ଭଦ୍ରେଶ୍ୱର ଫାଣ୍ଡି ଅଂଚଳରେ ପୁଣି ନାବାଳିକା ଅପହରଣ, ଅପହରଣକାରି ଯୁବକକୁ କାବୁ କଲେ ଗ୍ରାମବାସୀ

କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଂଚଳରେ ନାବାଳିକା ନିଖୋଜ ଘଟଣାକୁ ନେଇ ତୁମ୍ବି ତୋଫାନ ହୋଇଥିବା ବେଳେ ଜଣେ ଯୁବକ ପ୍ରତି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ନିର୍ଯ୍ୟାତନା ଯୋଗୁଁ ସମ୍ପୃକ୍ତ ଯୁବକ ରସିଦେଇ ଆତ୍ମହତ୍ୟା କରିବା ଘଟଣା ମନରୁ ନ ଲିଭୁଣୁ ଏବେ ପୁଣି ଏକ ୭ ବର୍ଷର ନାବାଳିକାକୁ ଅପହରଣ କରି ନିଆଯାଉଥିବା ଅଭିଯୋଗ ହେବା ସହ ସମ୍ପୃକ୍ତ ଅପହରଣକାରି ଯୁବକକୁ ଗ୍ରାମବାସୀ ଧରି ପୋଲିସ ଜିମା ଦେବା ଘଟଣା ହଟଚମଟ ସୃଷ୍ଟି କରିଛି। ପୋଲିସର ମନମୁଖୀ କାର୍ଯ୍ୟ ଯୋଗୁଁ ଭଦ୍ରେଶ୍ୱର ଅଂଚଳରେ ଦିନକୁ ଦିନ ଅପରାଧ ବଢି ଚାଲିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।

ଘଟଣା ଅନୁଯାୟୀ, ମାହାଙ୍ଗା ଥାନା ଶ୍ରୀକୃଷ୍ଣପୁର ପଂଚାୟତ ରାମଚନ୍ଦ୍ରପୁର ଗ୍ରାମର ଜୈନିକ ବ୍ୟକ୍ତିଙ୍କ ୭ ବର୍ଷୀୟା ନାବାଳିକା ଝିଅ ଗତ ୨୮ ତାରିଖ ଦିନ ନିଜ ମଉସା ଘର ଭଦ୍ରେଶ୍ୱର ଫାଣ୍ଡି ଅଧୀନ ଓଳକଣାକୁ ଯାଇଥିଲେ। ସେଠାରେ ସେ ଅନ୍ୟ ଜଣେ ନାବାଳକ ସହ ଦାଣ୍ଡରେ ଖେଳୁଥିବା ବେଳେ ସେହି ଗ୍ରାମର ନିର୍ମଳ ବେହେରା (୨୫) ସେଠାରେ ପହଂଚି ନାବାଳିକା ଝିଅଟିକୁ ଜବରଦସ୍ତ ଏକ ବାଇକରେ ନେଇ ପଳାଇଥିଲା। ପାଖରେ ଥିବା ନାବାଳକ ଜଣକ ଏକଥା ଗାଁ ଲୋକଙ୍କୁ କହିବାରୁ ଗାଁ ଲୋକମାନେ ଉକ୍ତ ଯୁବକର ପିଛାକରି ଲଳିତଗିରି ନିକଟରେ ତାକୁ କାବୁ କରିବା ସହ ନାବାଳିକା ଝିଅକୁ ଉଦ୍ଧାର କରି ଫାଣ୍ଡି ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ଅପହରଣକାରୀ ଯୁବକକୁ ଗିରଫ କରି ଫାଣ୍ଡିକୁ ଆଣି ଏକ ମାମଲା ରୁଜ୍ଜୁ କରିବା ସହ ତାକୁ କୋର୍ଟ ଚାଲାଣ କରିଛି। କେଉଁ ଉଦେଶ୍ୟ ରଖି ଯୁବକ ଜଣକ ନାବାଳିକାକୁ ଅପହରଣ କରିଥିଲା ତାହା ପୁଲିସ ସୂଚନା ଦେଉନାହିଁ। ଅପର ପକ୍ଷରେ ଫାଣ୍ଡି ପୁଲିସର ଢିଲା ଶାସନ ଯୋଗୁଁ ବାରମ୍ବାର ଏହି ଅଂଚଳରେ ହତ୍ୟା ଠାରୁ ଆରମ୍ଭ କରି ଚୋରି, ଡକାୟତି, ରାହାଜାନି, ଲୁଟତରାଜ ଓ ଅପହରଣ ଭଳି ବିଭିନ୍ନ ଅପରାଧିକ କାର୍ଯ୍ୟ ବଢ଼ି ଚାଲିଥିବା ବେଳେ ଫାଣ୍ଡି ପୁଲିସ କିଛି କଥାକଥିତ ଦଲାଲମାନଙ୍କ ଦ୍ୱାରା ପରିଚାଳିତ ହୋଇ କାର୍ଯ୍ୟ କରୁଥିବାରୁ ଏହି ଅଂଚଳରେ ବାରମ୍ବାର ଅପରାଧ ବଢି ଚାଲିଥିବା ସାଧାରଣରେ ଶୁଣିବାକୁ ମିଳୁଛି।

ଏପରିକି ଫାଣ୍ଡିରେ ଅଭିଯୋଗ ହେବାକ୍ଷଣି ଏହି ଦଲାଲମାନେ ସକ୍ରିୟ ହୋଇ ଲୋକଙ୍କ ନିକଟରେ ପହଂଚି ଅର୍ଥ ଆଦାୟ କରି ମାଲାମାଲ ହେବାସହ ଅପରାଧକୁ ପ୍ରୋତ୍ସାହନ ଦେଉଥିବା ସାଧାରଣରେ ଆଲୋଚନା ହେଉଛି। ତୁରନ୍ତ ପୁଲିସ ମହାନିର୍ଦେଶକ ଏହି ଫାଣ୍ଡି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ କିପରି ଅପରାଧିକ କାର୍ଯ୍ୟକୁ ରୋକାଯାଇ ପାରିବ ସେଥିନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭଦ୍ରେଶ୍ୱର ଫାଣ୍ଡି ଅଞ୍ଚଳବାସୀ ସାଧାରଣରେ ଦାବୀ କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ସେହି ଅଂଚଳର ଜଣେ ବ୍ୟକ୍ତିଙ୍କୁ ମିଛ ଅପହରଣ ଅଭିଯୋଗରେ ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ଓ ପରେ ସେହି ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିଲେ। ତେବେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କୌଣସି ତଦନ୍ତ ନ କରି ମାହାଙ୍ଗା ଥାନା ଅଧିକାରୀ କିଛି ସ୍ଥାନୀୟ ଦଲାଲଙ୍କ ସହାୟତାରେ ମୃତ ବ୍ୟକ୍ତିଙ୍କ ପରିବାରକୁ କିଛି ଅର୍ଥ ସହାୟତା ଓ ଧମକ ଦେଇ ମାମଲା ରଫାଦଫା କରିଦେଇଥିଲେ। ଏହି ଘଟଣାରେ ଉପରିସ୍ଥ ପୁଲିସ ଅଧିକାରୀଙ୍କ ସହଯୋଗ ରହିଥିବା ସାଧାରଣରେ ଅଭିଯୋଗ ହେଉଛି।
(ଏହି ସମ୍ବାଦ ପଢିବା ପାଇଁ https://www.samajalive.in/mahanga-police-action-youth-suicide/280984.html ଲିଙ୍କରେ କ୍ଲିକ କରନ୍ତୁ)

Comments are closed.