ମହାନଦୀ ଜଳ ପ୍ରଦୂଷିତ, ଲୋପ ପାଇଲାଣି ଅନେକ ପ୍ରଜାତିର ମାଛ

ବିନିକା  : ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳ ଦେଇ ପ୍ରବାହିତ ଚିରସ୍ରୋତା ମହାନଦୀର ନୀଳ ଜଳରାଶି ଏବେ କିଛି ବର୍ଷ ହେଲା ଦୂଷିତ ହେବାରେ ଲାଗିଛି। ଏହାର ପାଣି ଏବେ ପ୍ରଦୂଷିତ ହେଉଛି। ଉପର ମୁଣ୍ଡରୁ ତଳମୁଣ୍ଡ ପର୍ଯ୍ୟନ୍ତ ପାଣିରେ କ୍ଷତିକାରକ ରାସାୟନିକ ପଦାର୍ଥ ମିଶୁଛି। ସହରର ନାଳନର୍ଦ୍ଦମା ପାଣି ଓ ଅଳିଆ ଆବର୍ଜ୍ଜନା ମିଶି ଆସୁଥିବା ପାଣି ଏବେ କିଛି ବର୍ଷ ହେଲା ମହାନଦୀର ସ୍ବଚ୍ଛ ଓ ନିର୍ମଳ ଜଳରାଶିକୁ ପ୍ରଦୂଷିତ କରି ଦେଉଛି। ଉପରୁ ତଳମୁଣ୍ଡ ପର୍ଯ୍ୟନ୍ତ ମହାନଦୀର ଜଳକୁ ଲକ୍ଷ ଲକ୍ଷ ଲୋକ ସବୁବେଳେ ବ୍ୟବହାର କରି ଆସୁଛନ୍ତି। ତେବେ ପ୍ରବାହିତ ମହାନଦୀର ପାଣି ଏବେ କିଛି ବର୍ଷ ହେଲା ବହୁ ମାତ୍ରାରେ ପ୍ରଦୂଷିତ ହେଉ ଥିବା ଯୋଗୁଁ ଦୀର୍ଘ ବର୍ଷ ହେଲା ବିଶେଷ କରି ମହାନଦୀରେ ବହୁ ପ୍ରଜାତିର ମାଛ ବଂଶ ଲୋପ ପାଇଛି। ଗତ କୋଡ଼ିଏ ବର୍ଷ ତଳେ ପ୍ରବାହିତ ମହାନଦୀର ନୀଳ ଜଳରାଶିରେ ଯେତେ ପ୍ରଜାତିର ମାଛ, କଇଁଛ, ଗେଣ୍ଡା, ଶାମୁକା, କଙ୍କଡ଼ା ଦେଖା ଯାଉଥିଲା ଏବେ କିଛି ବର୍ଷ ହେଲା ଏମାନଙ୍କ ସଂଖ୍ୟା ହ୍ରାସ ପାଇଲାଣି।

ମହାନଦୀର ଉପର ମୁଣ୍ଡରୁ ଅପମିଶ୍ରିତ ଓ ବିଷାକ୍ତ ପାଣି ପ୍ରବାହିତ ହୋଇ ଆସୁଥିବାରୁ ଦିନକୁ ଦିନ ଏସବୁ ଜଳଚର ପ୍ରାଣୀମାନେ ବିଲୁପ୍ତ ହୋଇ ଯାଉଥିବା ମତପ୍ରକାଶ ପାଉଛି। ପ୍ରାୟ କୋଡିଏ ବର୍ଷ ପୂର୍ବେ ମହାନଦୀର ନୀଳ ଜଳରାଶିରେ ଅନେକ ପ୍ରକାରର ଦେଶୀ ମାଛ ଭରି ରହିଥିଲେ। କିନ୍ତୁ ଏବେ ଦୀର୍ଘବର୍ଷ ବର୍ଷ ହେଲା ପ୍ରବାହିତ ଚିରସ୍ରୋତା ମହାନଦୀର ପ୍ରଦୂଷିତ ଜଳରେ ସେହି ଜଳଜୀବ ଗୁଡ଼ିକ ବିଲୁପ୍ତ ହୋଇ ଗଲେଣି। ଦିନ ଥିଲା ମହାନଦୀର ନୀଳ ଜଳରାଶିରୁ ବିନିକା ଅଞ୍ଚଳରେ ବସବାସ କରି ମାଛମାରି କୁଟୁମ୍ବ ପ୍ରତିପୋଷଣ କରି ଆସୁଥିବା ଅଞ୍ଚଳର ଶତାଧିକ ଝରା ଓ କେଉଟ ସମ୍ପ୍ରଦାୟର ଲୋକେ ବାର୍ଷିକ ଶହ ଶହ ଟନ ମାଛ ଉତ୍ପାଦନ କରି ସବୁ ଋତୁରେ ନିଜର ଜୀବନଜୀବିକା ନିର୍ବାହ କରୁଥିଲେ। ଗ୍ରୀଷ୍ମ, ବର୍ଷା, ଶୀତ ସବୁ ଋତୁରେ ଅଞ୍ଚଳର ଏହି ଝରା ଓ କେଉଟ ସମ୍ପ୍ରଦାୟର ଲୋକେ ମହାନଦୀରୁ ମାଛ ମାରି ତାଙ୍କ ପରିବାର ପ୍ରତିପୋଷଣ କରି ଆସୁଥିଲେ। ମାତ୍ର କିଛି ବର୍ଷ ହେଲା ମହାନଦୀରୁ ଅନେକ ପ୍ରକାରର ଦେଶୀ ମାଛ ମିଳି ପାରୁନାହିଁ। ସେଥି ମଧ୍ୟରୁ ରୋହୀ, ମାଗୁର, ମିରିକାଲି, ଖଇଙ୍ଗା, ବଇରୀ, ଟୁରୁ, ଟେଙ୍ଗନୀ ସହିତ ଅନ୍ୟାନ୍ୟ ବହୁ ପ୍ରଜାତିର ମାଛବଂଶ ଲୋପ ପାଇଛି। କିଛି ବର୍ଷ ହେଲା ମହାନଦୀର ପାଣି ପ୍ରଦୂଷିତ ହେଉଥିବା ଯୋଗୁଁ ଏମାନଙ୍କ ବଂଶ ବିଲୁପ୍ତ ହେବାକୁ ବସିଛି।

