ଅଣମୌସୁମୀରେ ଜଳ ପ୍ରବାହ କମିଛି

0

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ଟ୍ରାଇବୁନାଲରେ ଓଡ଼ିଶା ସରକାର ସାନି ସତ୍ୟପାଠ ଜରିଆରେ ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହର ତଥ୍ୟ ଦାଖଲ କରିଛନ୍ତି। ସତ୍ୟପାଠରେ ବିଗତ ୩୦ ବର୍ଷ ମଧ୍ୟରେ ଛତିଶଗଡ଼ରୁ ହୀରାକୁଦ ଜଳ ଭଣ୍ଡାରକୁ ହାରାହାରି ଜଳ ପ୍ରବାହ ତଥ୍ୟ ରହିଛି। ଦର୍ଶାଯାଇଛି ଯେ ମୌସୁମୀ ଋତୁରେ ଛତିଶଗଡ଼-ଓଡ଼ିଶା ସୀମାରେ ମହାନଦୀର ଜଳ ପ୍ରବାହ ଠିକ୍‍ ରହିଛି। ମାତ୍ର ଅଣମୌସୁମୀ ୭ ମାସରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମି ଯାଇଛି।
ସତ୍ୟପାଠରେ ମହାନଦୀ ଅବବାହିକାରେ ବୃଷିପାତ ବିବରଣୀ ମଧ୍ୟ ରହିଛି। କମ୍‍ ବୃଷିପାତ ଯୋଗୁଁ ମହାନଦୀରେ ଜଳ ପ୍ରବାହ କମିବା ନେଇ ଆଶଙ୍କାକୁ ସତ୍ୟପାଠ ଜରିଆରେ ଓଡ଼ିଶା ସରକାର ଖାରଜ କରିଛନ୍ତି।
ଗତ ଡିସେମ୍ବର ୧୫ରେ ମାମଲାର ଶୁଣାଣି ବେଳେ ଅଣମୈାସୁମୀ ସମୟରେ ମହାନଦୀରେ ଜଳ ପ୍ରବାହ ପୂର୍ବାପେକ୍ଷା କମି ଯିବା ସଂପର୍କରେ ଓଡ଼ିଶା ସରକାରଙ୍କ ଯୁକ୍ତି ଉପସ୍ଥାପନ ପରେ ଛତିଶଗଡ଼ରେ ବ୍ୟାରେଜ ନିର୍ମାଣ ପୂର୍ବରୁ ହୀରାକୁଦ ଜଳଭଣ୍ଡାରକୁ ବାସ୍ତବରେ କେତେ ଜଳ ପ୍ରବାହିତ ହେଉଥିଲା ସେ ବିଷୟରେ ଟ୍ରାଇବୁନାଲର ଅଧ୍ୟକ୍ଷ ବିଚାରପତି ଏ ଏମ ଖାଲୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଓଡ଼ିଶା ସରକାରଙ୍କ ଠାରୁ ଜାଣିବାକୁ ଚାହିଁଥିଲେ।
ବିଶେଷକରି ଛତିଶଗଡ଼ରେ ବ୍ୟାରେଜ ନିର୍ମାଣ ଯୋଗୁଁ ମହାନଦୀରେ ଜଳ ପ୍ରବାହ ପ୍ରଭାବିତ ହୋଇଛି ଅଥବା ମୌସୁମୀ ପ୍ରବାହରେ ଅନିୟମିତତା ଅଥବା କମ୍‍ ବର୍ଷା ଯୋଗୁଁ ଜଳ ପ୍ରବାହ କମିଛି ସେସଂପର୍କରେ ସବିଶେଷ ତଥ୍ୟ ଓଡ଼ିଶା ସରକାର ଉପସ୍ଥାପନ କରିବାକୁ କହିଥିଲେ। ସଂକ୍ଷିପ୍ତ ସତ୍ୟପାଠ ଜରିଆରେ ତଥ୍ୟ ଦାଖଲ କରିବାକୁ ଟ୍ରାଇବୁନାଲ ଓଡ଼ିଶା ସରକାରଙ୍କୁ ନିର୍ଦେଶ ଦେଇଥିଲେ।

Leave A Reply