କୁସୁପୁର ଗଣହତ୍ୟା ଘଟଣା ; ସତ ଓଗାଳିଲା ଶିବ !

କୁଆଁପାଳ :  ବହୁ ଚର୍ଚ୍ଚିତ କୁସପୁର ଗଣହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶିବ ସାହୁକୁ ପୁଲିସ ଘଟଣାସ୍ଥଳକୁ ନେଇ ହତ୍ୟାକାଣ୍ଡର ସିନ ରିକ୍ରିଏସନ କରାଇଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଶାବଳ, ଗୋଟିଏ ଷ୍ଟାଣ୍ଡ ଫ୍ୟାନ୍‍, ପେଚ୍‍କସ୍‍ ଓ ବ୍ୟବହୃତ ମୋବାଇଲ ଜବତ କରିଛି। ନିଜଘରେ ହତ୍ୟାକାଣ୍ଡ ଭିଆଇବା ପରେ ଶିବ ରହୁଥିବା ଭଡ଼ାଘରକୁ ଯାଇ କ’ଣ ସବୁ କରିଥିଲା ସେସବୁ ସିନ ରିକ୍ରିଏସନରେ ପୁଲିସକୁ ଦେଖାଇଛି। ଯେଉଁ କଥା ଶିବ ପୂର୍ବରୁ କହୁଥିଲା ଆଜି ମଧ୍ୟ ତାହା ଦୋହରାଇଛି। ଶିବକୁ କୁସୁପୁର ହତ୍ୟାକାଣ୍ଡ ସ୍ଥଳ ନିଆଯିବା ପୂର୍ବରୁ ସେଠାରେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ଓ ବହୁ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା। ପୁଲିସ ସିନ ରିକ୍ରିଏସନର ଭିଡ଼ିଓଗ୍ରାଫି କରିଥିଲା। ଦେଢ଼ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ମୁଖ୍ୟ ଫାଟକ ବନ୍ଦ କରି ପୁଲିସ ଅଧିକାରୀମାନେ ଶିବ ବଖାଣୁଥିବା ଘଟଣାବଳୀ ଅନୁଧ୍ୟାନ କରିଥିଲେ। ଅତିରିକ୍ତ ଏସ୍‌ପି ଅଶୋକ ବେହେରା, ଏସଡିପିଓ ବିମଳ ବାରିକ, ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି, ତହସିଲଦାର ଉମାକାନ୍ତ ବିଶ୍ୱାଳଙ୍କ ପ୍ରମୁଖ ଉପସ୍ଥିତ ଥିଲେ।
ଏମିତି କରିଥିଲା ହତ୍ୟା :

ଅଭିଯୁକ୍ତ ଶିବ ପ୍ରସାଦ ସାହୁ

ଶିବ ପରିସ୍ରା କରିବା ନାଁରେ ବଡ଼ଭାଇ ପରିବାରକୁ ନିଦ ଉଠାଇ ସେମାନଙ୍କୁ ହତ୍ୟା କରିଥିଲା। ଘଟଣାଦିନ ରାତି ପ୍ରାୟ ୨ଟା ସମୟରେ ଶିବ ପରିସ୍ରା କରିବାକୁ ବାହାରକୁ ଉଠିଥିଲା। ଶୌଚାଳୟ ତାଲା ପଡ଼ିଥିବାରୁ ସେ ଖୋଲିବା ପାଇଁ ଭାଉଜ ରଶ୍ମିରେଖାଙ୍କୁ ଡାକିଥିଲା। ଭାଉଜ ବିରକ୍ତି ଭାବ ପ୍ରକାଶ କରିବା ସହ ଆମେ କ’ଣ ତୋର ସିକ୍ୟୁରିଟି ଗାର୍ଡ଼ ଅଛୁ ଯେତେବେଳେ ଆସିବ ଜଗି ବସିବୁ ବୋଲି କହିଥିଲେ। ଏହିଭଳି କଥାକୁ ନେଇ ଉଭୟ ଦିଅର ଭାଉଜଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଭାଉଜ ତାଲା ଖୋଲିବାରୁ ଶିବ ଶୌଚ ହୋଇ ସେଠାରୁ ନିଜ କୋଠରିକୁ ଯାଇଥିଲା। ଏହାପରେ ସେ ବଡ଼ଭାଇ ପରିବାରକୁ ଆକ୍ରମଣ କରିବା ପାଇଁ ସୁଯୋଗକୁ ଅପେକ୍ଷା କରି ରହିଥିଲା। କିଛି ସମୟ ପରେ ରଶ୍ମିରେଖା ଶୋଇବା ଘର କବାଟ ଖୋଲାରଖି ସ୍ୱାମୀ ଓ ପିଲାମାନଙ୍କ ସହ ଶୋଇଥିଲେ। କବାଟ ଖୋଲାଥିବାରୁ ଏହାର ସୁଯୋଗ ନେଇ ଶିବ ପ୍ରଥମେ ଭାଉଜକୁ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆକ୍ରମଣ କରିଥିଲା। ଏଥିରେ ଭାଉଜ ସଂଜ୍ଞାହୀନ ହୋଇ ପଡ଼ିବା ପରେ ବଡ଼ ଭାଇ ଅଲେଖ ସାହୁ ଉଠି ପଡ଼ିଥିଲେ। ସେ କିଛି କହିବା ପୂର୍ବରୁ ଶିବ ଅଲେଖଙ୍କ ମୁଣ୍ଡକୁ ମଧ୍ୟ ଆଘାତ ଦେଇଥିଲେ। ଘଟଣାସ୍ଥଳରେ ରଶ୍ମିରେଖା ଓ ଅଲେଖ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଶିବ ପୁନର୍ବାର ଜୀବନ ଯିବା ଯାଏ ଧାରୁଆ କଟୁରିରେ ଚୋଟ ପରେ ଚୋଟ ମାରିଥିଲା। ଏହା ପରେ ପିଲାମାନେ ନିଦରୁ ଉଠି ଯିବା ସହ ଘଟଣା ଦେଖି ଦାଦା ଶିବର ଗୋଡ଼ ଧରି ଆମ୍ଭକୁ ଛାଡ଼ି ଦିଅ କହି କାକୁତି ମିନତି ହୋଇଥିଲେ। ହେଲେ ରକ୍ତମୁଖା ଦାଦା ସେଠାରେ କିଛି ନ ଶୁଣି ନିରୀହ ପୁତୁରା ଓ ଝିଆରୀଙ୍କୁ ମଧ୍ୟ ହାଣି ପକାଇଥିଲା। ଏଥିରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ପୁତୁରା ଜୀବନ ବଞ୍ଚାଇବା ପାଇଁ ଛାତ ସିଡ଼ି ଦେଇ ଉପରକୁ ପଳାଉଥିବାବେଳେ ନୃଶଂସ ଦାଦା ଶିବ ତାକୁ ପଛପଟରୁ ଭିଡ଼ି ଧରି ମୁଣ୍ଡକୁ ଆକ୍ରମଣ କରିବା ସହ ଶୋଇବା ଘରକୁ ଆଣି ସେଠାରେ ହତ୍ୟା କରିଥିଲା। ହତ୍ୟାକାଣ୍ଡ ସମୟରେ ଶିବ ଉଲଗ୍ନ ଅବସ୍ଥାରେ ରହିବା ସହ ଘର ଶୌଚାଳୟକୁ ଯାଇ ଦେହରେ ଲାଗିଥିବା ରକ୍ତଛିଟାକୁ ପାଣିରେ ଧୋଇ ସଫା କରି ଦେଇଥିଲା। କିଛି