ମାହାଙ୍ଗା ଥାନାଧିକାରୀଙ୍କ ସମୟ ଆବେଦନ ଖାରଜ, ୧୦ରେ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

ସାଲେପୁର: ସାଲେପୁର ଜେଏମଏଫସି ଅଦାଲତ ଶନିବାର ହାଜର ପାଇଁ ମାହାଙ୍ଗା ଥାନାଧିକାରୀ ନୀହାର ରଞ୍ଜନଙ୍କ ସମୟ ଆବେଦନକୁ ଖାରଜ କରିଛନ୍ତି। ଏଥିସହ ଆସନ୍ତା ୧୦ ତାରିଖ ପୂର୍ବାହ୍ଣ ୧୦.୩୦ରେ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ ଜାରି କରିଛନ୍ତି। ଏଥିସହିତ କାହିଁକି ଥାନା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ନଯିବ, ସେ ନେଇ ଜେଏମଏଫସି ନୋଟିସ୍ ଜାରି କରିଛନ୍ତି।

ପ୍ରକାଶଥାଉ କି, ୨୦୨୧ ଜାନୁଆରୀ ୨ ତାରିଖରେ ସଂଘବଦ୍ଧ ଆକ୍ରମଣରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଏବଂ ସାଥୀ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ୧୨ ଜଣଙ୍କ ନାମରେ ଅଭିଯୋଗଫର୍ଦ ଦାଖଲ କରିଥିଲା। ମୃତ କୁଳମଣିଙ୍କ ପୁତ୍ର ରମାକାନ୍ତଙ୍କ ଅଭିଯୋଗକ୍ରମେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ଅଭିଯୋଗଫର୍ଦରେ ଯୋଡ଼ା ଯାଇଥିଲା। ତେବେ ମନ୍ତ୍ରୀଙ୍କର ଏହି ଘଟଣାରେ ସମ୍ପୃକ୍ତି ନାହିଁ ବୋଲି ପୁଲିସ ଘଟଣାର ତଦନ୍ତ ପରେ ଦର୍ଶାଇଥିଲା।

ପରେ ଘଟଣାରେ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁ ପୂର୍ବରୁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହକାରୀ ବାପି ବିଶ୍ୱାଳ ଏବଂ ମାହାଙ୍ଗା ବ୍ଲକର ଅଧ୍ୟକ୍ଷ ଶରତ ନାୟକଙ୍କ ସହିତ ପ୍ରଫୁଲ୍ଲଙ୍କ ବାର୍ତ୍ତାଳାପ ତଥ୍ୟକୁ କାହିଁକି ପୁଲିସ ତଦନ୍ତ ପରିସରଭୁକ୍ତ କରିନାହିଁ, ସେ ନେଇ ୨୦୨୧ ନଭେମ୍ବର ୧୮ ତାରିଖରେ ରମାକାନ୍ତ ମାମଲା ରୁଜୁ କରିଥିଲେ। ଅଦାଲତ ଆବେଦନର ବିଚାରକରି ନଭେମ୍ବର ୨୯ ତାରିଖ ସୁଦ୍ଧା ବାର୍ତ୍ତାଳାପ, ଅପରାଧ ନଥି ଏବଂ ବ୍ୟକ୍ତିଗତ ଭାବେ ହାଜର ହେବାକୁ ମାହାଙ୍ଗା ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ନିର୍ଦ୍ଧାରିତ ସମୟରେ ଥାନା ଅଧିକାରୀ ତଥ୍ୟ ଓ ନଥିପତ୍ର ଦାଖଲ କରିନଥିବା ବେଳେ ନିଜେ ବ୍ୟକ୍ତିଗତ ଭାବେ ହାଜର ହୋଇନଥିଲେ।

ଶୁକ୍ରବାର ଥାନା ଅଧିକାରୀ ଅଦାଲତରେ ହାଜର ନହୋଇ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ମିଳିନଥିବାରୁ ସେ ହାଜର ହୋଇପାରିନଥିବା ଓକିଲଙ୍କ ଜରିଆରେ ଦର୍ଶାଇ ଏଥିପାଇଁ ସମୟ ଆବେଦନ କରିଥିଲେ। ଜେଏମଏଫସି ମାମଲାର ଶୁଣାଣି କରି ଥାନା ଅଧିକାରୀଙ୍କ ସମୟ ଆବେଦନକୁ ଖାରଜ କରିବା ସହ ନିର୍ଦ୍ଧାରିତ ତାରିଖରେ ଅଦାଲତରେ ଉତ୍ତର ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ନଚେତ୍ ଅଦାଲତ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଏମଏଫସି ରାୟରେ ଉଲ୍ଲେଖ କରିଛନ୍ତି। ରମାକାନ୍ତ ବରାଳଙ୍କ ପକ୍ଷରୁ ଆଇନଜୀବୀ ପ୍ରବୀଣ କୁମାର କାନୁନଗୋ ମାମଲା ଲଢ଼ୁଛନ୍ତି।

Comments are closed.