ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ହତ୍ୟା କରାଯାଇଛି: ବିଜେପି

ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି କଟକ ଜିଲା ସଭାପତି ପ୍ରକାଶ ବେହେରା ଅଭିଯୋଗ କରିଛନ୍ତି। ବିଧାୟକଙ୍କ ଟ୍ରାନ୍ସପୋର୍ଟ ଅଫିସ ସାମ୍ନାରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଛି। ଯେମିତି ଦେଖାଯାଉଛି, ତାଙ୍କୁ ପୂରା ଦଳି ଚକଟି ମକଚି ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ଥିଲେ କେଉଁଠି, ତାଙ୍କୁ ସେମାନେ ଲୁଚାଇ ରଖିଥିଲେ।
ମାହାଙ୍ଗା ଡବଲ୍ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ହତ୍ୟା କରାଯାଇଥିବା ସମ୍ପର୍କରେ କଟକ ଜିଲା ସଭାପତି ପ୍ରକାଶ ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଯେ ପ୍ରଫୁଲ୍ଲ ବହୁତ କଥା ଜାଣିଥିଲେ, ପ୍ରଘଟ ଆଶଙ୍କାରେ ହତ୍ୟା ହୋଇଛି। କିଛି ପ୍ରଘଟ ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। କଟକ ଜିଲ୍ଲା ସାଲେପୁରରେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ଫେରାର ଥିବା ବେଳେ ଆଜି ହଠାତ୍ ରହସ୍ୟଜନକ ଭାବେ ତାଙ୍କର ଟ୍ରକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଗତକାଲି ମୋବାଇଲ ଟ୍ରାକିଂରୁ ପ୍ରଫୁଲ୍ଲ ଟାଙ୍ଗୀ ଅଞ୍ଚଳରେ ଥିବା ସୂଚନା ପାଇଥିଲା ପୁଲିସ୍। ଏଥିପାଇଁ ବିଭିନ୍ନ ସ୍ଥାନରେ ତଲାସୀ କରିଥିଲା। କିନ୍ତୁ ତାଙ୍କ ଟେର ପାଇପାରି ନ ଥିଲା ପୁଲିସ୍। ହେଲେ ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ଅଧୀନ ନୂଆ ବନ୍ଦାଳ ଛକ ନିକଟରେ ଏକ ଟ୍ରକ୍ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୁଣ୍ଡ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ତାକୁ ଚିହ୍ନଟ କରିବା ସମ୍ଭବପର ହୋଇପାରି ନ ଥିଲା। ପୁଲିସ୍ ମୃତଦେହକୁ ଜବତ କରି କଟକ ଏସ୍ସିବିରେ ରଖିଥିଲା ଏବଂ ଏହା ପ୍ରଫୁଲ୍ଲଙ୍କ ମୃତଦେହ ବୋଲି ସନ୍ଦେହ କରିଥିଲା। ତେବେ ଟାଙ୍ଗୀ ପୁଲିସ୍ ଉପସ୍ଥିତିରେ ପ୍ରଫୁଲ୍ଲ ବିଶ୍ବାଳଙ୍କ ପରିବାର ଲୋକେ ତାଙ୍କ ମୃତଦେହକୁ ଚିହ୍ନଟ କରିଥିଲେ।
ଅପରପକ୍ଷରେ ମୃତ ପ୍ରଫୁଲଙ୍କ ମା’ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଛି। ତାଙ୍କ ପୁଅ ପ୍ରଫୁଲଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବାରୁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।