ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା

ପ୍ରୟାଗରାଜ : ଅଖିଳ ଭାରତ ଆଖଡା ପରିଷଦ ସଭାପତି ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କର ସୋମବାର ପରଲୋକ ହୋଇଛି। ତାଙ୍କୁ ୭୨ବର୍ଷ ହୋଇଥିଲା। ଉତ୍ତରପ୍ରଦେଶ ପ୍ରୟାଗରାଜରୁ ମହନ୍ତଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଲିସ କହିବା ଅନୁଯାୟୀ ବାଘମ୍ବରୀ ଗାଦି ମଠ ପରିସର ଏକ ବନ୍ଦ କୋଠରିରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଠରି ମଧ୍ୟରୁ ଏକ ଆତ୍ମହତ୍ୟା ଲେଖା (ସୁଇସାଇଡ୍‌ ନୋଟ) ଜବତ କରାଯାଇଛି। ଯେଉଁଥିରେ ମହନ୍ତ ଲେଖିଛନ୍ତି ଯେ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ। ଆତ୍ମହତ୍ୟା ଲେଖାରେ ସେ ନିଜର ମୃତ୍ୟୁପର ଇଚ୍ଛା ସମ୍ପର୍କରେ ଉଲ୍ଲେଖ ସହ ଦୁଇଜଣଙ୍କ ନାମ ମଧ୍ୟ ଲେଖିଥିଲେ। ସେହି ଅନୁସାରେ ମଠର ଅନ୍ୟତମ ସଦସ୍ୟ ଆନନ୍ଦ ଗିରିଙ୍କୁ ପୁଲିସ ହରିଦ୍ବାରରୁ ଗିରଫ କରିଛି। ଅପରପକ୍ଷରେ ଆନନ୍ଦ ଅଭିଯୋଗ କରିଛନ୍ତି ଯେ ଗୁରୁଜୀଙ୍କୁ ହତ୍ୟା କରାଯାଇଛି। ଏହାର ବାସ୍ତବ ତଦନ୍ତ କରାଯିବା ଦରକାର। ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ରାମ ଗୋପାଳ ଯାଦବ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Comments are closed.