MEllora 950×100

ଏଣିକି ମହାପ୍ରୟାଣ ସେବା ମାଗଣା

ଭୁବନେଶ୍ୱର : ଏଣିିକି ସରକାରୀ ଚିକିତ୍ସାଳୟରେ ମାଗଣାରେ ମିଳିବ ମହାପ୍ରୟାଣ ଗାଡ଼ି । ମୃତ ବ୍ୟକ୍ତିଙ୍କ ଶବ ନେବା ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ଯୋଜନାର ସଂଶୋଧନ କରାଯାଇଛି। ପୂର୍ବରୁ କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଏବେ ଏହାକୁ ହଟାଇ ଦିଆଯାଇଛି। ସମ୍ପୃକ୍ତ ଜିଲା ମଧ୍ୟରେ ଯେକୌଣସି ସ୍ଥାନକୁ ମାଗଣାରେ ମୃତ ବ୍ୟକ୍ତିଙ୍କ ଶବକୁ ପରିବାର ଲୋକ ନେଇପାରିବେ। ଏହାଛଡ଼ା ଅନ୍ୟ ଜିଲାକୁ ଶବ ନେବାକୁ ହେଲେ ସମ୍ପୃକ୍ତ ଜିଲାର ଜିଲାପାଳଙ୍କ ଅନୁମତି ଆବଶ୍ୟକ ବୋଲି ନୂଆ ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଜିଲାପାଳଙ୍କ ତତ୍ତ୍ବାବଧାନରେ ରେଡକ୍ରସ ଅଧୀନରେ ଏହା ପରିଚାଳିତ ହେବ। ସୋମବାର ରାଜଧାନୀ ଚିକିତ୍ସାଳୟରେ ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି।
କିଛି ଦିନ ପୂର୍ବେ ମହାପ୍ରୟାଣ ଗାଡ଼ି ନମିଳିବାରୁ ଜଣେ ଗରିବ ଲୋକଙ୍କ ଶବକୁ ଷ୍ଟ୍ରେଚରରେ ବୋହିବା ଘଟଣା ଜଣାପଡ଼ିବା ପରେ ସରକାର ଏଦିଗରେ ପଦ‌େ‌କ୍ଷପ ଗ୍ରହଣ କରି ନୂଆ ନିର୍ଦେଶନାମା ଜାରି କରିଛନ୍ତି। ଯେଉଁଥିରେ ଗରିବ ଲୋକ ଉପକୃତ ହେବା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଗାଡ଼ିରେ ଶବ ନେବା ପାଇଁ ହେଲେ ପରିବାର ଲୋକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ଏହାର ଦାୟିତ୍ବରେ ରହିବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ମିଶନ ଶକ୍ତି ଏବଂ ମହିଳା ଓ ଶିଶୁବିକାଶ ବିଭାଗ ଦ୍ବାରା ଏମାନଙ୍କୁ ମନୋନୟନ କରାଯିବ। ପରିଚାଳନା ନିମନ୍ତେ ଜିଲା ମହାପ୍ରୟାଣ କମିଟି ଗଠନ କରାଯିବ। ଯେଉଁଥିରେ ଜିଲାପାଳ ଓ ଜିଲା ଜଜ୍‌ କମିଟିରେ ଅଧ୍ୟକ୍ଷ ରହିବେ। ଜିଲା ମୁଖ୍ୟ ଚିକିତ୍ସାଳୟ ସିଡିଏମ୍‌ଓ, ଚିକିତ୍ସାଳୟ ଅଧୀକ୍ଷକ, ଆରଟିଓ, ଡିଏସ୍‌ଡବ୍ଲ୍ୟୁଓ, ମେଡିକାଲ ଅଧିକାରୀ ସଦସ୍ୟଭାବେ ରହିବେ। ସେହିପରି ଚିକିତ୍ସାଳୟରେ ଥିବା ମହାପ୍ରୟାଣ ଗାଡ଼ି ବ୍ୟତୀତ ଆବଶ୍ୟକ ସ୍ଥଳେ ଅନ୍ୟ ସରକାରୀ ଗାଡ଼ିକୁ ମଧ୍ୟ ଏଥିପାଇଁ ବ୍ୟବହାର କରାଯାଇପାରିବ। ଏଥିପାଇଁ ମାସିକ ଟଙ୍କା ଧାର୍ଯ୍ୟ କରାଯିବ। ଯେଉଁଥିରେ ଗାଡ଼ି ଚାଳକ ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କରାଯିବ। ତେବେ ଗାଡ଼ି ନିମନ୍ତେ ଟେଣ୍ଡର ଆହ୍ବାନ ପରେ ବିଧିବଦ୍ଧ ପଦ‌େ‌କ୍ଷପ ନିଆଯିବ ବୋଲି ଜଣାପଡ଼ିଛି। ରାଜଧାନୀ ଚିକିତ୍ସାଳୟ ଓ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଲେଖାଏଁ ମହାପ୍ରୟାଣ ଗାଡ଼ି ରହିଥିବାବେଳେ ଆଉ ଦୁଇଟି କିଣାଯିବା ନେଇ ନିଷ୍ପତ୍ତି ହୋଇଛି। ସେହିପରି ରାଜଧାନୀ ଚିକିତ୍ସାଳୟ ମହାପ୍ରୟାଣ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଅଚଳ ହୋଇଥିବାବେଳେ ମରାମତି ନିମନ୍ତେ ଦାୟିତ୍ବରେ ଥିବା ଅଧିକାରୀ ଚିଠି ଲେଖିଛନ୍ତି।

Comments are closed.