ଚେତୁନି ପ୍ରଶାସନ, ରାସ୍ତାରେ ଝୁଲୁଛି ବିଜୁଳି ତାର

ମାହାଙ୍ଗା: ଗତ ୯ ତାରିଖରେ ଗଞ୍ଜାମ ଜିଲାରେ ରାସ୍ତରେ ଓହଳି ପଡିଥିବା ୧୧ କେଭି ବିଦ୍ୟୁତ ତାରରେ ଯାତ୍ରୀବାହୀ ବସ ଲାଗିଯିବାରୁ ୧୦ ଜଣଙ୍କ ଅମୂଲ୍ୟ ଜୀବନ ଚାଲି ଯାଇଥିଲା ଏବଂ ଆଜି କଟକ ବଡ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ମଧ୍ୟ ବିଦ୍ୟୁତ ବିଭାଗ ତତ୍ପରତା ପ୍ରକାଶ କରୁନଥିବା ଦେଖାଦେଇଛି। ଶୁକ୍ରବାର କେନ୍ଦ୍ରାପଡା ଜିଲାରେ ୧୧ କେଭି ତାର ଲାଗି ଏକ ଟ୍ରକ ଚାଳକଙ୍କ ମୃତ୍ୟୁ ଓ ଝାରସୁଗୁଡା ଜିଲାରେ ଜାତୀୟ ରାଜପଥ ଉପରେ ୩୨ କେଭିର ଅତ୍ୟନ୍ତ ଉଚ୍ଚକ୍ଷମତା ସମ୍ପନ୍ନ ତାର ଛିଣ୍ଡି ପଡିଥିବା ଦେଖିବାକୁ ମିଳିଥିଲା।
ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ ଭଦ୍ରେସ୍ବର ପଞ୍ଚାୟତ ଅନ୍ତର୍ଗତ ଝାଡେଶ୍ବରପୁର ୬ ନମ୍ବର କେନାଲ ରୋଡରେ। ଏହି ରାସ୍ତାରେ ଓହଳି ରହିଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର। ଯାହା ତଳ ଦେଇ ଦୈନିକ ଯାତାୟତ କରୁଛି ଶହଶହ ଗାଡିମଟର। ବସ କିମ୍ବା ଟ୍ରକ ରାସ୍ତାଦେଇ ଗଳେ ବାଉଁଶ ଲଗାଇ ତାରକୁ ଟେକିବାକୁ ପଡୁଛି। ପ୍ରଶାସନକୁ ବାରମ୍ବାର ଏହି ବିଷୟରେ ଜଣାଇବା ପରେ ପ୍ରଶାସନ ଶୁଣୁନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।

Comments are closed.