ଛତିଶଗଡ଼ର ଖେଳ ଓଡ଼ିଶାକୁ କାଳ, ୬ କୋଟି ଖର୍ଚ୍ଚ କିନ୍ତୁ ଫଳ ଶୂନ

ସମ୍ବଲପୁର: ମହାନଦୀ ପାଣି ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ରାଜନୈତିକ ଲଢ଼େଇକୁ ୪ ବର୍ଷ ଓ ପ୍ରାଧିକରଣ ଲଢ଼େଇକୁ ୩ ବର୍ଷ ବିତି ସାରିଛି। ୨୦୧୯ ନିର୍ବାଚନରେ ମହାନଦୀ ପାଇଁ ଚିତ୍କାର କରିଥିବା ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପରେ ନିରବ। ଅଥଚ ମହାନଦୀ ସମସ୍ୟା ୫ ବର୍ଷ ତଳେ ଯେଉଁଠି ଥିଲା ଏବେମଧ୍ୟ ସେଇଠି ଅଛି। ଓଡ଼ିଶା ସରକାର ପ୍ରାଧିକରଣ (ଟ୍ରାଇବୁନାଲ) ଲଢ଼େଇ ପାଇଁ ଦେଶର ୧୪ ନାମୀଦାମୀ ଓକିଲଙ୍କୁ ନିଯୁକ୍ତ କରିଛନ୍ତି। ୩ ବର୍ଷରେ ୨୧ ଥର ଶୁଣାଣି ଓ ୨ଟି ଦ୍ୱିପାକ୍ଷିକ ବୈଠକ ବାବଦକୁ ରାଜକୋଷରୁ ଗଲାଣି ୬ କୋଟିରୁ ଅଧିକ ଟଙ୍କା। ପ୍ରାଧିକରଣର ୩ ବର୍ଷର ଅବଧି ପଛେ ପୂରିଲା; ଓଡ଼ିଶାର ଆଶା ପୂରଣ ହେଲାନାହିଁ। ମହାନଦୀ ଉପର ମୁଣ୍ଡରେ ଆନିକଟ (ବ୍ୟାରେଜ) ନିର୍ମାଣ ଉପରେ ରହିତାଦେଶ ମିଳିଲାନାହିଁ। ତେଣୁ ଛତିଶଗଡ଼ ବ୍ୟାରେଜ ନିର୍ମାଣ ବନ୍ଦ କରିନାହିଁ। ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ୨୨୬୮ଟି ପ୍ରକଳ୍ପ ( ୮ ବଡ଼, ୨୯ ମଧ୍ୟମ, ୧୮୬୦ କ୍ଷୁଦ୍ର ଓ ୩୭୧ ଆନିକଟ) ନିର୍ମାଣ କାମ ଶେଷ କରିଦେଇଛି। ଆହୁରି ୪୪୩ ପ୍ରକଳ୍ପ (୬ ବଡ଼ ବ୍ୟାରେଜ, ୩ ମଧ୍ୟମ, ୩୦୫ କ୍ଷୁଦ୍ର ଓ ୧୨୫ ଆନିକଟ) ନିର୍ମାଣ ଚଳାଇଛି।

ଓଡ଼ିଶାକୁ ନିଜ ଦାବି ମୁତାବକ ଅଣମୌସୁମୀ ଋତୁରେ ୧.୭୩ ନିୟୁତ ଏକର ଫୁଟ ଜଳପ୍ରବାହର ଆଶ୍ବାସନା ମଧ୍ୟ ମିଳିଲା ନାହିଁ। ଛତିଶଗଡ଼ ବଡ଼ ବ୍ୟାରେଜ ନିର୍ମାଣ କଲା ପରେ ଓଡ଼ିଶାକୁ ଅଣମୌସୁମୀ ଋତୁରେ ହାରାହାରି ଜଳପ୍ରବାହ ୨୦୧୬ ମସିହା ୩୭ ପ୍ରତିଶତ ଓ ୨୦୧୭ ମସିହାରେ ୫୩ ପ୍ରତିଶତ ହ୍ରାସ ପାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଉପର ମୁଣ୍ଡରେ ଛତିଶଗଡ଼ର ସବୁ ପ୍ରକଳ୍ପ ଯେତେବେଳେ ପୂରା କାର୍ଯ୍ୟକ୍ଷମ ହେବ, ଅଣମୌସୁମି ଋତୁରେ ମହାନଦୀ ଜଳପ୍ରବାହ ପୂରା ବନ୍ଦ ହୋଇପାରେ। ଓଡ଼ିଶା ଭାଗର ମହାନଦୀ ଶୁଖିଯିବ। ହୀରାକୁଦ ବନ୍ଧର କିଛି ପ୍ରାସଙ୍ଗକିତା ହିଁ ନ ଥିବ। ତେଣୁ ଛତିଶଗଡ଼ର ଖେଳ ଆଗାମୀ ଦିନରେ ଓଡ଼ିଶା ପାଇଁ କାଳ ହେବାକୁ ଯାଉଛି। ଏ ସଂକ୍ରାନ୍ତରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ପ୍ରାଧିକରଣ ଗଠନର ୩ ବର୍ଷ ମଧ୍ୟରେ ଯଦି ଦୁଇ ରାଜ୍ୟ ମଧ୍ୟରେ ମହାନଦୀକୁ ନେଇ ତଥ୍ୟ ବିନିମୟ ଓ ସହମତି ହୋଇପାରିଲା ନାହିଁ ଆଉ ୨ ବର୍ଷ ସମୟ ନେ​‌େ​‌ଲ ଅଧିକ କ’ଣ ହୋଇଯିବ?

କର୍ଣ୍ଣାଟକ-ତାମିଲନାଡ଼ୁ ମଧ୍ୟରେ ୨୫ ବର୍ଷ ପୁରୁଣା କାବେରୀ ଜଳ ବିବାଦ ଭଳି ନିକଟ ଭବିଷ୍ୟତରେ ଓଡ଼ିଶା-ଛତିଶଗଡ଼ ମହାନଦୀ ବିବାଦର ସମାଧାନ ଆଶା କରାଯାଇ ପାରୁନାହିଁ ବୋଲି ସେ କହିଛନ୍ତି। ସେହିପରି ଓଡ଼ିଶାର ଜଳପୁରୁଷ ଭାବେ ପରିଚିତ ରଞ୍ଜନ ପଣ୍ଡାଙ୍କ ମତରେ ଆନ୍ତଃରାଜ୍ୟ ବିବାଦର ସମାଧାନ ଦିଗରେ କେନ୍ଦ୍ର ସରକାର ଓ କେନ୍ଦ୍ର ଜଳ ଆୟୋଗର ଯେଉଁ ଭୂମିକା ରହିବା କଥା ତାହା ରହୁନାହିଁ। ପ୍ରାଧିକରଣ କର୍ତ୍ତୃପକ୍ଷ ଉପଗ୍ରହ ଓ ଜିପିଆରଏସ ସହାୟତାରେ ସଠିକ ଓ ନିରପେକ୍ଷ ତଥ୍ୟ ସଂଗ୍ରହ କରାନ୍ତୁ। ମହାନଦୀ ବିବାଦ ସମାଧାନ ପାଇଁ କେନ୍ଦ୍ର ଓ ଦୁଇ ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି ଓ ଆନ୍ତରିକତା ଆବଶ୍ୟକ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Comments are closed.