ହାର ୮୨.୮୨% ଥିବାବେଳେ ପୁଅଙ୍କ ପାସ ହାର ୭୨.୧୮% ରହିଛି।

Comments are closed.