ମହାନଦୀରୁ ଆବଶ୍ୟକ ମାଛ ସଂଗ୍ରହ ହୋଇପାରୁ ନ ଥିବାରୁ ଅଞ୍ଚଳର ଶହଶହ ମତ୍ସ୍ୟଜୀବୀ ଗରିବ ପରିବାରଙ୍କ ପାରମ୍ପରିକ ଜୀବନଜୀବିକା ପ୍ରଭାବିତ ହେବାକୁ ବସିଲାଣି। ଅନ୍ୟ ପକ୍ଷରେ ବିଭିନ୍ନ ସ୍ଥାନରେ ଲୋକେ ମହାନଦୀ ଗର୍ଭରେ ବ୍ଲାଷ୍ଟିଂ କରି ମାଛ ମାରିବା ଦ୍ବାରା ଏହା ପ୍ରଦୂଷଣକୁ ଆହୁରି ଦ୍ବିଗୁଣିତ କରୁଥିବାରୁ ମତ୍ସ୍ୟଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସୂଚନା ଅନୁସାରେ ବିନିକା ଅଞ୍ଚଳ ଦେଇ ପ୍ରବାହିତ ଚିରସ୍ରୋତା ମହାନଦୀ ତଟବର୍ତ୍ତୀ ଅଞ୍ଚଳରେ ଥିବା ସିନ୍ଦୁରପୁର, ମଣିଗାଁ, ଅରିଗାଁ, ଗଣେଶପୁର, ଝରାପଡ଼ା, ଗୁଲାପଡ଼ା, କେଉଟପଡ଼ା, ଡଭଲା, ବିନିକା, ଉର୍ଲ୍ଲେ, ପାପକ୍ଷୟ, ରହିଲା, ଭ୍ରମରପାଲି, ସେଲେଡି, ଝରାପଡ଼ା, ତୁଲୁଣ୍ଡୁପାଲି, ଝରାପଡ଼ା, କର୍ତ୍ତଙ୍ଗ, ଗରିଆପାଲି, ମହିଦେବପାଲି, ଘୋଡ଼ାଧାର, ପଣ୍ଡକିଟାଲ ଓ ଅନ୍ୟାନ୍ୟ ସ୍ଥାନରେ ବହୁ ମତ୍ସ୍ୟଜୀବୀ ପରିବାର ଜୀବନଜୀବିକା ନିର୍ବାହ ପାଇଁ ମହାନଦୀ ଉପରେ ନିର୍ଭର କରିଥାନ୍ତି।  ଏବେ କିଛି ସପ୍ତାହ ହେଲା ମହାନଦୀର ଜଳସ୍ତର ପୁନଶ୍ଚ ହ୍ରାସ ପାଇଥିବାରୁ ଜଳଜୀବ ଓ ବିଭିନ୍ନ ପ୍ରଜାତିର ମାଛ ସହଜରେ ଦେଖିବାକୁ ମିଳିବା କଥା। କିନ୍ତୁ ଏପରି ସ୍ଥିତିରେ ଏମାନଙ୍କ ସଂଖ୍ୟା ହ୍ରାସ ଓ ବଂଶ ବିଲୁପ୍ତ ହେଉଥିବା ନେଇ ସଂଶୟ ସୃଷ୍ଟି ହେଉଛି।

Comments
Loading...