ସମୟ ପରେ ପୋଷାକ ପିନ୍ଧି ଛାତ ଉପରେ ଯାଇ ବୁଲିଥିଲା। କାଳେ ସେମାନେ ବଞ୍ଚିଥିବେ ପ୍ରମାଣ ନଷ୍ଟ ପାଇଁ ପୁନର୍ବାର ତଳକୁ ଆସି ଚମାର କଟୁରି ସାହାଯ୍ୟରେ ସମସ୍ତଙ୍କ ହାତ ଶିରା ଓ ଗୋଡ଼ ଗୋଛିକୁ କାଟିଥିଲା। ଲୁଗାପଟାରେ ଲାଗିଥିବା ରକ୍ତଛିଟାକୁ ଧୋଇ ଶୌଚ ହୋଇଥିଲା। ପ୍ରାୟ ଭୋର ସମୟରେ ଘରର ମୁଖ୍ୟ ଫାଟକ ତାଲା ପକାଇ ଭଡ଼ା ଘରକୁ ପଳାଇ ଆସିଥିଲା। ସକାଳ ୧୦ଟା ପର୍ଯ୍ୟନ୍ତ ଗାଁରେ ବୁଲାବୁଲି କରିବା ସହ ଏକ ଦୋକାନରୁ ଇଟିଲି ଖାଇ ଚା ପିଇଥିଲା। ଏହାପରେ ଭଡ଼ା ଘର ନିକଟରେ ଥିବା ଏକ ବିଲକୁ ଯାଇ ଖଜୁରୀ ଗଛ ନିକଟରେ ନିଜର ଦୋଷ ସ୍ୱୀକାର କରି ଭିଡ଼ିଓ ପ୍ରଘଟ କଲାପରେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା।
ଗରମ ଯୋଗୁଁ କବାଟ ଖୋଲାଥିଲା
ହତ୍ୟାକାଣ୍ଡ ଘଟିଥିବା ରାତିରେ ଅଭିଯୁକ୍ତ ଶିବ ଭଡ଼ାଘରେ ନରହି ନିଜ ପୈତୃକ ଘରକୁ ଶୋଇବା ପାଇଁ ଯାଇଥିଲେ। ଅସହ୍ୟ ଗରମ ହେତୁ ପାଟିତୁଣ୍ଡ ପରେ ବଡ଼ଭାଇ ଅଲେଖର ପରିବାର ରହୁଥିବା ଘର କବାଟ ଖୋଲା ରହିଥିଲା। ଯାହାର ସୁଯୋଗ ନେଇ ଶିବ ଘର ମଧ୍ୟରେ ପ୍ରବେଶ କରି ସମସ୍ତଙ୍କୁ ହାଣି ହତ୍ୟା କରିଥିଲା। ରକ୍ତ ଜୁଡୁବୁଡୁ କଟୁରିକୁ ନିଜେ ପିନ୍ଧିଥିବା ବସ୍ତ୍ରରେ ପୋଛି ଫିଙ୍ଗି ଦେଇଥିଲା। ସମସ୍ତ ୫ଟି ମୃତଦେହକୁ ଗୋଟିଏ ଘରେ ରଖି ବାହାରପଟୁ ତାଲାପକାଇ ଭଡ଼ା ଘରକୁ ଚାଲିଯାଇଥିଲା।
ଘଟଣା ଥିଲା ସୁନିୟୋଜିତ
ଶିବ ଓ ବଡ଼ଭାଇ ଅଲେଖଙ୍କ ମଧ୍ୟରେ ଦୀର୍ଘ ବର୍ଷର ଜମିଜମା ବିବାଦ ଲାଗି ରହିଥିବାବେଳେ ଏହାର ସମାଧାନ ବାଟ ଫିଟିନଥିଲା। ଦେଢଗୁଣ୍ଠ ଘରବାରୀ ଭାଗ ବଣ୍ଟାକୁ ନେଇ ଉପୁଜିଥିଲା ବିବାଦ। ପୈତୃକ ଭାଗ ପାଇବା ନିମନ୍ତେ ବିଭିନ୍ନ ସମୟରେ ମୁରବି ଓ ଥାନାର ସାହାଯ୍ୟ ଲୋଡୁଥିଲେ। କିନ୍ତୁ ସେଥିରେ ସେ ସଫଳତା ପାଇନଥିଲେ। ଯାହାକୁ ନେଇ ସେ ନିଜ ଇଛାରେ ହେଉ କିମ୍ବା କାହା ପ୍ରରୋଚନାରେ ବଡ଼ଭାଇ ପରିବାରକୁ ରାସ୍ତାରୁ ସବୁ ଦିନ ପାଇଁ ହଟାଇବାକୁ ମନସ୍ଥ କରିଥିଲା। କିପରି ସେମାନଙ୍କୁ ହତ୍ୟା କରିବ ଯୋଜନା କରିଥିଲା ଶିବ। ପ୍ରଥମେ ସ୍ଥାନୀୟ ଅଞ୍ଚଳର ଜଣେ ଚମାର ପାଖକୁ ଯାଇ ଆଣିଥିଲା କଟୁରି। ଏହି କଟୁରିକୁ ନେଇ ଘରେ ଲୁଚାଇ ରଖିବା ସହ ହତ୍ୟା କରିବା ପାଇଁ ସୁଯୋଗ ଅପେକ୍ଷାରେ ରହିଥିଲା। ଏହି ଚମାର କଟୁରି ସାହାଯ୍ୟରେ ସମସ୍ତଙ୍କୁ ହାଣି ହତ୍ୟା କରିଥିବା ତଦନ୍ତ ବେଳେ ପୁଲିସ ଜାଣି ପାରିଛି।
ଅନ୍ୟ କାହାର ସମ୍ପୃକ୍ତି ଅଛି କି !
ଆରମ୍ଭରୁ ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୁଲିସ। ଶିବ ରହୁଥିବା ନିକଟସ୍ଥ ଭଡ଼ାଘରକୁ ମଧ୍ୟ ପୁଲିସ୍‌ ଯାଇଥିଲା। ତେବେ ଅଭିଯୁକ୍ତ ଶିବ ହତ୍ୟାକାଣ୍ଡ ଘଟାଇବା ପରେ ଘଟଣା ସମ୍ପର୍କରେ ଏକ ଭିଡ଼ିଓ ଜାରି କରିଥିଲା। ଶିବ କେଉଁ ସ୍ଥାନରେ ଉକ୍ତ ଭିଡ଼ିଓଟିକୁ ଉତ୍ତୋଳନ କରି ପ୍ରଘଟ କରିଥିଲା ତାହାର ତଦନ୍ତ ଚାଲିଛି। ଭଡ଼ା ଘରଠାରୁ ମାତ୍ର ଶହେ ଫୁଟ ଦୂରତା ମଧ୍ୟରେ ସେହି ଭିଡ଼ିଓ ଉତ୍ତୋଳନ ସ୍ଥଳ ଅବସ୍ଥିତ। ଗାଁ ମଝିରେ ଗୋଟିଏ ଘରେ ଏକାକୀ ଶିବ ୫ଜଣଙ୍କୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସହଜରେ ହଜମ ହେଉନି। ଆଜି ସ୍କ୍ରିନ୍‍ ରିକ୍ରିଏସନ୍‍ରୁ ଜଣାପଡ଼ିଛି; ଏହି ହତ୍ୟାକାଣ୍ଡ ଘଟଣା ପୂର୍ବ ପ୍ରାୟୋଜିତ ା ଏହା ପଛରେ କେହିନା କେହି ପ୍ରଭାବଶାଳୀ ବ୍ୟକ୍ତି ରହି ତଦନ୍ତକୁ ବିଳମ୍ବ କରୁଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ଅଭିଯୁକ୍ତ ଶିବର ଜିମା ଶନିବାର ଶେଷଦିନ ହୋଇଥିବାରୁ ଆଉ କେତେ ସତ ଓଗାଳୁଛି ପାରୁଛି ତାହା ଦେଖିବାକୁ ବାକି ରହିଲା। ପୁଲିସ ଅଭିଯୁକ୍ତ ଶିବଠାରୁ ତାର ବ୍ୟବହୃତ ମୋବାଇଲ ଜବତ କରିଛି। ହତ୍ୟାକାଣ୍ଡ ପରେ ଶିବ କାହା କାହାକୁ ଯୋଗାଯୋଗ କରିଛି ସେ ସଂକ୍ରାନ୍ତରେ ଜଣାପଡ଼ିଲେ ଏହି ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Comments are closed.