ମାହାଙ୍ଗା ହତ୍ୟା ଘଟଣା – ମୃତକଙ୍କ ଏକାଦଶାହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅଭିଯୋଗ ପରେ ବିଜେଡିର ଜବାବ ‘ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ’

ମାହାଙ୍ଗା ନୂର୍ତ୍ତାଙ୍ଗ ଯଁକୋଟି ଗ୍ରାମରେ ଘଟିଯାଇଥିବା ୨ଟି ହତ୍ୟାକାଣ୍ଡରେ ପ୍ରାଣ ହରାଇଥିବା କୂଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ଆଜି ଏକାଦଶାହ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି କଥା ଦୋହରାଇବା ସହ ୨୦୧୮ରେ ନୂର୍ତ୍ତାଙ୍ଗ ଗ୍ରାମର ବିକାଶ ଯେନାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଏହି ଦୁର୍ନୀତିର ରହସ୍ୟ ଖୋଲିବା ପାଇଁ କୂଳମଣି ବରାଳ ସଂଗ୍ରାମ କରୁଥିବା ବେଳେ ତାଙ୍କୁ ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା କହିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସେ ଏହି ଦୁର୍ନୀତିର ତଦନ୍ତ ପାଇଁ କୂଳମଣି ବାବୁଙ୍କୁ ନେଇ କେନ୍ଦ୍ର ଗ୍ରାମ ଉନ୍ନୟନ ମନ୍ତ୍ରାଳୟରେ ଅଭିଯୋଗ କରାଇଥିଲେ। ଏଥି ସହିତ ଦିବଙ୍ଗତ କୂଳମଣି ଓ ଦିବ୍ୟସିଂହଙ୍କ ପରିବାରର ସଦସ୍ୟ ମାନଙ୍କୁ ପ୍ରଶାସନ ସୁରକ୍ଷା ଯୋଗାଇ ଦେବାକୁ ସେ କହିଥିଲେ। ସେ କହିଥିଲେ ଯେ ମୋଦୀଜିଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥ ହରିଲୁଟ୍‍ ହେଉଥିବା ପ୍ରସଙ୍ଗ ଲୋକଲୋଚନକୁ ଆଣିବା ଯୋଗୁ ଦୁଇ ଜଣଙ୍କୁ ହତ୍ୟା କରାଯାଇଛି। ତାଙ୍କ ବଳିଦାନ ବ୍ୟର୍ଥ ଯିବନି ଓ ଲଢେଇ ଜୋରଦାର ହେବ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଥ୍ୟା ବୟାନ ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛି। ମାହାଙ୍ଗା ଗୌଡପଡା ଡାକବଙ୍ଗଳାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନିଜର ପ୍ରତିକ୍ରିୟା ଦେଇ କହିଛି ଯେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିରେ ମୃତ କୂଳମଣି ବରାଳଙ୍କୁ ନେଇ କେନ୍ଦ୍ରରେ ଧର୍ମେନ୍ଦ୍ର ବାବୁ ଅଭିଯୋଗ କରାଇଥିବା ଘଟଣା ସମ୍ପର୍କରେ ସେ ନିଜେ ଅବଗତ ନାହାନ୍ତି। ମନଗଢା କାହାଣି କରି ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କହିବା ସହ ୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଓ ମନରେଗା କାର୍ଯ୍ୟରେ ଦୁର୍ନୀତି ହେଉଥିବା ନେଇ ଆନନ୍ଦପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ ରାମଚନ୍ଦ୍ର ବେହେରା ଓ ବରାହିପୁର ସରପଞ୍ଚ କିଶୋର ରାଉତ କେନ୍ଦ୍ର ଗ୍ରାମ ଉନ୍ନୟନ ମନ୍ତ୍ରୀଙ୍କ ନିକଟରେ ୨୦୧୭ ମସିହା ଅକ୍ଟୋବର ୩ ତାରିଖରେ ଏକ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁଯାୟୀ ଏକ କେନ୍ଦ୍ରିୟ ଟିମ୍‍ ମାହାଙ୍ଗା ବ୍ଲକରେ ଏହାର ତଦନ୍ତ କରିଥିଲେ। ତଦନ୍ତରେ କି ତଥ୍ୟ ମିଳିଲା ତାହା ଧର୍ମେନ୍ଦ୍ର ବାବୁଙ୍କୁ ଜଣା। ତେଣୁ ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ହୋଇ ଏଭଳି ମିଥ୍ୟା ମନ୍ତବ୍ୟ ଦେବା ଦୁର୍ଭାଗ୍ୟ ଜନକ ବୋଲି ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ସାମ୍ବାଦିକମାନଙ୍କୁ କହିଛନ୍ତି। ଏଥିରେ ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ସିଂହ ଯୋଗଦେଇ କୂଳମଣିଙ୍କ ୨୦ ବର୍ଷର କଂଗ୍ରେସ ରାଜନୀତି ସମୟ ମଧ୍ୟରେ ରାଜନୈତିକ ଶତ୍ରୁତା ଯୋଗୁଁ ଲଳିତଗିରି ଗ୍ରାମରେ ଧନି ପରିଡା ଓ ରାହାଣିଆରେ ରାମଚନ୍ଦ୍ର ସିଂହଙ୍କୁ ହତ୍ୟା କରାଯିବା ସହ କୂଳମଣି ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୧୯ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା କୋର୍ଟରେ ବିଚାରାଧୀନ ରହିଛି ବୋଲି କହିଛନ୍ତି।

ସେ କହିଛନ୍ତି, ବିଜେପି ଦଳର ନେତାମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଜନହିତକର କାର୍ଯ୍ୟକୁ ସହ୍ୟ କରିନପାରି ତାଙ୍କୁ ବଦନାମ କରିବା ପାଇଁ ଏହି ହତ୍ୟା କାଣ୍ଡ ଘଟଣାରେ ଫସାଇବା ପାଇଁ ହୀନ ରାଜନୀତି କରି ବାହାବା ନେବାକୁ ଚେଷ୍ଟା କରୁଛନ୍ତି। ବିଜେପିର ଏହି ଚାଲ କେବେ ସଫଳ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ଏଥିରେ ବ୍ଲକ ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ବରିଷ୍ଠ ବିଜେଡି ନେତା କୈଳାସଚନ୍ଦ୍ର ସ୍ୱାଇଁ ଓ ହୃଷିକେଶ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.